ମହଙ୍ଗା ପଡ଼ିଲା ପ୍ରେମ ବିବାହ: ଫାଟିଲା କାନ ପରଦା, ଭାଙ୍ଗିଲା ହାଡ଼

Published By : Prameya-News7 Bureau | October 18, 2020 IST

ନୂଆଦିଲ୍ଲୀ ୧୮/୧୦: ପ୍ରେମ ବିବାହର କରୁଣ ପରିଣତି ଭୋଗିଲେ ଯୁବକ। ପ୍ରେମ କରି ବିବାହ କରିବା ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ମାଡ଼ ଖାଇ ଯୁବକ ଗୁରୁତର । ଏବେ ହେଉଛନ୍ତି ଚିକିତ୍ସିତ । ପୀଡ଼ିତଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଯୁବକଙ୍କ କାନର ପରଦା ଫାଟିବା ସହ କାନର ହାଡ଼ ଭାଙ୍ଗିଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦକ୍ଷିଣ ଦିଲ୍ଲୀର ତିଗଡ଼ି ଅଞ୍ଚଳରେ।

ଯୁବକଙ୍କୁ ତାଙ୍କ ବଡ଼ବାପା ପୁଅ ଭାଇ ମାରପିଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ମାମଲା ବଢ଼ିବାରୁ ବଡ଼ବାପା ପୁଅ ଭାଇ ଯୁବକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ବୋଲି କହିଥିଲା। କିନ୍ତୁ ପରେ ନିଜ କଥାରୁ ଓହରି ଯାଇଥିଲା। ଏଥିରେ ବ୍ୟଥିତ ହୋଇ ପୀଡ଼ିତ ଥାନାରେ ଏତଲା ଦେଇଛନ୍ତି। ତିଗଡ଼ି ପୋଲିସ ଅଭିଯୋଗ ପାଇବା ପରେ ମାମଲାରେ ତଦନ୍ତ ଆରମ୍ଭ କରିଛି।

ପୀଡ଼ିତ ୟଶ ପ୍ରତାପ ସଙ୍ଗମ ବିହାରର ଅମର ସିଂହ ମାର୍କେଟରେ ରୁହନ୍ତି। ଗତ ୨୩ ମାର୍ଚ୍ଚରେ ସେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ପ୍ରଥମେ କୋର୍ଟରେ ପରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ ୟଶ୍‌। କିନ୍ତୁ ତାଙ୍କ ବଡ଼ବାପା ପୁଅ ଭାଇ ଏହି ବିବାହରେ ସନ୍ତୁଷ୍ଟ ନଥିଲେ। ବାହାଘର ଦିନ ମଣ୍ଡପ ପାଖରେ ୟଶଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ତାଙ୍କ ବଡ଼ବାପା ପୁଅ । ବିବାହର ୩ ଦିନ ପରେ ୟଶଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଦୋକାନରେ ଥିବା ବେଳେ ୟଶଙ୍କ ଉପରେ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଗୁରୁତର ୟଶଙ୍କୁ ସ୍ଥାନୀୟ ଲୋକେ ହସ୍ପିଟାଲ୍‌ ନେଇଥିଲେ। ପରେ ହସ୍ପିଟାଲରେ ପୋଲିସ ପହଞ୍ଚି ଦୁଇ ପକ୍ଷଙ୍କ ମଧ୍ୟରେ ବୁଝମଣା କରାଇଥିଲେ। ପ୍ରତିପକ୍ଷ ଚିକିତ୍ସା ପାଇଁ ଖର୍ଚ୍ଚ ଦେବାକୁ ରାଜି ହୋଇଥିଲେ। ତେବେ ପରେ ଯେତେବେଳେ ଜଣାପଡ଼ିଲା ଚିକିତ୍ସା ଖର୍ଚ୍ଚ ଅଧିକ ଲାଗିବ ତେଣୁ ଟଙ୍କା ଦେବାକୁ ମନା କରିଥିଲେ। ଏହାପରେ ୟଶ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.