ଶିଆଲକୋଟର ‘ଡେଗି ମିର୍ଚ୍ଚିୱାଲା’ରୁ ଏମଡିଏଚ୍ ପର୍ଯ୍ୟନ୍ତ ଏମିତି ଥିଲା ମହାଶୟ ଧର୍ମପାଲ ଗୁଲାଟୀଙ୍କ ଯାତ୍ରା

Published By : Prameya-News7 Bureau | May 10, 2020 IST

ସତ୍ୟନାରାୟଣ ମହାପାତ୍ର
ଏମଡିଏଚ୍ ବା  ‘ମହାସିୟାନ ଡି ହଟ୍ଟି’  ମହାଶୟ ଧର୍ମପାଲ ଗୁଲାଟୀଙ୍କ ମାଲିକାନାଧୀନ ଦେଶର ଏକ ଲୋକପ୍ରିୟ ମସଲା ବ୍ରାଣ୍ଡ । ଯାହା କେବଳ ଭାରତ ନୁହେଁ ଭାରତ ବାହାରେ ଦୀର୍ଘ ବର୍ଷରୁ ବେଶ ଲୋକପ୍ରିୟ।  ଏମଡିଏଚ୍ କହିଲେ ଦେଶରେ ଖାଦ୍ୟ ପ୍ରିୟ ଲୋକଙ୍କ ଆଖିରେ ଜଣେ ଅଶୀତପର ବୃଦ୍ଧଙ୍କ ଚେହେରା ଆପେ ଆପେ ଭାସିଉଠେ । ନିଜେ ମହାଶୟ ଧର୍ମପାଲ ତାଙ୍କ ମସଲା ଉତ୍ପାଦ ଲାଗି ଟେଲିଭିଜନ ହେଉ କି ପ୍ରିଣ୍ଟ ଏପରିକି ତାଙ୍କ ମସଲା ପ୍ୟାକେଟରେ ନିଜକୁ ବିଜ୍ଞାପିତ କରି କମ୍ପାନୀର ପରିଚୟ ପାଲଟିବା ସହ ଏମଡିଏଚ୍‌କୁ ଦେଶର ଅନ୍ୟତମ ସ୍ୱୀକୃତ ବ୍ରାଣ୍ଡରେ ପରିଣତ କରାଇଛନ୍ତି।

{"id":267730,"width":590,"height":590,"sizeSlug":"large"}

ମହାଶୟ ଧର୍ମପାଲ ଗୁଲାଟୀଙ୍କ ଜନ୍ମ ୨୭ ମାର୍ଚ୍ଚ ୧୯୨୩ ମସିହାରେ ଶିୟାଲ କୋଟ (ଏବେକାର ପାକିସ୍ତାନ) ରେ ହୋଇଥିଲା। ପିତା ମହାଶୟ ଚୁନ୍ନିଲାଲ ଓ ମା ଚନନ ଦେବୀ ପରୋପକାରୀ, ଧାର୍ମିକ ଓ ଆର୍ଯ୍ୟ ସମାଜର ଅନୁଗାମୀ ଥିଲେ। ୧୯୧୯ ମସିହାରେ ମହାଶୟ ଚୁନ୍ନିଲାଲ ମହାଶିୟାନ ଡି ହାଟ୍‌ରେ ଏକ ଛୋଟ ମସଲା ଦୋକାନ କରିଥିଲେ। ଧର୍ମପାଲଙ୍କ ଶୈଶବାବସ୍ଥା ଶିଆଲକୋଟରେ ହିଁ କଟିଥିଲା। ୧୯୩୩ ମସିହା ବେଳକୁ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଧର୍ମପାଲ ପିତାଙ୍କୁ ସହାୟତା କରିବାକୁ ପାଠପଢାରେ ଡୋରୀ ବାନ୍ଧିଥିଲେ। ପିତାଙ୍କ ଆର୍ଥିକ ସହାୟତାରେ ପ୍ରଥମେ ସେ ଏକ ଛୋଟ ଆଇନା ଦୋକାନ କରିଥିଲେ। ପରେ ସାବୁନ ଓ ଅନ୍ୟାନ୍ୟ ସାମଗ୍ରୀ କାରବାର କରୁଥିବା ବେଳେ ଧର୍ମପାଲ ବ୍ୟାବସାୟ ବାଣିଜ୍ୟ ଛାଡି ଅଚାନକ କାଠ ମିସ୍ତ୍ରୀ କାମ କରିବାକୁ ଲାଗିଲେ।

{"id":267731,"sizeSlug":"large"}

ହେଲେ ବ୍ୟବସାୟୀ ପରିବାରର ହୋଇଥିବାରୁ କାଠ କାମ ବେଶି ସମୟ କରିପାରିନଥିଲେ। ବସ୍ତ୍ର ବେପାର ସାଙ୍ଗକୁ ହାର୍ଡୱେର ଓ ଚାଉଳ ବ୍ୟବସାୟ ବି କରିଥିଲେ। ହେଲେ କୌଣସି ବ୍ୟବସାୟରୁ ଆଶାଜନକ ଲାଭ ହେଉନଥିଲା। ଏଣୁ ଶେଷର ସେ ପିତାଙ୍କ ମସଲା ଦୋକାନରେ ମନନିବେଶ କରିବା ବେଳେ ସ୍ଥାନୀୟ ଅଞ୍ଚଳରେ ‘ଡେଗି ମିର୍ଚ୍ଚିୱାଲା’ ଭାବେ ନୂଆ ପରିଚୟ ସୃଷ୍ଟି କରିଥିଲେ। ମସଲା ବେପାର ଜମି ଆସିଥିବା ବେଳେ ଦେଶ ବିଭାଜନ ହୋଇଥିଲା। ଫଳରେ ପରିବାର ଭାରତ ଚାଲିଆସି ଅମୃତସର ଶରଣାର୍ଥୀ କ୍ୟାମ୍ପରେ ଆଶ୍ରୟ ନେଇଥିଲେ।

{"id":267733,"sizeSlug":"large"}

ବିସ୍ଥାପିତ ହେବା ପରେ ମହାଶୟ ଧର୍ମପାଲ ପରିବାର ଚଳାଇବା ଲାଗି କାମଧନ୍ଦା ଖୋଜିବାକୁ  ଭିଣୋଇଙ୍କ ସହ ଦିଲ୍ଲୀ ଆସିଥିଲେ। ଆସିବା ବେଳେ ପିତା ଚୁନ୍ନିଲାଲ ତାଙ୍କୁ ଦେଢ ହଜାର ଟଙ୍କା ଦେଇଥିଲେ। ଦିଲ୍ଲୀରେ ଭଣଜାଙ୍କ ଘରେ ରହି କାମ ଖୋଜୁଥିବା ବେଳେ ଏକ ଘୋଡାଗାଡି  କିଣିଥିଲେ। ଘୋଡାଗାଡିକୁ ସେ ଦିଲ୍ଲୀ ଷ୍ଟେସନକୁ ନେଇ ସେଠାରୁ ଲୋକଙ୍କୁ କାରୋଲ ବାଗ୍, କୁତୁବ ରୋଡ ଓ ବାରା ହିନ୍ଦୁ ରାଓକୁ ନେବା ଆଣିବା କରି କିଛି ରୋଜଗାର କରିବାକୁ ଉଦ୍ୟମ କରିଥିଲେ। ଜଣେ ଯାତ୍ରୀ ପିଛା ସେତେବେଳେ ତାଙ୍କୁ ମାତ୍ର ୨ ଅଣା ମିଳୁଥିଲା। ଏଥିରୁ ଯାହା କିଛି ଆୟ ହେଉଥିଲା ସେଥିରେ ତାଙ୍କର ଚଳିବା ହୋଇଯାଉଥିଲା।

{"id":267734,"width":579,"height":579,"sizeSlug":"large"}

ହେଲେ ଘୋଡାଗାଡି ଚଳାଇ ଗୁଜୁରାଣ କରିବା ତାଙ୍କୁ ଭଲ ଲାଗିନଥିଲା। କିଛି କରିବା ଚିନ୍ତାରେ ସେ କାରୋଲବାଗ୍ ଆଜମଲ ଖାନ ରୋଡରେ ୯ଫୁଟରେ ୧୪ଫୁଟର ଏକ କାଠ କ୍ୟାବିନ୍‌ ଭଡାରେ ନେଇ ପୁଣି ଥରେ ପାରିବାରିକ ମସଲା ବ୍ୟବସାୟ ଆରମ୍ଭ କରିଥିଲେ।  ଶିଆଲକୋଟ୍ ଭଳି ଏଠାରେ ମଧ୍ୟ ତାଙ୍କ ମସଲା ବ୍ୟବସାୟ ବେଶ ଚାଲିବାକୁ ଲାଗିଲା। ୧୯୫୩ ମସିହାରେ ମହାଶୟ ଧର୍ମପାଲ ତାଙ୍କ ବ୍ୟବସାୟ ବୃଦ୍ଧି କରିବାକୁ ଚିନ୍ତା କରିଥିଲେ। ଏଥିରେ ସେ ଚାନ୍ଦିନୀ ଚୌକରେ ଅନ୍ୟ ଏକ ମସଲା ଦୋକାନ ସ୍ଥାପନା କରିଥିଲେ। କାରବାର ବଢିବା ଯୋଗୁ ମସଲା ଉତ୍ପାଦନ ଲାଗି ଚିନ୍ତା ପଡିଥିଲା। ଏଣୁ ଧର୍ମପାଲ ଦିଲ୍ଲୀ କିର୍ତ୍ତି ନଗରରେ ଏକ ପ୍ଲଟ୍ କିଣିଥିଲେ। ଏହି ଠାରେ ହିଁ ତାଙ୍କ ମହାଶିୟନ ଡି ହଟ୍ଟି ବା ଏମଡିଏଚ୍‌ର ନିଅଁ ପଡିଥିଲା।

{"id":267735,"width":582,"height":389,"sizeSlug":"large"}

ତେବେ ଧର୍ମପାଲଙ୍କ ବ୍ୟବସାୟୀକ ସଫଳତାର ଚାବିକାଠି ବୋଲି ସେ ଯାହା କୁହନ୍ତି ତାହା ହେଉଛି ପାରମ୍ପରିକ ପ୍ରତିଷ୍ଠିତ ନୀତି  ଅର୍ଥାତ ପ୍ରତିବଦ୍ଧତା ପ୍ରତି ସମ୍ମାନ, ଶୁଦ୍ଧତା ଓ ଗୁଣାତ୍ମକ ଉତ୍ପାଦ ଦ୍ୱାରା ଗ୍ରାହକଙ୍କ ସେବା । ଏଣୁ ତାଙ୍କ କମ୍ପାନୀ ପ୍ରସ୍ତୁତ ମସଲା କେବଳ ଭାରତ ନୁହେଁ ସ୍ୱିଜରଲ୍ୟାଣ୍ଡ, ଜାପାନ, ଯୁକ୍ତରାଷ୍ଟ୍ର ଓ କାନାଡା ଆଦି ଦେଶରେ ମଧ୍ୟ ବେଶ ଲୋକପ୍ରିୟ ହୋଇପାରିଛି। ଏମଡିଏଚ ବିଦେଶକୁ ଅନୁନ୍ୟ ୬୦ ପ୍ରକାର ମସଲା  ରପ୍ତାନୀ କରୁଛନ୍ତି। ମହାଶୟ ଧର୍ମପାଲ ଗୁଲାଟୀଙ୍କ ପାଖରେ ବୟସ ହାର ମାନିଛି।  ଏ ବୟସରେ ବି ସେ ରିତିମତ ତାଙ୍କ ଫ୍ୟାକ୍ଟ୍ରିକୁ ଯିବା ଆସିବା କରିବା ସହ ସମସ୍ତ ବ୍ୟବସାୟିକ ନିଷ୍ପତ୍ତି ମଧ୍ୟ ନିଜେ ନିଅନ୍ତି।  ପ୍ରତି ରବିବାର ଅନ୍ୟମାନଙ୍କ ଲାଗି ଛୁଟି ଦିନ। ହେଲେ ଧର୍ମପାଲଙ୍କ ଲାଗି ସପ୍ତାହର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଏହି ଦିନ ସେ ତାଙ୍କର ବିଭିନ୍ନ ଡିଲରଙ୍କୁ ଭେଟିବାକୁ ଯାଆନ୍ତି। ବଜାରରେ କାରବାରର ସ୍ଥିତି ପରଖନ୍ତି। ତାଙ୍କ ମତରେ ଆନ୍ତରିକ କାର୍ଯ୍ୟ (ସିନସିୟର ୱାର୍କ), ଗୁଣାତ୍ମକ ଉତ୍ପାଦ ଓ ସୁଲଭ ମୂଲ୍ୟ ହିଁ ବ୍ୟବସାୟୀକ ସଫଳତାର ଚାବି କାଠି। ଖାସ ଏଥିପାଇଁ ଏ ବୟସରେ ବି ସେ ତାଙ୍କ ଫ୍ୟାକ୍ଟ୍ରି, ଅଫିସ ଓ ବ୍ୟବସାୟୀ ବନ୍ଧୁଙ୍କ ସହ ରିତିମତ ସମ୍ପର୍କରେ ରହନ୍ତି। ଯେଉଁଥି ପାଇଁ ଆଜି ବଜାରରେ ତାଙ୍କ କମ୍ପାନୀର ଷ୍ଟେକ୍ ୮୦ ପ୍ରତିଶତରେ ପହଞ୍ଚିଛି।

{"id":267737,"sizeSlug":"large"}

ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ମହାଶୟ ଧର୍ମପାଲଙ୍କୁ ଭାରତ ସରକାର ଶୀର୍ଷ ନାଗରିକ ସମ୍ମାନ ପଦ୍ମଭୂଷଣରେ ବିଭୂଷିତ କରିଛନ୍ତି। ତାଙ୍କ କମ୍ପାନୀ ମହାଶିୟାନ ଡି ହଟ୍ଟି ବାର୍ଷିକ ୧୫ ପ୍ରତିଶତ ଅଭିବୃଦ୍ଧି ହାରରେ ୯୨୪କୋଟି ଟଙ୍କା କାରବାର କରୁଥିବା ବେଳେ ନିଟ୍ ଲାଭ ପରିମାଣ ୨୧୩ କୋଟି ଅର୍ଥାତ ୨୪ ପ୍ରତିଶତ କାୟମ କରିବାରେ ସଫଳ ହୋଇଛି। ଏଥିଲାଗି ତାଙ୍କୁ କମ୍ପାନୀରୁ ଯାହା ବେତନ ମିଳେ ତାହା ଦେଶର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ଗୋଦରେଜର ଆଦି ଗୋଦରେଜ, ଗୋଦରେଜ କଞ୍ଜ୍ୟୁମରର ବିବେକ ଗମ୍ଭୀର, ହିନ୍ଦୁସ୍ତାନ ୟୁନିଲିଭରର ସଞ୍ଜିବ ମେହେଟା ଓ ଆଇଟିସିର ୱାଇ.ସି.ଦେବେଶ୍ୱରଙ୍କ ବେତନଠାରୁ ମଧ୍ୟ ଅଧିକ। ତେବେ ଧର୍ମପାଲଙ୍କ ବେତନର ଏକ ବଡ ଭାଗ ତାଙ୍କର ମହାଶୟ ଚୁନ୍ନିଲାଲ ଚାରିଟେବଲ ଟ୍ରଷ୍ଟକୁ ଯାଇଥାଏ।

{"id":267739,"sizeSlug":"large"}

ଏମଡିଏଚଙ୍କର କେବଳ ମସଲା  ଫ୍ୟାକ୍ଟ୍ରି ନୁହେଁ ସାଙ୍ଗକୁ ୨୦ଟି ବିଦ୍ୟାଳୟ ଓ ୨୫୦ ଶଜ୍ୟା ବିଶିଷ୍ଟ ହସ୍ପିଟାଲ ମଧ୍ୟ ରହିଛି। ସ୍କୁଲ ଓ ହସ୍ପିଟାଲ ମହାଶୟ ଚୁନିଲାଲ ଚାରିଟେବଲ ଟ୍ରଷ୍ଟ ଅଧିନରେ ପରିଚାଳିତ ହେଉଛି।ଏହା ଛଡା ଗରିବଙ୍କ ଲାଗି ମୋବାଇଲ ହସ୍ପିଟାଲ ମଧ୍ୟ ଚଳାଯାଉଛି ଯାହା ପ୍ରତିଦିନ ବିଭିନ୍ନ ବସ୍ତିକୁ ଯାଇ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛି। ଏମଡିଏଚଙ୍କ ଦୁବାଇ ଓ ଲଣ୍ଡନରେ କାର୍ଯ୍ୟାଳୟ ରହିଛି ଏବଂ ବିଶ୍ୱର ୧୦୦ ଟି ଦେଶକୁ ଏବେ ମସଲା ରପ୍ତାନୀ ହେଉଛି। ଏହି ସମସ୍ତ ବ୍ୟବସାୟିକ ପରିଚାଳନା ଧର୍ମପାଲଙ୍କ ପୁଅଙ୍କ ଦ୍ୱାରା ହେଉଥିବା ବେଳେ ୬ ଝିଅ ଆଞ୍ଚଳିକ ବିପଣନ ଦାୟିତ୍ୱ ତୁଲାଉଛନ୍ତି।

{"id":267742,"sizeSlug":"large"}

ଏମଡିଏଚ୍ ତାଙ୍କ ମସଲା ଲାଗି ଉପାଦାନ କର୍ଣ୍ଣାଟକ, ରାଜସ୍ଥାନ, ଆଫଗାନିସ୍ତା ଓ ଇରାନରୁ କଣ୍ଟ୍ରାକ୍ଟ ଫାର୍ମିଂ ଦ୍ୱାରା ସଂଗ୍ରହ କରନ୍ତି ଯାହା ତାଙ୍କ ଯୋଗାଣ ଶୃଙ୍ଖଳାର ସଫଳତାକୁ ଦର୍ଶାଉଛି। ବିଶେଷ କରି ଚଣା ମସଲା ଓ ଚାଟ୍ ମସଲା ଲାଗି  ପ୍ରଶିଦ୍ଧ ଏମଡିଏଚ୍ ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ୬୦ ପ୍ରକାର ମସଲା ରପ୍ତାନୀ କରୁଥିବା ବେଳେ ଏବେ ଏଥିରେ ଜିଆଇ ଟ୍ୟାଗ୍ ପାଇଥିବା ଓଡିଶାର କନ୍ଧମାଳ ଜିଲ୍ଲାର ହଳଦି ନୂଆ ଉତ୍ପାଦ ଭାବେ ସ୍ଥାନ ପାଇବାକୁ ଯାଉଛି। ଏଥି ଲାଗି  ଏମଡିଏଚ୍ ଓଡିଶାରେ ଏକ କାରଖାନା ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଏହା ଦ୍ୱାରା କନ୍ଧମାଳ ଜିଲ୍ଲାର ହଳଦି ଚାଷୀମାନେ ବିଶେଷ ଉପକୃତ  ହେବେ ବୋଲି ଆଶା କରାଯାଉଛି।

{"id":267743,"width":572,"height":507,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.