Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିଙ୍ଗଲ୍ ମଦର୍‌ଙ୍କ ସଂଘର୍ଷ ପୁଅକୁ ଦେଇଥିଲା ପ୍ରେରଣା : ଏହିଭଳି କଷ୍ଟ କରି ୟୁପିଏସ୍‌ସି ପାସ୍ କରି ବିବେକ ହୋଇଛନ୍ତି ଆଇଏଏସ୍

30/06/2020 at 3:51 PM

କାସରଗୋଡ଼ ୩୦/୦୬ : କେରଳ କାସରଗଡ଼ର ଏକ ଛୋଟ ଗାଁ କୁଟ୍ଟୀକୋଲର ବିବେକଙ୍କ ପିଲାଦିନ ସାଧାରଣ ଭାବେ କଟିଥିଲା | ସୁଖ-ସୁବିଧା ତ ଦୂରର କଥା ଆବଶ୍ୟକୀୟ ଜିନିଷ ପାଇଁ ତାଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା | ମାଟି, ନଡା ଛପର ଘରେ ତାଙ୍କ ପିଲାଦିନ ବିତିଛି | ବିଜୁଳି, ପାଣିର ସୁବିଧା ନଥିଲା | ଘରେ ଟଏଲେଟ ମଧ୍ୟ ନଥିଲା | ସେଥିରେପୁଣି ବାପା-ଦାଦା ମଦ ପିଉଥିଲେ | ମଦ ପିଇବାକୁ ବାରଣ କଲେ ସୁଦ୍ଧା ତାଙ୍କ ବାପା ମାନୁନଥିଲେ | ଦେଖିବାକୁ ଗଲେ ଆର୍ଥିକ ସ୍ଥିତି ସଂଘର୍ଷମୟ ଥିଲା | ବିବେକଙ୍କ ଜାତି ଲୋକେ ଥେୟମ ପର୍ବରେ ନିଜ ଶରୀରରେ ଏକ ବିଶେଷ ରଙ୍ଗ ଲଗାଇ ନୃତ୍ୟ କରନ୍ତି | ପର୍ବ ସମୟରେ ଏମାନେ ଖାଲି ପାଦରେ ଅଙ୍ଗାରରେ ମଧ୍ୟ ଚାଲନ୍ତି | କିନ୍ତୁ ଏମାନେ ମଦ ପିଇ ଏହିସବୁ କାମ କରୁଥିଲେ | ଏହି ପର୍ବ ପାଇଁ ବିଶେଷକରି ଏହି ସମ୍ପ୍ରଦାୟର ଲୋକେ ଏକ ବିଶେଷ ମଦ ପିଉଥିଲେ ଯାହା ପରେ ଅଭ୍ୟାସରେ ପରିଣତ ହୋଇଯାଇଥିଲା | ଏହିଭଳି ମାହୋଲରେ କଟିଥିଲା ବିବେକଙ୍କ ଜୀବନ |

ବିବେକଙ୍କ ମା’ ପରିବାରର ଅନ୍ୟ ସଦସ୍ୟଙ୍କ ଠାରୁ ଅଲଗା ଥିଲେ | ସେ ଶିକ୍ଷିତ ଥିଲେ ଏବଂ ଡାକଘରେ କ୍ଲର୍କ ଚାକିରୀ କରୁଥିଲେ | ଘରର ପରିସ୍ଥିତି ସୁଧାରିବାକୁ ସେ ବହୁତ ଚେଷ୍ଟା କରିଥିଲେ | ତ ସତ୍ତ୍ୱେ ଯେତେବେଳେ କିଛି ସୁଧୁରିନଥିଲା ସେ ବିବେକଙ୍କୁ ନେଇ ନିଜ ମା ଘରକୁ ଚାଲି ଯାଇଥିଲେ | ସେଠାରେ ମଧ୍ୟ ଆର୍ଥିକ ସମସ୍ୟା ରହିଥିଲା କିନ୍ତୁ ତାଙ୍କ ମା ଘର ଲୋକ ଶିକ୍ଷିତ ଥିଲେ | ବିବେକ ସେଠାରେ ଏକ ଭଲ ସ୍କୁଲରେ ଆଡ଼ମିସନ ନେଲେ | ଘର ଠାରୁ ସ୍କୁଲ ୨୫ କିମି ଦୂର ଥିଲା | ସ୍କୁଲ ଯିବା ପାଇଁ ତାଙ୍କୁ ପ୍ରତିଦିନ ୫୦ କିମି ଯାତ୍ରା କରିବାକୁ ପଡୁଥିଲା | ସ୍କୁଲରୁ ଘରକୁ ଆସିବା ପରେ ସେ ଘର ସଫା କରିବା ଠାରୁ ଆରମ୍ଭ କରି ବାସନ ମଧ୍ୟ ସଫା କରୁଥିଲେ | ଏଭଳି ସ୍ଥିତିରେ ପଢିବା ପାଇଁ ତାଙ୍କୁ ସମୟ ହେଉନଥିଲା | ଧୀରେ ଧୀରେ ସ୍କୁଲ ଯିବା ବାଟରେ ବସରେ ପଢିବା ଆରମ୍ଭ କରିଥିଲେ |

ଦ୍ୱାଦଶ ପରେ ବିବେକ ଏଆଇଇଇଇ ପରୀକ୍ଷା ପାସ କରିଥିଲେ ଏବଂ ଏନଆଇଟି ତ୍ରିଚିରୁ ଇଞ୍ଜିନିୟରିଙ୍ଗ କରିଥିଲେ | ଇଞ୍ଜିନିୟରିଙ୍ଗ ପରେ ସେ CAT ପରୀକ୍ଷା ପାସ କରି ଆଇଆଇଏମ କୋଲକାତାରୁ ଏମବିଏ କଲେ | ଏହାପରେ ସେ ଚାକିରୀ ପାଇଥିଲେ କିନ୍ତୁ ଚାକିରୀରେ ତାଙ୍କ ମନ ଲାଗୁନଥିଲା | ଶୋସିଓଲୋଜି ପଢିବା ସମୟରେ ସେ ଅନୁଭବ କରିଥିଲେ ଯେ ତାଙ୍କ ବାପାଙ୍କ ମଦ ଅଭ୍ୟାସ ପାଇଁ ସେଠାକାର ସାମାଜିକ ଢାଞ୍ଚା ଦାୟୀ | ଜାତି ପ୍ରତି ଭେଦଭାବ ମଧ୍ୟ ସେ ଦେଖିଥିଲେ | ସେଥିପାଇଁ ସେ ଜାତି ପ୍ରଥାକୁ ନେଇ କିଛି କରିବାକୁ ଚାହୁଁଥିଲେ |

ଚାକିରୀ କରୁଥିବା ସମୟରେ ସେ ୟୁପିଏସସି ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିଲେ | କିନ୍ତୁ ସେ ଭଲ ଭାବେ ପ୍ରସ୍ତୁତ ହୋଇ ପାରୁନଥିଲେ | ସେଥିପାଇଁ ଦେଢ଼ ବର୍ଷ ଚାକିରୀ କରିବା ପରେ ସେ ସମ୍ପୂର୍ଣ ଭାବେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ | ପ୍ରଥମ ପ୍ରୟାସରେ ସେ ବିଫଳ ହୋଇଥିଲେ | ଦ୍ୱିତୀୟ ଥର ପ୍ରି ପରୀକ୍ଷାର ୧୫ ଦିନ ପୂର୍ବରୁ ସେ ଖବର ପାଇଥିଲେ ଯେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଛି | ଏହିଭଳି ମାନସିକ ସ୍ଥିତିରେ ମଧ୍ୟ ସେ ହାର ନ ମାନି ପରୀକ୍ଷା ଦେଇଥିଲେ | ତାଙ୍କୁ ତାଙ୍କର ପରିଶ୍ରମର ଫଳ ମିଳିଥିଲା | ବିବେକ ୬୬୭ ରେଙ୍କରେ ପାସ କରିଥିଲେ | ନିଜ ସଫଳତାର ଶ୍ରେୟ ସେ ନିଜ ମା’ଙ୍କୁ ଦେଇଛନ୍ତି | ତାଙ୍କ ମା ତାଙ୍କୁ ପିଲାଦିନୁ ହିଁ ବୁଝେଇ ଥିଲେ ଯେ ଶିକ୍ଷା ଜୀବନରେ ବହୁତ ମହତ୍ଵପୁର୍ଣ ଏବଂ ଶିକ୍ଷା ହିଁ ମଣିଷର ଜୀବନ ଗଠନ କରିଥାଏ | ମା’ଙ୍କ ଏହି କଥାକୁ ସେ ଗଣ୍ଠି କରି ଆଗେଇ ଚାଲିଲେ |

   Related Posts