ସମ୍ କୋଭିଡ ହସ୍ପିଟାଲ୍ ଡାକ୍ତରଙ୍କ ସଫଳତା: କରୋନା ଓ ଅନ୍ୟ ଦୁଃସାଧ୍ୟ ରୋଗରୁ ସୁସ୍ଥ ହେଲେ ମହିଳା

Published By : Prameya-News7 Bureau | May 22, 2020 IST

ଭୁବନେଶ୍ୱର ୨୨/୦୫: କରୋନା ଏବଂ ଦୁଃସାଧ୍ୟ ବ୍ୟାଧିରୁ ସୁସ୍ଥ ହୋଇ ଘରକୁ ଫେରିଲେ ମହିଳା । ସମ୍ କୋଭିଡ ହସ୍ପିଟାଲର ଡାକ୍ତରମାନଙ୍କ ନିରବିଚ୍ଛିନ୍ନ ସେବା ଓ ଆପ୍ରାଣ ଉଦ୍ୟମ ଫଳରେ ନୂଆ ଜୀବନ ପାଇଛନ୍ତି କରୋନା ତଥା ଏକ ବିରଳ ରୋଗର ଶିକାର ହୋଇଥିବା ଜଣେ ମହିଳା । ୪୦ ବର୍ଷିୟା ଏହି ମହିଳା ଜଣକ ସ୍ଥାନୀୟ ଅନ୍ୟ ଏକ ହସ୍ପିଟାଲରେ କରୋନା ସଂକ୍ରମଣ ନେଇ ଚିହ୍ନଟ ହେବାପରେ ସମ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ।

ହସ୍ପିଟାଲ୍‌କୁ ଆସିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହିତ ତାଙ୍କର ହୃଦ୍‌ସ୍ପନ୍ଦନ ଦ୍ରୁତ, ଶ୍ୱାସ ପ୍ରକ୍ରିୟା ଉଚ୍ଚ ଓ ରକ୍ତ ଚାପ କମ୍ ଥିଲା । ତାଙ୍କ ଶରୀରର ତାପମାତ୍ରା ମଧ୍ୟ ଅଧିକ ରହିଥିବାର ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ସମ୍ କୋଭିଡ ହସ୍ପିଟାଲସ୍‌ର ଚିଫ ନୋଡାଲ ଅଫିସର ଡାକ୍ତର ରାଜେଶ ଲେଙ୍କା। ତେବେ ହସ୍ପିଟାଲର ଅଭିଜ୍ଞ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମଚାରୀ ମାନେ ଆପ୍ରାଣ ଚେଷ୍ଟା କରି ମହିଳା ଜଣଙ୍କର ସ୍ୱାସ୍ଥ୍ୟବସ୍ଥାକୁ ପ୍ରଥମେ ଆଇ.ସି.ୟୁରେ ସ୍ଥିର କରିବାକୁ ଚେଷ୍ଟା କରିଥିଲେ ବୋଲି ଡାକ୍ତର ଲେଙ୍କା କହିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ସମ୍ପୃକ୍ତ ମହିଳା ଜଣଙ୍କର କରୋନା ଚିକିତ୍ସା ଆରମ୍ଭ କରାଯାଇଥିଲା । ଚିକିତ୍ସା ଦ୍ୱାରା ସେ ଧୀରେ ଧୀରେ ସୁସ୍ଥ ମଧ୍ୟ ହେବାକୁ ଲାଗିଥିଲେ।

ତେବେ କରୋନା ନେଇ ଚିକିତ୍ସା ସମୟରେ ସେ ସିଷ୍ଟମିକ ଲୁପସ ଏରିଥେମାଟୋସସ ବା ଲୁପସ ଭଳି ଗୁରୁତର ରୋଗରେ ପୀଡିତ ଥିବା ଜଣାପଡ଼ିଥିଲା ବୋଲି କହିଛନ୍ତି ସମ୍ କୋଭିଡ ହସ୍ପିଟାଲର କ୍ଲିନିକାଲ ମୁଖ୍ୟ ଡାକ୍ତର ସମୀର ସାହୁ । ମହିଳା ଜଣଙ୍କ ୩ ବର୍ଷ ଧରି ଲୁପସ ଭଳି ଗୁରୁତର ରୋଗରେ ପୀଡିତ ଥାଇ ଅନେକ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଯାଇଥିଲେ । ମାତ୍ର ଏହି ରୋଗ ଚିହ୍ନଟ ହୋଇପାରିନଥିଲା । ତେବେ ସେ କରୋନା ସଂକ୍ରମିତ ହୋଇ ସମ୍ କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିବା ସମୟରେ ହିଁ ଡାକ୍ତରମାନେ ଏହି ରୋଗ ଚିହ୍ନଟ କରିଥିଲେ । ଏହି ରୋଗୀଙ୍କର ଚିକିତ୍ସା କରିବା ଏକ ଚ୍ୟାଲେଞ୍ଜ ଥିଲା ବୋଲି ଡାକ୍ତର ସାହୁ କହିଛନ୍ତି । ଏହି ମହିଳାଙ୍କ ଠାରେ ହାଇପୋଥାଇରଏଡ ସମସ୍ୟା ରହିଥିବା ବେଳେ ସେ ଦୀର୍ଘ ୩ ମାସ ଧରି ଜ୍ୱରରେ ପୀଡିତ ଥିଲେ । ତାଙ୍କର ଗଣ୍ଠି ବ୍ୟଥା ଓ ମୁହଁରେ ନାଲି ଦାଗ ରହିଥିଲା ତଥା ମୁଣ୍ଡର ଚୁଟି ଉପୁଡି ଯାଉଥିଲା ବୋଲି ସମ୍ ହସ୍ପିଟାଲର ର‌୍ୟୁମାଟୋଲୋଜିଷ୍ଟ ଓ କ୍ଲିନିକାଲ ଇମ୍ୟୁନୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ର କହିଛନ୍ତି ।

ରୋଗୀ ଜଣକ ଆଇସିୟୁରେ ଥିବାବେଳେ ଉଭୟ ଲୁପସ ଏବଂ କରୋନାର ଚିକିତ୍ସା କରିବା ବେଶ୍ କଷ୍ଟସାଧ୍ୟ ଥିଲା । ଏହି କ୍ଷେତ୍ରରେ ଲୁପସ ଭଳି ରୋଗର ଚିକିତ୍ସା ଲାଗି ଆବଶ୍ୟକୀୟ ଷ୍ଟେରଏଡ ଓ ଇମ୍ୟୁନୋ ସପ୍ରେସାଂଟ ପ୍ରୟୋଗ କରିବା ସହଜସାଧ୍ୟ ନଥିଲା । କାରଣ ଷ୍ଟେରଏଡ ଦେବା ଦ୍ୱାରା କରୋନା ଅଧିକ ବଢ଼ିଯିବାର ଆଶଙ୍କା ରହିଥିଲା । ଲୁପସ ଏକ ରୋଗ ଯାହାକି ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ଅତ୍ୟନ୍ତ କ୍ରିୟାଶୀଳ କରିଦିଏ ଫଳରେ ତାହା ଶରୀରର ସୁସ୍ଥ ଟିସୁ ଗୁଡିକୁ ଆକ୍ରମଣ କରିଥାଏ ।

ତେବେ ଦୁଇଟି ରୋଗର ଚିକିତ୍ସା ଅତି ଯତ୍ନ ଓ ସାବଧାନତାର ସହ ସମାନ୍ତରାଳ ଭାବେ ଆମେ କରିଥିଲୁ ବୋଲି ଡାକ୍ତର ପାତ୍ର କହିଛନ୍ତି । ଦୀର୍ଘ ୧୨ ଦିନର ଚିକିତ୍ସା ପରେ ମହିଳା ଜଣକ କରୋନାରୁ ସୁସ୍ଥ ହେବା ସହ ତାଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା । ସେହିପରି ତାଙ୍କ ପ୍ଲେଟଲେଟ ସ୍ତର ମଧ୍ୟ ୪୦ ହଜାରରୁ ବୃଦ୍ଧି ପାଇ ଏକ ଲକ୍ଷ କୋଡିଏ ହଜାରରେ ପହଂଚିଥିଲା ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ସମ୍ କୋଭିଡ ହସ୍ପିଟାଲର ଉପଦେଷ୍ଟା ତଥା ରେଡିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ଏସ. ଏସ. ମହାପାତ୍ର, କ୍ରିଟିକାଲ କେୟାର ବିଶେଷଜ୍ଞ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରା ଓ ପଲମୋନାରୀ ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ବନାନୀ ଜେନା ମଧ୍ୟ ତାଙ୍କର ଚିକିତ୍ସା କରିଥିଲେ।

ସମ୍ କୋଭିଡ ହସ୍ପିଟାଲର ଡାକ୍ତରୀ ଟିମ ତାଙ୍କ ପ୍ରଚେଷ୍ଟା ବଳରେ ନିକଟରେ ଜଣେ ୮୫ ବର୍ଷିୟା ବୃଦ୍ଧା ଏବଂ ୬୦ ବର୍ଷିୟ ଡାଇବେଟିସ ରୋଗୀଙ୍କୁ କରୋନା ସଂକ୍ରମଣରୁ ସୁସ୍ଥ କରିଛନ୍ତି । ଗତ ମେ ୧୩ ତାରିଖରେ ସେମାନେ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଏବଂ ସମ ହସ୍ପିଟାଲ ପକ୍ଷରୁ ଭୁବନେଶ୍ୱର ସମେତ କେନ୍ଦ୍ରାପଡା ଓ ତାଳଚେରରେ ୩ଟି କୋଭିଡ ହସ୍ପିଟାଲ ସ୍ଥାପନ କରାଯାଇଛି । ୫୨୫ ଶଯ୍ୟା ବିଶିଷ୍ଟ ଭୁବନେଶ୍ୱରସ୍ଥିତ କୋଭିଡ ହସ୍ପିଟାଲ ଦେଶର ଦ୍ୱିତୀୟ ଓ ଓଡ଼ିଶାର ବୃହତମ କୋଭିଡ ହସ୍ପିଟାଲ ଅଟେ । ସେହିପରି କେନ୍ଦ୍ରାପଡାରେ ୧୧୦ ଶଯ୍ୟା ଓ ତାଳଚେରରେ ୧୫୬ ଶଯ୍ୟା ବିଶିଷ୍ଟ ସମ୍ କୋଭିଡ ହସ୍ପିଟାଲ ସ୍ଥାପନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.