ଛତିଶଗଡର ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ବରିଷ୍ଠ ଆଇଏଏସ ସୁବ୍ରତ ସାହୁ
12/01/2021 at 10:43 AM

ଭୁବନେଶ୍ୱର,୧୨/୦୧: ୧୯୯୨ ବ୍ୟାଚ୍ର ବରିଷ୍ଠ ଅଧିକାରୀ ଆଇଏଏସ୍ ଅଧିକାରୀ ସୁବ୍ରତ ସାହୁ ଅତିରିକ୍ତ ଭାବେ ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଭାର ତୁଲାଇବେ। ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ ସ୍ୱାସ୍ଥ୍ୟଗତ କାରଣରୁ ଛୁଟିରେ ଯାଇଥିବାରୁ ତାଙ୍କ ସ୍ଥାନରେ ଶ୍ରୀ ସାହୁଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରି ଉଲ୍ଲେଖ କରାଯାଇଛି ।
ଶ୍ରୀ ସାହୁ ଏବେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ କାର୍ଯ୍ୟାଳୟର ଦାୟିତ୍ୱ ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୃହ ଓ ଜେଲ୍ ପ୍ରଶାସନ, ଶକ୍ତି, ଇଲେକ୍ଟ୍ରୋନିକ୍ସ, ଆଇଟି, ବାଣିଜ୍ୟ ଏବଂ ଶିଳ୍ପ ଆଦି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ସମ୍ପାଦନ କରୁଛନ୍ତି । ଏହା ପୂର୍ବରୁ ସେ ଛତିଶଗଡ଼ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦକ୍ଷତା ଓ ସ୍ୱଚ୍ଛତାର ସହ ନିର୍ବାଚନ ପରିଚାଳନା କରିଥିଲେ । ଏଥିପାଇଁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପୁରସ୍କୃତ ହୋଇଛନ୍ତି ।
ନିଜର ଅନନ୍ୟ ପାରଦର୍ଶିତା ଓ ଉଚ୍ଚକୋଟୀର କାର୍ଯ୍ୟକୁଶଳତା ପାଇଁ ଶ୍ରୀ ସାହୁ ପ୍ରାଶାସନିକ ମହଲରେ ବେଶ ସୁନାମ ଅର୍ଜନ କରିଛନ୍ତି । ସେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁଙ୍କ ସୁପୁତ୍ର ଅଟନ୍ତି ।