ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ଚିକିତ୍ସା କରାଯିବ, ସଂକ୍ରମିତ ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ: ବାଗ୍‌ଚୀ

Published By : Prameya-News7 Bureau | March 16, 2020 IST

ଭୁବନେଶ୍ବର ୧୬।୩ : ଓଡିଶାରେ ପ୍ରଥମ କରୋନା ଆକ୍ରାନ୍ତ ସ୍ପଷ୍ଟ । ଏ ନେଇ ସ୍ପଷ୍ଟ କଲେ ରାଜ୍ୟ ସରକାର । ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରା ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଆଇଇସି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସ୍ପଷ୍ଟ କରିଛନ୍ତି ।  ସେ କହିଛନ୍ତି, ଜଣେ ୩୩ ବର୍ଷିୟ ଯୁବକ କରୋନା ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି ବାଗଚୀ । 

ସଂପୃକ୍ତ ଯୁବକ ଇଟାଲିରେ ଗବେଷଣା କରୁଥିଲେ । ୬ରେ ଦିଲ୍ଲୀରୁ ଫେରି ୧୨ରେ ଭୁବନେଶ୍ବରରେ ପହଞ୍ଚିଥିଲେ । ସେ ଅସୁସ୍ଥ ଅନୁଭବ କରିବାକୁ ୧୩ରେ ଘରୋଇ ଡାକ୍ତରଙ୍କୁ ଦେଖାଇଥିଲେ । ୧୪ରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।  ୧୫ରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ସଂପୃକ୍ତ ଯୁବକଙ୍କ ସଂମ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ଖୋଜା ଚାଲିଛି । ଏହା ସହିତ ଗଣମାଧ୍ୟମକୁ ଦାୟିତ୍ବବାନ ହେବାକୁ ପରାମର୍ଶ ଦେଇଛନ୍ତି ବାଗଚୀ । ସେ କହିଛନ୍ତି, କରୋନା ସମ୍ପର୍କିତ ଖବର ପ୍ରସାରଣ ସମୟରେ ଗଣମାଧ୍ୟମ ଆକ୍ରାନ୍ତ, ସନ୍ଦିଗ୍ଧଙ୍କ ନାମ ଓ ପରିଚୟ ଗୋପନ ରଖୁ। ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ଚିକିତ୍ସା କରାଯିବ, ସଂକ୍ରମିତ ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.