ମୋଦି ସରକାରଙ୍କ ଗୁମର ଖୋଲିଲେ ସୁବ୍ରମଣ୍ୟମ ସ୍ବାମୀ: କହିଲେ ସପକ୍ଷରେ ପରିସଂଖ୍ୟାନ ଦେବା ପାଇଁ ଅଧିକାରୀଙ୍କ ଉପରେ ପଡୁଛି ଚାପ

Published By : Prameya-News7 Bureau | September 08, 2018 IST

ଅହମଦାବାଦ ୮|୯: ନିଜ ଭାବମୂର୍ତ୍ତି ବଜାୟ ରଖିବାପାଇଁ ବିଭିନ୍ନ ପରିସଂଖ୍ୟାନ ନିଜ ସପକ୍ଷରେ ଦେବା ଲାଗି ମୋଦି ସରକାର ଅଧିକାରୀଙ୍କ ଉପରେ ଚାପ ପକାଇଥାନ୍ତି । ଏଭଳି ଏକ ବିସ୍ଫୋରକ ବକ୍ତବ୍ୟ ଦେଇଛନ୍ତି ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ । ନିଜ ଦଳର ପୋଲ ଖୋଲିଆସୁଥିବା ସୁବ୍ରମଣ୍ୟମ କହିଛନ୍ତି ଯେ, ନୋଟବନ୍ଦୀ ଯୋଗୁଁ ଜିଡିପି ଉପରେ କୌଣସି ନକରାତ୍ମକ ପ୍ରଭାବ ପଡିନାହିଁ ବୋଲି ତଥ୍ୟ ପ୍ରସ୍ତୁତ କରିବା ପାଇଁ ରାଷ୍ଟ୍ରୀୟ ପରିସଂଖ୍ୟାନ ସଂଗଠନ ଉପରେ ମୋଦି ସରକାରଙ୍କ ମନ୍ତ୍ରୀମାନେ ଚାପ ପକାଇଥିଲେ । ବିଶେଷତଃ ଜିଡିପି ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ ବୋଲି ଦର୍ଶାଇବା ପାଇଁ କୁହାଯାଇଥିଲା । ଏହାର ଚାକ୍ଷୁସ ପ୍ରମାଣ ସେ ନିଜେ ବୋଲି କହିଛନ୍ତି। ରାଷ୍ଟ୍ରୀୟ ପରିସଂଖ୍ୟାନ ସଂଗଠନ ତାଙ୍କ ପିତା ସ୍ଥାପନ କରିଥିଲେ । ପରିସଂଖ୍ୟାନମନ୍ତ୍ରୀ ସଦାନନ୍ଦ ଗୌଡାଙ୍କ ସହ ସଂପୃକ୍ତ କାର୍ଯ୍ୟାଳୟକୁ ଥରେ ବୁଲି ଯାଇଥିଲେ । ସେଠାରେ ସଦାନନ୍ଦ ଗୌଡ ଉପରୋକ୍ତ ମର୍ମରେ ସଂଗଠନର ଅଧିକାରୀଙ୍କୁ ଡାଟା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ସୁବ୍ରମଣ୍ୟମ ପ୍ରକାଶ କରିଛନ୍ତି। ଏପରିକି ଏ ପ୍ରସଂଗରେ ସେ ନିଜେ ସଂଗଠନର ନିର୍ଦେଶକ ବକୁଳ ସ୍ବାମୀଙ୍କ ସହ କଥା ହୋଇଛନ୍ତି। ତାଙ୍କ ଉପରେ ଚାପ ଥିବା ବକୁଳ ସ୍ବାମୀ ପ୍ରକାଶ କରିଥିଲେ ବୋଲି ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି। ଆଜି ଅହମଦାବାଦଠାରେ ଚାର୍ଟାଡ ଆକାଉଣ୍ଡାଣ୍ଟମାନଙ୍କ ଏକ ସମ୍ମିଳନୀକୁ ସମ୍ବୋଧିତ କଲାବେଳେ ସୁବ୍ରମଣ୍ୟମ ସ୍ବାମୀ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହି କାରଣରୁ ସରକାରଙ୍କ ଡାଟା ଉପରେ ବିଶ୍ବାସ କରିବା ଅନୁଚିତ । ନୋଟବଂଦୀ ଯୋଗୁଁ ଜିଡିପି ଭୀଷଣଭାବେ ପ୍ରଭାବିତ ହୋଇଥିବା ସେ ନିଜେ ଅନୁଭବ କରନ୍ତି । କିନ୍ତୁ ସରକାରୀ ପରିସଂଖ୍ୟାନ କହୁଛି ଭିନ୍ନ କାହାଣୀ। ୨୦୧୯ ନିର୍ବାଚନ ପାଇଁ ଦିଲ୍ଲୀଠାରେ ଚାଲିଥିବା ବିଜେପିର ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ରଣନୀତି ପ୍ରସ୍ତୁତ ହେଉଥିବାବେଳେ ସୁବ୍ରମଣ୍ୟମ ସ୍ବାମୀଙ୍କ ଏହି ବକ୍ତବ୍ୟ ଦଳ ପାଇଁ ଅଡୁଆ ସୃଷ୍ଟି କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.