ଟ୍ରାକ୍ଟର ପରେଡ ହିଂସା ପରେ ସୁବ୍ରମଣ୍ୟମ ସ୍ବାମୀଙ୍କ ବଡ଼ ବୟାନ, କହିଲେ ‘ଦେଶ ସହ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଛବି ଖରାପ ହୋଇଛି’
27/01/2021 at 1:10 PM

ନୂଆଦିଲ୍ଲୀ ୨୭।୦୧: ଗଣତନ୍ତ୍ର ଦିବସ ଅବସରରେ କୃଷକମାନେ ଟ୍ରାକ୍ଟର ରାଲିର ଆୟୋଜନ କରାଯାଇଥିଲା । ଏହି ସମୟରେ ଦିଲ୍ଲୀରେ ବ୍ୟାପକ ପରିମାଣରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ତେବେ ଏହି ହିଂସାକୁ ନେଇ ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ସ୍ୱାମୀ କହିଛନ୍ତି ଯେ, ଏହି ଘଟଣା ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଛବି ଖରାପ ହୋଇଛି । ସାରାବିଶ୍ୱରେ ଭାରତର ଛବି ମଧ୍ୟ ଖରାପ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।
ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ୍ କରି କହିଛନ୍ତି ଯେ, ହିଂସା ଘଟଣା ଦ୍ୱାରା ଦେଶର ଛବି ଖରାପ ହୋଇଛି । ପ୍ରଦର୍ଶନ କରୁଥିବା କୃଷକ ନେତାମାନେ ମଧ୍ୟ ନିଜର ସମ୍ମାନ ହରାଇଛନ୍ତି । ଆନ୍ଦୋଳନ ପଛରେ ବାହାର ଶକ୍ତିଙ୍କର ହାତ ରହିଛି ବୋଲି ମଧ୍ୟ ସ୍ୱାମୀ କହିଛନ୍ତି । ସେହିପରି ପଞ୍ଜାବରେ ଥିବା କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସ୍ୱାମୀ ।
ସୁବ୍ରମଣ୍ୟମ ସ୍ୱାମୀଙ୍କ ବୟାନ ସେହି ସମୟରେ ଆସିଛି । ଯେତେବେଳେ ଗଣତନ୍ତ୍ର ଦିବସ ଉପଲକ୍ଷେ ଚାଷୀଙ୍କ ଦ୍ୱାରା ହୋଇଥିବା ହିଂସାଘଟଣାକୁ ନେଇ ସାରାଦେଶରେ ଆକ୍ରୋଶ ସୃଷ୍ଟି ହୋଇଛି । ଆନ୍ଦୋଳତରତ କୃଷକଙ୍କ ବିରୋଧରେ ଏହି ଆକ୍ରୋଶର ସ୍ୱର ଉଠିଛି । ତେବେ ଏହି ଘଟଣାକୁ ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ବୋଲି ସୂଚନା ରହିଛି ।
୨୬ ଜାନୁଆରୀରେ ଟ୍ରାକ୍ଟର ରାଲି ବେଳେ ହିଂସା ପରେ ଦିଲ୍ଲୀକୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ଦିଲ୍ଲୀ ପୋଲିସ ସମେତ ସିଆର୍ପିଏପ୍ର ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ତେବେ ଏହି ହିଂସାରେ ୩୦୦ରୁ ଅଧିକ ପୋଲିସକର୍ମୀ ଆହତ ହୋଇଥିବା ବେଳେ ଟ୍ରାକ୍ଟର ଓଲଟିବା ଦ୍ୱାରା ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଯାଇଛି । ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ଟି ଏତଲା ରୁଜୁ କରିସାରିଛି ।