କରୋନା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ସୁବ୍ରମଣ୍ୟମ, କହିଲେ ଆର୍ଥିକ ରିଲିଫ୍ ପ୍ୟାକେଜ୍ ଘୋଷଣା ଅତି ଜରୁରୀ
22/03/2020 at 2:50 PM

ନୂଆଦିଲ୍ଲୀ ୨୨।୦୩: ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ଵାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ମହାମାରୀର ରୂପ ନେଇଥିବା କରୋନା ଭାଇରସର ପ୍ରତିରୋଧ ଲାଗି ୧୭ ଦେଶ ଓ ଦୁଇଟି କେନ୍ଦ୍ରୀୟ ବ୍ୟାଙ୍କ ଦ୍ଵାରା ଘୋଷିତ ଉପାୟକୁ ଅବଲମ୍ବନ କରିବାକୁ କହିଛନ୍ତି।
ଚିଠିରେ ସ୍ଵାମୀ କହିଛନ୍ତି ଯେ, ଏହି ସମୟରେ ଆର୍ଥିକ ଆଶ୍ଵସ୍ତି ପ୍ୟାକେଜ୍ ଘୋଷଣା କରିବା ବହୁତ ମହତ୍ଵପୂର୍ଣ୍ଣ ଅଟେ। କାରଣ ଅନ୍ୟ ଦେଶ ମଧ୍ୟ ଦେଖୁଛନ୍ତି ଯେ କରୋନାର ମୁକାବିଲା ଲାଗି ଭାରତ କଣ ପଦକ୍ଷେପ ନେଉଛି। ସମଗ୍ର ବିଶ୍ଵ ମଧ୍ୟ ଭାରତକୁ ଏହି ରୋଗର ମୁକାବିଲା ଲାଗି ଅନୁସରଣ କରୁଛି।
ମାର୍ଚ୍ଚ ୨୦ ତାରିଖରେ ଲେଖା ହୋଇଥିବା ଏହି ଚିଠି ଠିକ୍ ସେହି ସମୟରେ ସାମ୍ନାକୁ ଆସିଛି, ଯେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ କୋଭିଡ୍ -୧୯ର ପ୍ରହାରର ମୁକାବିଲା ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାମରଣଙ୍କ ନେତୃତ୍ଵରେ ଏକ ଆର୍ଥିକ ପ୍ରତିକ୍ରିୟା କାର୍ଯ୍ୟବଳ ଗଠନ କରିବାକୁ ଘୋଷଣା କରିଛନ୍ତି।
ସଂପ୍ରତି ଟାସ୍କ ଫୋର୍ସ ଗଠନ କରାଯିବା ବାକି ରହିଛି। ଏନେଇ ଅର୍ଥ ମନ୍ତ୍ରଣାଳୟ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଅନ୍ୟ ମନ୍ତ୍ରଣାଳୟ ସହିତ ବିଚାର ବିମର୍ଶ କରୁଛନ୍ତି। ଯଦ୍ଵାରା ପର୍ଯ୍ୟଟନ, ସୂକ୍ଷ୍ମ, ଲଘୁ ଓ ମଧ୍ୟ ଉଦ୍ୟୋଗ ସହିତ ଅଧିକ ପ୍ରଭାବିତ କ୍ଷେତ୍ରର ସଙ୍କଟକୁ ଦୂର କରାଯାଇ ପାରିବ।
ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ୩୫୦ ଅତିକ୍ରମ କରିଛି। ଏହି ମାରାତ୍ମକ ରୋଗରେ ଦେଶରେ ମୃତକଙ୍କ ସଂଖ୍ୟା ୬ ଛୁଇଁଛି।