ମଧ୍ୟସ୍ଥି ଲଗାଇ ଅଯୋଧ୍ୟା ବିବାଦର ସମାଧାନ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି : ଆବେଦନକାରୀ ସୁବ୍ରମଣ୍ୟମ୍ ସ୍ବାମୀଙ୍କ ବିରୋଧ

Published By : Prameya-News7 Bureau | March 06, 2019 IST

ନୂଆଦିଲ୍ଲୀ ୬|୩: ଭଦ୍ରଲୋକ ବସି  କରିବେ ଅଯୋଧ୍ୟା ସମସ୍ୟାର ସମାଧାନ । ତାରିଖ ପରେ ତାରିଖ ଗଡ଼ିବା ପରେ ଶେଷରେ ମଧ୍ୟସ୍ଥି ଲଗାଇ ଅଯୋଧ୍ୟା ବିବାଦର ସମାଧାନ କରିବାକୁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି । ତେବେ ମାମଲାରେ ରାୟ ସଂରକ୍ଷିତ ଥିବା ବେଳେ କୋର୍ଟଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ମାମଲାରେ ପୂର୍ଣ୍ଣଛେଦ ପଡ଼ିବକି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେଣୁ ପରବର୍ତ୍ତୀ ତାରିଖରେ ହିଁ ପୂରା ମାମଲା ଉପରୁ ପରଦା ଉଠିବ ।

ଅଦାଲତ ବାହାରେ ଅଯୋଧ୍ୟା ମାମଲାର ସମାଧାନ ହେବ । ମଧ୍ୟସ୍ଥି ବସି ଅଯୋଧ୍ୟା ବିବାଦରେ ଫୁଲଷ୍ଟପ୍ ଲଗାଇବେ । ପାଖାପାଖି ଦେଢ଼ ଘଣ୍ଟାର ଶୁଣାଣି ପରେ ସର୍ବୋଚ୍ଚ ଅଦାଲତ ମାମଲାରେ ରାୟ ସଂରକ୍ଷିତ ରଖିଥିଲେ ମଧ୍ୟ ସବୁ ପକ୍ଷଙ୍କୁ ମଧ୍ୟସ୍ଥିଙ୍କ ନାଁ ମାଗିଛନ୍ତି ।

{"id":91139,"width":577,"height":330}

 ଅଯୋଧ୍ୟା ମାମଲା କେବଳ ଜମି ମାମଲା ନୁହଁ ବରଂ ଲୋକଙ୍କ ଭାବନା ସହ ଜଡ଼ିତ ମାମଲା ବୋଲି କହିଛନ୍ତି ସପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ । ତେଣୁ ସମସ୍ତ ପକ୍ଷ ବସି ଆଲୋଚନା ମାଧ୍ୟମରେ ଏହାର ସମାଧାନ କରନ୍ତୁ ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ତେବେ ଏହାକୁ ଖୁଲମକୁଲା ବିରୋଧ କରିଛନ୍ତି ଆବେଦନକାରୀ ତଥା ବିଜେପି ସାଂସଦ ସୁବ୍ରମଣ୍ୟନ ସ୍ବାମୀ ।

 ଏସବୁ ଭିତରେ ହିନ୍ଦୁ ମହାସଭା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ ମଧ୍ୟ ତିନି ଜଣଙ୍କ ନାଁ ମଧ୍ୟସ୍ଥି ଭାବେ ଦେଇଛି । ଯାହା ମଧ୍ୟରେ ରହିଛନ୍ତି ସୁପ୍ରିମକୋର୍ଟର  ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଓ ଜେ.ଏସ. ଖେଅର ଏବଂ ବିଚାରପତି ଜଷ୍ଟିସ୍ ଏ.କେ. ପଟ୍ଟନାୟକ । ନିର୍ମୋହୀ ଆଖଡ଼ା ଓ ସୁନ୍ନୀ ୱାକଫ୍ ବୋର୍ଡ କିନ୍ତୁ ଅଦାଲତଙ୍କ ରାୟକୁ ସ୍ବାଗତ କରିଛନ୍ତି । ସେହିପରି ରାମ ମନ୍ଦିରକୁ ବାବର ଭାଙ୍ଗି ଦେଇଥିବା ନେଇ ଆବେଦନାକାରୀ ଯେଉଁ ଯୁକ୍ତି ରଖିଥିଲେ, ସେଥିରେ କୌଣସି ପ୍ରକାର ଟିପ୍ପଣୀ ଦେବାକୁ ମଧ୍ୟ କୋର୍ଟ ମନା କରିଦେଇଛନ୍ତି ।

{"id":91140}

 ପୂର୍ବରୁ ୨୦୧୦ ସେପ୍ଟେମ୍ବର ୧୦ରେ ବିବାଦିତ ୨ ଦଶମିକ ୭୭ ଏକର ଜମିକୁ ନିର୍ମୋହୀ ଆଖଡ଼ା, ରାମ ଲଲା ଓ ସୁନ୍ନୀ ୱାକଫ୍ ବୋର୍ଡ ମଧ୍ୟରେ ସମାନ ଭାବରେ ବାଣ୍ଟି ଦେବା ପାଇଁ ରାୟ ଶୁଣାଇଥିଲେ ଆହ୍ଲାବାଦ ହାଇକୋର୍ଟ । ତେବେ  ନିର୍ମୋହୀ ଆଖଡ଼ା ଓ ସୁନ୍ନୀ ୱାକଫ୍ ବୋର୍ଡ ଏଥିରେ ସହମତ ନ ହୋଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମେ ୯, ୨୦୧୧ରେ  ସୁପ୍ରିମକୋର୍ଟ  ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବା ସହ ଅଯୋଧ୍ୟା ମାମଲାରେ ତାରିଖ ପରେ ତାରିଖ ଦେଇ ଚାଲିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.