ବାଣୀବିହାରରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୁବୋଧ ଆଉଥରେ କଲେ ଆତ୍ମହତ୍ୟା ଉଦ୍ୟମ, ମାନସିକ ଚିକିତ୍ସା ବିଭାଗରେ ଭର୍ତ୍ତି
23/11/2019 at 3:19 PM

କଟକ ୨୩।୧୧: ବାଣୀବିହାର ପରିଜା ଲାଇବ୍ରେରୀର ତିନି ମହଲା ଛାତ ଉପରେ ଚଢି ଗତକାଲି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ସୁବୋଧ ବାରିକ ଆଜି ପୁଣି ଥରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗତକାଲି ଆତ୍ମହତ୍ୟା ଉଦ୍ୟମ ପରେ ସୁବୋଧଙ୍କୁ କଟକ ବଡ ମେଡିକାଲର ମାନସିକ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଆଜି ଭୋର ସମୟରେ ସୁବୋଧ ତାଙ୍କ ବେଡ୍ ଉପରେ ଥିବା ସିଲିଂ ଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତେବେ ରୋଗୀମାନଙ୍କର ଆଟେଣ୍ଡାଣ୍ଟ ଓ ହସ୍ପିଟାଲ କର୍ମଚାରୀମାନେ ତୁରନ୍ତ ସୁବୋଧଙ୍କୁ କାବୁ କରି ନେଇଥିଲେ । ସୁବୋଧଙ୍କ ମାନସିକ ଅବସ୍ଥା ଭଲ ନାହିଁ । ତେଣୁ ତାଙ୍କୁ ଆଉ କିଛି ଦିନ ମାନସିକ ବିଭାଗରେ ରଖି ଚିକିତ୍ସା କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ବାଣୀବିହାର ପରିଜା ଲାଇବ୍ରେରୀର ତିନି ମହଲା ଛାତ ଉପରେ ଜଣେ ଯୁବକ ଚଢିଯାଇଥିଲେ । ତିନିମହଲା ଉପରୁ ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ । କୌଣସି ଅଘଟଣକୁ ଆଶଙ୍କା କରି ଅଗ୍ନିଶମ ବାହିନୀ ବିଲ୍ଡିଂ ଚାରିପଟେ ଜାଲ ମଧ୍ୟ ବିଛାଇଥିଲେ ।

ଉଦ୍ଧାରକୀର ଟିମ୍ ଯୁବକଙ୍କ ଉଦ୍ଧାର ପାଇଁ ଉଦ୍ୟମ କରୁଥିବା ସମୟରେ ଯୁବକ ଜଣଙ୍କ ଛାତ ଉପରୁ ଡେଇଁ ପଡିବାର ଧମକ ଦେଉଥିଲେ । ଶେଷରେ ତିନି ଘଣ୍ଟାର ଅପରେସନ ସଫଳ କରିଥିଲା ଅଗ୍ନିଶମ ବାହିନୀ । ତିନି ମହଲା ଛାତ ଉପରେ ଚଢି ଯାଇଥିବା ସୁବୋଧ ବାରିକଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ ।