ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ସୁବାସ ଚୌହାନ

Published By : Prameya-News7 Bureau | March 26, 2019 IST

ଭୁବନେଶ୍ବର ୨୬|୩ : ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ସୁବାଷ ଚୌହାନ । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ବରଗଡ ଲୋକସଭା ଆସନରୁ ସୁବାସ ଚୌହାନ ଆଶାୟୀ ଥିଲେ । ତେବେ ବିଜେପି ତାଙ୍କୁ ଟିକେଟ୍ ନଦେଇ ସେଠାରେ ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି । ଏଥିରେ ଅସନ୍ତୁଷ୍ଟ ହୋଇ ସେ ଦଳ ଛାଡିଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ବରଗଡ ଲୋକସଭା ଟିକେଟ୍ କଟିବା ପରେ ତାଙ୍କୁ ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀ ହେବା ବିଜେପି ପ୍ରସ୍ତାବ ଦେଇଥିଲା । ତେବେ ସୁବାସ ତାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଗତ ୨୦୧୪ ସାଧାରଣ ନିର୍ବାଚନରେ ସୁବାସ ଚୌହାନ ବରଗଡ ଲୋକସଭାରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ତେବେ ବିଜେଡିର ପ୍ରାର୍ଥୀ ପ୍ରଭାସ ସିଂହଙ୍କ ଠାରୁ ସେ ଅତି କମ୍ ଭୋଟ୍ ରେ ପରାସ୍ତ ହୋଇଥିଲେ । ବିଶ୍ବହିନ୍ଦୁ ପରିଷଦ ସହିତ ଦୀର୍ଘଦିନରୁ ଜଡିତ ସୁବାସ ଚୌହାନ ଯଦି ବିଜେପି ଛାଡନ୍ତି ତାହାଲେ ଦଳ ପାଇଁ ଏହା କ୍ଷତିକାରକ ସାବ୍ୟସ୍ତ ହେବ । ବିଜେପି ଛାଡିବା ପରେ ସୁବାସ ଚୌହାନ ସମ୍ଭବତଃ ବିଜେଡି ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମୟୁରଭଞ୍ଜ ଜିଲ୍ଲା ମୋରଡା ଆସନରୁ ବିଜେପି ଟିକେଟ୍ ପାଇଁ ଆଶାୟୀ ଥିବା ରାଜକିଶୋର ଦାସ ଟିକେଟ୍ ନପାଇବା ପରେ ଦଳ ଛାଡି ବିଜେଡିରେ ଯୋଗଦେଇଛନ୍ତି । ରାଜକିଶୋର ଦାସ ମଧ୍ୟ ବିଜେଜିପ ଜଣେ ପୁରୁଣା ଓ ପୁରୁଖା ନେତା ଥିଲେ । ରାଜକିଶୋରଙ୍କ ପରେ ସମାନ ରାସ୍ତାରେ ସୁବାସ ଚୌହାନ ଯାଉଥିବା କୁହାଯାଉଛି । ଟିକେଟ୍ କଟିଥିବା ଯୋଗୁଁ ଅସନ୍ତୁଷ୍ଟ ଥିବା ସୁବାସ ଚୌହାନଙ୍କୁ ମନାଇବା ପାଇଁ ଦୁଇ ଦିନ ତଳେ ତାଙ୍କୁ ରାଜ୍ୟ ଉପସଭାପତି ଭାବେ ବିଜେପି ନିଯୁକ୍ତ କରିଥିଲା । ଏପରିକି ବିଜେପିର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ମଧ୍ୟ ସୁବାସଙ୍କ ନାଁ ରହିଥିଲା । କିନ୍ତୁ ଏସବୁ ସୁବାସଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ଟିକେଟ୍ ନମିଳିବା ଫଳରେ ସୁବାସ ଚୌହାନ ସୋସିଆଲ ମିଡିଆରେ ଦଳୀୟ ନେତୃତ୍ବ ଉପରେ ପ୍ରବଳ ବର୍ଷିବା ସହ ବିଜେପି ତା ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହେଉଛି ବୋଲି କହିଥିଲେ ।

{"id":96979}
{"id":96982,"align":"center"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.