କରୋନାରେ ଚାଲିଗଲେ ସାର୍: ଶିକ୍ଷାବିତ୍‌, ସମାଜସେବୀ ଓ ଜନ ପ୍ରତିନିଧିଙ୍କ ମହଲରେ ଖେଳିଗଲା ଶୋକର ଛାୟା

Published By : Prameya-News7 Bureau | October 18, 2020 IST

ଭୋଗରାଇ ୧୮/୧୦: ରାଜନୀତି ବିଜ୍ଞାନର ପ୍ରାକ୍ତନ ପ୍ରାଧ୍ୟାପକ ସୁବଲ ଚନ୍ଦ୍ର ଦେ (୬୧)ଙ୍କର ଗତକାଲି ମହାମାରୀ କରୋନାରେ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଭୋଗରାଇରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ବହୁ ଶିକ୍ଷାବିତ୍‌, ସମାଜସେବୀ ଓ ଜନ ପ୍ରତିନିଧି ଶୋକ ପ୍ରକାଶ ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଭୋଗରାଇର ହୁଗୁଳି ପଞ୍ଚାୟତ ଅଧୀନ ଗାଜିପୁର ଗାଁର ସ୍ୱର୍ଗତ ଦେ ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନରୁ ରାଜନୀତି ବିଜ୍ଞାନରେ ପ୍ରାଧ୍ୟାପକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ପ୍ରାୟ ୩ବର୍ଷ ପୂର୍ବରୁ ଜଳେଶ୍ୱର ଦୀନକୃଷ୍ଣ ମହାବିଦ୍ୟାଳୟକୁ ବଦଳି ହୋଇଥିଲେ । ଫେବ୍ରୁଆରୀ ୨୯ରେ ସେ ଅବସର ଗ୍ରହଣ କରିଥିଲେ । ପ୍ରାୟ ୧୦ଦିନ ପୂର୍ବରୁ ତାଙ୍କୁ ଜ୍ୱର ହେବାରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ରିପୋର୍ଟରେ କରୋନା ଚିହ୍ନଟ ହେବାରୁ ବାଲେଶ୍ୱର ଜ୍ୟୋତି କୋଭିଡ ହସ୍‌ପିଟାରେ ଚିକିତ୍ସିତ ହେଉଥିଲେ ।

ଶନିବାର ମଧ୍ୟାହ୍ନ ୧୨ଟା ୪୫ରେ ତାଙ୍କର ମୃତ୍ୟୁ ହୋଇଥିଲା । ଧର୍ମପତ୍ନୀ ସବିତା ପ୍ରଧାନ ଏବେ ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନରେ ରାଜନୀତି ବିଜ୍ଞାନରେ ଅଧ୍ୟାପିକା ଭାବେ କାର୍ଯ୍ୟ କରୁଛନ୍ତି। ମୃତ୍ୟୁ ଖବର ପାଇ “ପ୍ରମେୟ’ଉତ୍ତର ଓଡ଼ିଶା ସଂସ୍କରଣର ମୁଖ୍ୟ ସତ୍ୟଶିବ ଦାସ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଣପତି ଗିରି, ହୁଗୁଳି ସରପଞ୍ଚ ତପନ କୁମାର ପଣ୍ଡା, ବାଜିତପୁର ସରପଞ୍ଚ ପରିମଳ ଗିରି, ସାହାବାଜିପୁର ସରପଞ୍ଚ ଗୀତାଞ୍ଜଳି ଗିରି, ଜଳେଶ୍ୱର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ଦେ, ପୂର୍ବତନ କଲେଜ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ଦାସ, କଲେଜ ଅଧ୍ୟକ୍ଷ ସୁଶୀଲ କୁମାର ଗିରି, ଅଧ୍ୟାପକ ଅଚିନ୍ତ କୁମାର ଦାସ, ହରିଶ୍ଚନ୍ଦ୍ର ରାଉତ, ଦିଲ୍ଲୀପ ପାତ୍ର, କେଦାରନାଥ ଦାସ, ମନୋଜ କୁମାର ହୁଇ, ଦୀନକୃଷ୍ଣ ଗିରି, ଜୟଦେବ ମହାନ୍ତି, ଦିଲ୍ଲୀପ ଜେନା, ବିଜୟକେତନ ପଟ୍ଟନାୟକ, ଶିକ୍ଷାବିତ ସନ୍ତୋଷ କୁମାର ପାତ୍ର, ସମାଜସେବୀ ଅନୁପ ଦାସଅଧିକାରୀ, ଗୋଲକ କୁମାର ପ୍ରଧାନ ଏବଂ ତାଙ୍କର ବହୁ ଛାତ୍ରଛାତ୍ରୀ ଶୋକ ପ୍ରକାଶ ସହିତ ଆତ୍ମାର ସଦଗତି କାମନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.