ଅଧ୍ୟୟନ: ମୁଖ ଦନ୍ତ ସ୍ୱାସ୍ଥ୍ୟ ଲାଗି ପିଲା ଦୂରର କଥା ଭାରତରେ ଅଭିଭାବକ ବି ନୁହଁନ୍ତି ସଚେତନ
30/09/2019 at 6:55 PM

ନୂଆଦିଲ୍ଲୀ: ଭାରତରେ ପ୍ରତି ୧୦ ଜଣରୁ ୮ ଜଣ ପିଲା ମୁଖ ସମ୍ବଦ୍ଧିତ ସ୍ୱାସ୍ଥ୍ୟ ସମସ୍ୟାରେ ଗ୍ରସିତ । ନିକଟରେ କେଏନଟିଏଆର ଆଇଏମଆରବି ଜାତୀୟ ସ୍ତରରେ କରିଥିବା ଏକ ଅନୁଧ୍ୟାନରୁ ଏହା ଜଣାପଡିଛି। ତେବେ ସମସ୍ୟା ନେଇ ସେମାନଙ୍କ ଅଭିଭାବକ ଯାହା ଭାବୁଛନ୍ତି ତାହା ବାସ୍ତବିକତାଠାରୁ ଅନେକ ଭିନ୍ନ ବୋଲି ମଧ୍ୟ ଏହି ସର୍ଭେକ୍ଷଣରେ କୁହାଯାଇଛି। ଯାହା ଉପରେ ଏବେ ଗୁରୁତ୍ୱ ଦିଆଯିବା ଜରୁରି ହୋଇପଡିଛି।

ସର୍ଭେକ୍ଷଣରେ ସାମିଲ ପିଲାଙ୍କ ଦାନ୍ତରେ ଧଳା ଚିହ୍ନ, ମାଢି ଫୁଲିବା, ପାଟିରୁ ଦୁର୍ଗନ୍ଧ ବାହାରିବା, ରକ୍ତ ଝରିବା ଆଦି ସମସ୍ୟା ଥିବା ଦେଖାଯାଇଛି। କେବଳ ଏତିକି ନୁହେଁ ୩ଜଣ ପିଲାଙ୍କ ମଧ୍ୟରୁ ୨ ଜଣଙ୍କ ଦାନ୍ତରେ କ୍ୟାବେଟିଜ୍ ହୋଇଥିବା ଅଥବା କ୍ୟାବେଟି ହେବାର ସମ୍ଭାବନା ଥିବାର ବି ଦେଖାଯାଇଛି। ସେହିପରି ସର୍ଭେକ୍ଷଣରୁ ୧୦ ଜଣରେ ୯ ଜଣ ବୟସ୍କଙ୍କ ଓରାଲ ସମସ୍ୟା ଥିବା ଜଣାପଡିଛି। ତେବେ ପିଲାଙ୍କ ମୁଖ୍ୟ ଦନ୍ତ ସମସ୍ୟା ନେଇ ସେମାନଙ୍କ ଅଭିଭାକଙ୍କ ସହ ଆଲୋଚନା କରିବା ବେଳେ ଏ ନେଇ ସେମାନେ ସାମାନ୍ୟତମ ସଚେତନତା ନଥିବା ମଧ୍ୟ ଜଣାପଡିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।

ସର୍ଭେକ୍ଷଣରେ ୧୦ ଜଣ ପିଲାଙ୍କ ମଧ୍ୟରୁ ୯ ଜଣଙ୍କ ଅଭିଭାବକ ସେମାନଙ୍କ ପିଲାର ଦାନ୍ତ ସୁସ୍ଥ ଥିବା କହୁଥିଲେ। ତେବେ ଯାଞ୍ଚ ବେଳେ ପିଲା ଅନୁନ୍ୟ ୮୦ ପ୍ରତିଶତ ସମସ୍ୟା ଗ୍ରସ୍ତ ଥିବା ଜଣାପଡିଥିଲା। ତେବେ ପିଲାଙ୍କ ଦାନ୍ତ ସୁସ୍ଥ ଥିବା ଧାରଣା ରଖୁଥିବା ଲୋକଙ୍କ ମଧ୍ୟରେ କୋଲକାତାର ୯୨ ପ୍ରତିଶତ, ମୁମ୍ବାଇର ୮୮ ପ୍ରତିଶତ ଓ ହାଇଦ୍ରାବାଦର ୮୦ ପ୍ରତିଶତ ଅଭିଭାବକ ଥିବା ଜଣାପଡିଛି। ତେବେ ଅଧ୍ୟୟନରୁ ଗୋଟିଏ କଥା ଜଣାପଡିଛି ପାଟି ଲାଗି ଯେଉଁ ପ୍ରକାର ସତର୍କତା ଅବଲମ୍ବନ କରାଯିବା କଥା ସେ ନେଇ ଅଧିକାଂଶ ଶିଶୁ ଓ ପିଲା ଅଜ୍ଞ ଅଛନ୍ତି। ୭୦ ପ୍ରତିଶତ ପିଲା ଦିନରେ ୨ ଥର ଦାନ୍ତ ଘଷୁନଥିବା ବେଳେ ୬୦ ପ୍ରତିଶତ ପିଲା କେବେ ଦାନ୍ତ ଡାକ୍ତରଙ୍କୁ ଦେଖିନଥିବା ଜଣାପଡିଛି।