ଅନ୍ତିମ ବର୍ଷ ପରୀକ୍ଷା ବନ୍ଦ କରିବାକୁ ସୁପ୍ରିମକୋର୍ଟ ପହଞ୍ଚିଲେ ଛାତ୍ର, ତୁରନ୍ତ ଶୁଣାଣି କରିବାକୁ ଦାବି

Published By : Prameya-News7 Bureau | July 21, 2020 IST

ନୂଆଦିଲ୍ଲୀ ୨୧।୦୭: ଦେଶର ୧୩ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୧୨ରୁ ଉର୍ଦ୍ଧ୍ଵ ବିଶ୍ଵ ବିଦ୍ୟାଳୟର ୩୧ ଛାତ୍ର ଅନ୍ତିମ ବର୍ଷର ପରୀକ୍ଷାକୁ ବାଧ୍ୟତାମୂଳକ କରିବା ୟୁଜିରି ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ଛାତ୍ରାମାନେ ୟୁଜିସିର ଏହି ଆଦେଶ ଉପରେ ତୁରନ୍ତ ପ୍ରଭାବରୁ ରୋକ୍ ଲଗାଇବାକୁ କୋର୍ଟକୁ ଅନୁରୋଧ କରିଛନ୍ତି। ସିବିଏସଇ ଢାଞ୍ଚାରେ ସେମାନଙ୍କର ପାଞ୍ଚ ସେମିଷ୍ଟାରର ପ୍ରଦର୍ଶନ ଓ ମୂଲ୍ୟାଙ୍କନ ଆଧାରରେ ନମ୍ବର ଦେଇ ଜୁଲାଇ ୩୧ ସୁଦ୍ଧା ଡିଗ୍ରୀ ଦେଇ ଦେବାକୁ ଦାବି କରିଛନ୍ତି।

ଏହି ୩୧ ଛାତ୍ରଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ୍। ସୁପ୍ରିମକୋର୍ଟ ଛାତ୍ରଙ୍କ ଆବେଦନ ସ୍ଵୀକାର କରିଛନ୍ତି। ଏହାର ଶୀଘ୍ର ଶୁଣାଣି ହେବ ବୋଲି ଅନୁମାନ କରାଯାଉଛି। ସୁପ୍ରିମକୋର୍ଟରେ ଛାତ୍ରଙ୍କ ପ୍ରତିନିଧିତ୍ଵ କରୁଥିବା ଓକିଲ ଅନୁଶ୍ରା ଶ୍ରୀବାସ୍ତବ ସହାୟ କହିଛନ୍ତି କରୋନା ସଂକ୍ରମଣ ବିପଦ କାରଣରୁ ଛାତ୍ରଙ୍କୁ ସଂପ୍ରତି ଘରୁ ବାହାରିବା କଦାପି ଉଚିତ୍ ନୁହେଁ। ତେଣୁ ସମସ୍ତ ବିଶ୍ଵ ବିଦ୍ୟାଳୟର ସ୍ନାତକ-ସ୍ନାତକତ୍ତୋରର ଅନ୍ତିମ ବର୍ଷ ପରୀକ୍ଷା ବାଧ୍ୟତାମୂଳକ କରିବା ୟୁଜିସିର ନିଷ୍ପତ୍ତି ଭୁଲ୍ ଅଟେ। ଛାତ୍ରଙ୍କ ମଧ୍ୟରୁ ଅଧିକାଂଶ ଗ୍ରୀନ ଜୋନରେ ଅଛନ୍ତି। ଏଠାରେ ଏବେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ବୋଲି ସେ କହିଛନ୍ତି।

କଣ ଥିଲା ୟୁଜିସିର ଦାବି

ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି, ଛାତ୍ରଙ୍କ ଡିଗ୍ରୀ ଉପରେ କରୋନାର ପ୍ରଭାବ ପଡିବା ସେ ଦେଖିବାକୁ ଚାହୁଁ ନାହାନ୍ତି। ଏଥିପାଇଁ ଉଦ୍ୟମ କରାଯାଉଛି ଯେ, କୌଣସି ବି ପରିସ୍ଥିତିରେ ସ୍ନାତକ-ସ୍ନାତକତ୍ତୋର ଛାତ୍ରଙ୍କ ଅନ୍ତିମ ବର୍ଷ ପରୀକ୍ଷା କରାଯାଉ ଏବଂ ତତ୍ ଆଧାରରେ ଡିଗ୍ରୀ ଦିଆଯାଉ।

ୟୁଜିସି ଏହି ଆଧାରରେ ଆଦେଶ ଦେଇ ସମସ୍ତ ବିଶ୍ଵ ବିଦ୍ୟାଳୟକୁ ସେପ୍ଟେମ୍ବର ୩୦ ସୁଦ୍ଧା ଅନ୍ତିମ ବର୍ଷ ପରୀକ୍ଷା ଆୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଥିଲା। ୟୁଜିସି ଏହି ପରୀକ୍ଷା ପୂରା ଅନଲାଇନ୍ ହେଉ କି ଅଫଲାଇନ୍ କିମ୍ବା ଉଭୟ ପନ୍ଥା ଆପଣେଇ ପରୀକ୍ଷା କରାଇବାକୁ ବିଶ୍ଵ ବିଦ୍ୟାଳୟକୁ ଅନୁମତି ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.