ଛାତ୍ର ଏବଂ ଛାତ୍ରୀଙ୍କୁ ଉଲଗ୍ନ କରି ମାଡ ମାରିବା ସହ ଅଶ୍ଳୀଳ ଭିଡିଓ ଉତ୍ତୋଳନ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍
10/08/2019 at 9:48 AM

ଜଳେଶ୍ବର ୧୦|୮: ତାଳସାରୀ ବେଳାଭୂମୀରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଛାତ୍ର ଏବଂ ଛାତ୍ରୀଙ୍କୁ ମାଡ ମାରିବା ସହ ଉଲଗ୍ନ କରି ଅଶ୍ଲୀଳ ଭିଡିଓ ଶୁଟିଂ କରିବା ପରେ ଭାଇରାଲ ହୋଇଛି ଭିଡିଓ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗାଁ ଲୋକ ଥାନାରେ ଅଭିଯୋଗ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର ଅନନ୍ୟ ବେଳାଭୂମୀ ତାଳସାରୀରେ ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି। ବୁଲିବାକୁ ଆସିଥିବା କଲେଜ ଛାତ୍ର ଓ ଛାତ୍ରୀ ବେଳାଭୂମୀରେ ବାଇକ୍ ଚଳାଉଥିବା ନିଶାଶକ୍ତ ଯୁବକମାନଙ୍କ ଦ୍ବାରା ନିର୍ଯ।ତିତ ହୋଇଛନ୍ତି । ସେମାନଙ୍କୁ ୩ ଜଣ ବାଇକ୍ ଚାଳକ ପ୍ରବଳ ମାଡ ମାରିବା ସହ ଜୋରଜବରଦସ୍ତ ଅଶ୍ଳୀଳ ଭିଡିଓ ସୁଟିଂ କରି ତାକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ।

ଅପରପକ୍ଷରେ ଭିଡିଓ ସୁଟିଂ ପରେ ମୋଟା ଅଙ୍କର ଅର୍ଥ ଆଦାୟ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ଯୁବକମାନଙ୍କର ଏଭଳି ଅମାନୁଷିକ କାର୍ଯ୍ୟକଳାପକୁ ସ୍ଥାନୀୟ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଗ୍ରାମରେ ଏକ ବୈଠକ ପରେ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାପାଇଁ ଥାନାରେ ଅଭିଯୋଗ କରିଛନ୍ତି ।

ତେବେ ଗତ ଦୁଇ ମାସ ମଧ୍ୟରେ ୪ଟି ଏଭଳି ଭାଇରାଲ ଭିଡିଓ ଘଟଣା ସାମ୍ନାକୁ ଆସିଲାଣି। ପ୍ରଶ୍ନ ଉଠୁଛି ଏଭଳି ଘଟଣାମାନ ବାରମ୍ବାର ଘଟୁଥିଲେ ମଧ୍ୟ ପ୍ରଶାସନ କରୁଛି କଣ । ତୁରନ୍ତି ଜିଲ୍ଲା ପ୍ରଶାସନ ତାଳସାରୀର ସୁରକ୍ଷା ଦୃଷ୍ଟିରୁ ବେଳାଭୂମୀରେ ବାଇକ୍ ଆରୋହୀଙ୍କ ବ୍ୟବସାୟ ବନ୍ଦ କରି ପର୍ଯ୍ୟଟକଙ୍କୁ ସୁରକ୍ଷା ଯୋଗାଇ ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି । ଆଗକୁ ଯଦି ଏଭଳି ଘଟଣା ହୁଏ ତେବେ ବିଶ୍ବର ଅଦ୍ବିତୀୟ ବେଳାଭୂମୀ ମାନଚିତ୍ରରୁ ତାଳସାରୀ ଉଭେଇ ଯିବ ଏହା ନିଃସନ୍ଦେହ।