ବିଦ୍ୟାର୍ଥୀଙ୍କ ପାଇଁ ଖୁସି ଖବର: ଦ୍ଵୈତ ଡିଗ୍ରି ଦେଇପାରିବେ ଭାରତୀୟ ଶିକ୍ଷାନୁଷ୍ଠାନ, ଡ୍ରାଫ୍ଟ ପ୍ରସ୍ତୁତ କଲା UGC

Published By : Prameya-News7 Bureau | February 21, 2021 IST

ନୂଆଦିଲ୍ଲୀ ୨୧/୦୨:  ଏବେ ଭାରତୀୟ ଛାତ୍ରଛାତ୍ରୀ ଭାରତ ଏବଂ ବିଦେଶର ଉଚ୍ଚ ଶିକ୍ଷାନୁଷ୍ଠାନରୁ ଦ୍ଵୈତ କିମ୍ବା ସଂଯୁକ୍ତ ଡିଗ୍ରି ହାସଲ କରିପାରିବେ। ଏନେଇ ୟୁଜିସି ଯୋଜନା ପ୍ରସ୍ତୁତ କରିଥିବା ବେଳେ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ହୋଇପାରେ। ୟୁଜିସି ଏହା ଉପରେ ମୋହର ଲଗାଇବା ପରେ ଛାତ୍ରଛାତ୍ରୀ ଭାରତୀୟ ଶିକ୍ଷାନୁଷ୍ଠାନରେ ଆଡମିଶନ କରିବା ପରେ ନିଜ କୋର୍ସ କୌଣସି ବିଦେଶୀ ଶିକ୍ଷାନୁଷ୍ଠାନରେ ମଧ୍ୟ କରିପାରିବେ। କିନ୍ତୁ ଡିଗ୍ରି କିମ୍ବା ଡିପ୍ଲୋମା ସାର୍ଟିଫିକେଟ୍‌ ଭାରତୀୟ ଶିକ୍ଷାନୁଷ୍ଠାନ ହିଁ ଦେବେ।

ଏହି ପ୍ରସ୍ତାବ ଅନୁସାରେ ଭାରତୀୟ ଉଚ୍ଚ ଶକ୍ଷାନୁଷ୍ଠାନ କ୍ରେଡିଟ୍‌ ରେକଗ୍‌ନାଇଜେସନ୍‌, କ୍ରେଡିଟ୍‌ ଟ୍ରାନ୍ସଫର ଏବଂ ଦ୍ଵୈତ ଡିଗ୍ରି ପାଇଁ ବିଦେଶୀ ଶିକ୍ଷାନୁଷ୍ଠାନ ସହ ବୁଝାମଣା କରିପାରିବେ । କିନ୍ତୁ ଏହି ନିୟମ ଅନଲାଇନ୍‌ ଏବଂ ଡିଷ୍ଟାନ୍ସ ଲର୍ଣ୍ଣିଂ ଉପରେ ଲାଗୁ ହୋଇପାରିବ ନାହିଁ। ତେବେ ଡବଲ ଡିଗ୍ରି  ପ୍ରାପ୍ତ କରିବା ପାଇଁ ମାପଦଣ୍ଡ ରହିବ।

ଦୈତ କିମ୍ବା ସଂଯୁକ୍ତ ଡିଗ୍ରି ଅଫର କରୁଥିବା ଭାରତୀୟ ଶିକ୍ଷାନୁଷ୍ଠାନକୁ ନ୍ୟାସନାଲ୍‌ ଆସେସ୍‌ମେଣ୍ଟ ଏବଂ ଆକ୍ରିଡେସନ୍‌ କାଉନସିଲ (ନାକ୍‌) ମାନ୍ୟତା ହାସଲ କରିବାକୁ ପଡ଼ିବ । ଏହାସହ ୩.୦୧ ଅଙ୍କ ହାସଲ କରିବାକୁ ହେବ। ଏହା ବ୍ୟତୀତ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁସନ୍‌ ରାଙ୍କିଙ୍ଗ ଫ୍ରେମଓ୍ବାର୍କ(ଏନଆଇଆରଏଫ)​‌ରେ ୧୦୦ ଶୀର୍ଷ ବିଶ୍ବବିଦ୍ୟାଳୟରେ ସାମିଲ ହେବାକୁ ପଡ଼ିବ। ତାପରେ ଏହି ସବୁ ଶିକ୍ଷାନୁଷ୍ଠାନ ବିଦେଶୀ ଶିକ୍ଷାନୁଷ୍ଠାନ ସହ ବୁଝାମଣା କରିବାକୁ ୟୁଜିସି ପାଖରୁ ଅନୁମତି ନେବେ।

ପ୍ରସ୍ତାବିତ ନିୟମ ଅନୁସାରେ ମିଳିତ ଭାବେ ମିଳିବାକୁ ଥିବା ଡିଗ୍ରି କିମ୍ବା ଡିପ୍ଲୋମା ଭାରତୀୟ ଶିକ୍ଷାନୁଷ୍ଠାନ ଦ୍ବାରା ଦିଆଯାଉଥିବା ଡିଗ୍ରି କିମ୍ବା ଡିପ୍ଲୋମା ସହ ସମକକ୍ଷ ହେବ। ତେବେ ବିଦେଶୀ ଏବଂ ଭାରତୀୟ ଶିକ୍ଷାନୁଷ୍ଠାନ ମଧ୍ୟରେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଫ୍ରାଞ୍ଚାଇଜ୍‌ ବ୍ୟବସ୍ଥାକୁ ଅନୁମତି ମିଳିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.