କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ, ଜୋରଦାର ହଙ୍ଗାମା କଲେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ, ୯ ଜଣଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | April 05, 2021 IST

ପାଟନା ୫/୪: ଶିକ୍ଷା କ୍ଷେତ୍ରରେ କରୋନା ଗ୍ରହଣ ଲାଗିଛି। ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ହେଉଥିବା ବେଳେ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ସରକାର ବାଧ୍ୟ ହେଉଛନ୍ତି। କିନ୍ତୁ ଏଥର ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ବିସ୍ଫୋରକ ରୂପ ଧାରଣ କରିଛି। ଏବେ ପାଠ ପଢ଼ିବାରେ ବାଧା ହେଲେ ଚଳିବ ନାହିଁ ବୋଲି ଛାତ୍ରଛାତ୍ରୀ ସଫାସଫା ଶୁଣାଇଛନ୍ତି। ଏମିତି ଏକ ଦୃଶ୍ୟ ବିହାରର ସାସାରାମରେ ଦେଖିବାକୁ ମିଳିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ ଏଠାକାର କୋଚିଂ ସେଣ୍ଟର ବନ୍ଦ କରିବାକୁ ଘୋଷଣା ହେବା ପରେ ଛାତ୍ରଛାତ୍ରୀ ହଙ୍ଗାମା କରିଛନ୍ତି।

ଏହା ସହ କୋଚିଂ ସେଣ୍ଟରକୁ ଭାଙ୍ଗିରୁଜି ଦେଇଥିବା ଜଣାପଡ଼ିଛି। ଏହି ମାମଲାରେ ପୋଲିସ ୯ ଛାତ୍ରଙ୍କୁ ଗିରଫ କରିଛି। ଏସପି ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଥିବା ବେଳେ ଜାଣିଶୁଣି  ବଭିଷ୍ୟତକୁ ଅନ୍ଧାର ନକରିବାକୁ ପରାମର୍ଶ ଦେଇଛନ୍ତି। ସୋବାର ସାସାରାମର ପୋଷ୍ଟ ଅଫିସ ଛକ ଏବଂ ଗୌରକ୍ଷଣୀ ବଜାର ରଣକ୍ଷେତ୍ର ପାଲଟିଥିଲା। କୋଚିଂ ସେଣ୍ଟର ସାମ୍ନାରେ ହଙ୍ଗାମା କରିବା ସହ ଜିଲ୍ଲାପାଳ ଅଫିସରେ ପଶି ଯାତ୍ରୀ ସେଡ୍‌ରେ ନିଆଁ ଲଗାଇଦେଇଥିଲେ ଶହ ଶହ ଛାତ୍ରଛାତ୍ରୀ। ଏହା ସହ ଭଙ୍ଗାରୁଜା ବି କରିଥିଲେ। ଏହି ହିଂସାରେ ସ୍ଥାନୀୟ ଥାନାଧିକାରୀ ନାରାୟଣ ସିଂହଙ୍କ ସମେତ ୩ ପୋଲିସ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି।

ଖୈର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଆୟତ୍ତକୁ ଆଣିଥିଲା। ଉପଦ୍ରବୀ ଛାତ୍ରଛାତ୍ରୀଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଟିୟର ଗ୍ୟାସ୍‌ ମାଡ଼ କରିଥିଲା। ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ କ୍ୟାମ୍ପ କରି ସଜାଗ ହୋଇଛନ୍ତି। ସବୁ ପ୍ରକାର ଗତିବିଧି ଚାଲୁ ରହିଥିବା ବେଳେ କେବଳ କୋଚିଂ ସେଣ୍ଟର ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଉଛି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଛାତ୍ରଛାତ୍ରୀଙ୍କ ହଙ୍ଗାମା ନାଇଁ  ସାସାରାମରେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ସେମାନେ ପଥର ମାଡ କରିବା ଫଳରେ ପୋଲିସ କର୍ମୀଙ୍କ ସହିତ ମିଡିଆ କର୍ମୀ ମଧ୍ୟ ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ରୋହତାସ ଜିଲ୍ଲାପାଳ ଧର୍ମେନ୍ଦ୍ର କୁମାର ଏବଂ ଏସପି ଆଶିଷ ଭାରତୀ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଛନ୍ତି। କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ବିହାର ସରକାର ରାଜ୍ୟର ସମସ୍ତ ସ୍କୁଲ, କଲେଜ୍‌ ଏବଂ କୋଚିଂ ସେଣ୍ଟର ଏପ୍ରିଲ ୧୧ ଯାଏ ବନ୍ଦ ଘୋଷଣା କରିଛନ୍ତି। ଏହା ପରେ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ତୀବ୍ର ହେବା ସହ ସେମାନେ ରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.