ପ୍ରଧାନଶିକ୍ଷକଙ୍କ ସହ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ରାସଲୀଳା : ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ମାଡ ମାରିଲେ ଛାତ୍ରଛାତ୍ରୀ ଓ ଅଭିଭାବକ
2/11/2019 at 11:25 AM

ବାଲେଶ୍ବର ୨।୧୧: ପ୍ରଧାନଶିକ୍ଷକଙ୍କୁ ମାଡ । ହଷ୍ଟେଲ ସୁପରିଟେଣ୍ଡଣ୍ଟଙ୍କ ସହ ଅନୈତିକ ସଂପର୍କ ଥିବାଅଭିଯୋଗ କରି ପ୍ରଧାନଶିକ୍ଷକଙ୍କୁ ମାଡ ମାରିଛନ୍ତି ଅଭିଭାବକ । ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ନେଲେ । ଏପରିକି ଅଭିଭାବକଙ୍କ ରାଗରୁ ସୁପରିଟେଣ୍ଡଣ୍ଟ ମଧ୍ୟ ବର୍ତ୍ତିପାରିନାହାନ୍ତି । ବାଲେଶ୍ବର ସଦର ବ୍ଲକ୍ ହସନପୁର ଆଶ୍ରମ ସ୍କୁଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏପରିକି ପ୍ରଧାନଶିକ୍ଷକଙ୍କ ଅନୈତିକ ସଂପର୍କକୁ ନେଇ ଛାତ୍ରଛାତ୍ରୀ ପରୀକ୍ଷା ମଧ୍ୟ ବର୍ଜନ କରିଛନ୍ତି । ପ୍ରଧାନଶିକ୍ଷକ ଓ ହଷ୍ଟେଲ ସୁପରିଟେଣ୍ଡଣ୍ଟଙ୍କୁ ହଟାଇବାକୁ ଅଭିଭାବକ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ହସନପୁର ଆଶ୍ରମ ସ୍କୁଲ ପ୍ରଧାନଶିକ୍ଷକ ଏବଂ ହଷ୍ଟେଲ ସୁପରିଟେଣ୍ଡଣ୍ଟଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ଘଟଣାକୁ ଛାତ୍ରଛାତ୍ରୀ ନିଜ ଆଖିରେ ଦେଖିଥିବାର ଅଭିଯୋଗ କରିଛନ୍ତି । ଛାତ୍ରୀମାନଙ୍କ କହିବା ଅନୁସାରେ ଗତ ଦୀପାବଳି ସନ୍ଧ୍ୟାରେ ହଷ୍ଟେଲର ଜଣେ ଛାତ୍ରୀଙ୍କର ବାନ୍ତି ହେବାରୁ ସେମାନ ପ୍ରଧାନଶିକ୍ଷକଙ୍କ ନିକଟକୁ ଅଭିଯୋଗ କରିଥିଲେ ।

ମାତ୍ର ପ୍ରଧାନଶିକ୍ଷକ ଓଲଟା ଛାତ୍ରୀମାନଙ୍କ ଉପରେ ରାଗିଥିଲେ । ଛାତ୍ରୀମାନେ କହିଛନ୍ତି ଯେ, ପ୍ରଧାନଶିକ୍ଷକ ସବୁବେଳେ ହଷ୍ଟେଲ ସୁପରିଟେଣ୍ଡଣ୍ଟ ସହ ବ୍ୟସ୍ତ ରୁହନ୍ତି । ସେଦିନ ରାତିରେ ମଧ୍ୟ ପିଲାମାନେ ରାତି ପ୍ରାୟ ୨ଟା ପାଖାପାଖି ହେବ ଦେଖିଥିଲେ ଯେ, ପ୍ରଧାନଶିକ୍ଷକ ସୁପରିଟେଣ୍ଡଣ୍ଟଙ୍କ ରୁମ୍ ରୁ ବାହାରିକି ଆସିଥିଲେ । ଏସବୁ କଥାକୁ ନେଇ ଛାତ୍ରୀମାନେ ଅତିଷ୍ଠ ହୋଇପଡିଥିଲେ ।

ଆଜି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କର ପରୀକ୍ଷା ଥିଲା । ମାତ୍ର ସେମାନେ ପରୀକ୍ଷା ହଲ୍ ରେ ନବସି ସ୍କୁଲ ବାହାରକୁ ଚାଲିଆସିଥିଲେ । ସେମାନେ ଏକଜୁଟ ହୋଇ କହିଥିଲେ ଯେ, ସେମାନେ ସ୍କୁଲରେ ରହିବେନାହିଁ କି ପାଠ ମଧ୍ୟ ପଢିବେନାହିଁ । ଫଳରେ ଛାତ୍ରୀମାନେ ଘରକୁ ଯିବାକୁ ମଧ୍ୟ ବାହାରିଲେ । ଯାହାକୁ ନେଇ ସ୍ଥାନୀୟବାସିନ୍ଦା ମଧ୍ୟ ଉତ୍ତ୍ୟକ୍ତ ହୋଇଉଠିଥିଲେ । ପିଲାମାନଙ୍କ ଅଭିଭାବକ ଘଟଣାସ୍ଥଳରେ ପହଞ୍ଚି ଉଭୟ ପ୍ରଧାନଶିକ୍ଷକ ଏବଂ ସୁପରିଟେଣ୍ଡଣ୍ଟଙ୍କୁ ମାଡ ମାରିବା ସହ ଘୋଷାଡି ଘୋଷାଡି ନେଇଥିଲେ । ପ୍ରଧାନଶିକ୍ଷକ ଓ ହଷ୍ଟେଲ ସୁପରିଟେଣ୍ଡଣ୍ଟଙ୍କୁ ହଟାଇବାକୁ ଦାବି କରିଛନ୍ତି ।

ଘଟଣାସ୍ଥଳରେ ବାଲେଶ୍ବର ଡିଡବ୍ଲୁଓ ପହଞ୍ଚି ପିଲାମାନଙ୍କ ସହ ସେମାନଙ୍କ ଅଭିଭାବକଙ୍କୁ ବୁଝାସୁଝା କରିଥିଲେ । ଛାତ୍ରଛାତ୍ରୀମାନଙ୍କ କବଳରୁ ଉଭୟ ପ୍ରଧାନଶିକ୍ଷକ ଏବଂ ସୁପରିଟେଣ୍ଡଣ୍ଟଙ୍କୁ ଉଦ୍ଧାର କରିଛନ୍ତି । ଉଭୟଙ୍କୁ ବଦଳି କରାଯିବା ପ୍ରତିଶ୍ରୁତି ଦେବା ପରେ ଘଟଣା ଶାନ୍ତ ପଡିଥିଲା । ତାପରେ ଛାତ୍ରଛାତ୍ରୀମାନେ ଶ୍ରେଣୀ ଗୃହକୁ ଯାଇଥିବା ।