ଶାହିନବାଗ୍ ଶିଶୁ ମୃତ୍ୟୁ ପ୍ରସଙ୍ଗରେ CJIଙ୍କୁ ଡନ ବସ୍କୋ ସ୍କୁଲ ଛାତ୍ରୀଙ୍କ ଚିଠି, ଜାଣନ୍ତୁ ଲେଖିଛନ୍ତି କ’ଣ ?
6/02/2020 at 5:19 PM

ମାଟୁଙ୍ଗା ୬।୨: ଦିଲ୍ଲୀ ଶାହିନ ବାଗ୍ରେ ଏକ ୪ମାସ ଶିଶୁର ମୃତ୍ୟୁ ଘଟଣାକୁ ସମ୍ବିଧାନର ‘ ରାଇଟ୍ ଟୁ ଲାଇଫ’ ଉଲ୍ଲଂଘନ ବୋଲି କହିଛନ୍ତି ଜନୈକା ୧୨ ବର୍ଷ ବୟସ୍କା ଛାତ୍ରୀ ଝେନ ଗୁଣରତନ ସଦାବତାର। ଏ ନେଇ ସେ ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ.ଏ. ବୋବଡେଙ୍କୁ ଚିଠି ଲେଖିଥିବା ବେଳେ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ ସ୍ଥଳକୁ ଶିଶୁଙ୍କୁ ଅନୁମତି ନଦେବା ଲାଗି ଅଭିଭାବକଙ୍କ ଉପରେ କଟକଣା ଜାରି ନିମନ୍ତେ ନିବେଦନ କରିଛନ୍ତି। ମୁମ୍ବାଇ ମାଟୁଙ୍ଗାସ୍ଥିତ ଡନ ବୋସ୍କୋ ସ୍କୁଲର ସପ୍ତମ ଶ୍ରେଣୀର ଏହି ଛାତ୍ରୀ ନିକଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଶିଶୁ ଶାହସିକତା ସମ୍ମାନରେ ସମ୍ବର୍ଦ୍ଧତି ହୋଇଛନ୍ତି।

ନାଗରିକ ସଂଶୋଧିତ ଆଇନ (ସିଏଏ) ବିରୋଧରେ ଗତ ୨ ମାସ ହେଲା ଶାହିନ ବାଗରେ ଲୋକେ ନିୟମିତ ବିକ୍ଷୋଭ ଜାରି ରଖିଛନ୍ତି। ଏଥିରେ ୪ ମାସ ବୟସ୍କ ମହମ୍ମଦ ଜାହାନ ମଧ୍ୟ ତା ଅଭିଭାବକଙ୍କ ସହ ସାମିଲ ହେଉଥିଲା। ଅଭିଭାବକ ସବୁଦିନ ଶିଶୁକୁ ଧରି ବିରୋଧ ସ୍ଥଳକୁ ଆସୁଥିଲେ। ସେଠାରେ ପିଲାଟିକୁ ସମସ୍ତେ ବେଶ ଆଦର କରୁଥିଲେ। ହେଲେ ଦିଲ୍ଲୀର ପାଗ ସମ୍ଭଳି ପାରିଲାନି ଶିଶୁଟି। ଗତ ଜାନୁୟାରୀ ୩୦ ତାରିଖ ଦିନ ବିକ୍ଷୋଭ ସ୍ଥଳରେ ଶେଷଥର ଶିଶୁ ମୁହଁରେ ହସ ଦେଖିଥିଲେ ଲୋକେ। ଅତ୍ୟାଧିକ ଥଣ୍ଡାରେ ଶିଶୁଟିର ମୃତ୍ୟୁ ହୋଇଥିଲା।

ତେବେ ଶିଶୁର ମୃତ୍ୟୁ ଯୋଗୁ ତାର ଅଭିଭାକ ବିକ୍ଷୋଭ ବନ୍ଦ କରିବେ ନାହିଁ ବୋଲି ଗଣମାଧ୍ୟମକୁ କହିଥିଲେ। ବରଂ ସେମାନେ ଚଳାଇଥିବା ସଂଗ୍ରାମ ଲାଗି ଯଦି ତାଙ୍କର ଆଉ ପିଲାଙ୍କ ଆବଶ୍ୟକତା ପଡେ ସେମାନଙ୍କୁ ବଳିଦେବାକୁ ବି ପ୍ରସ୍ତୁତ ବୋଲି କହିଥିଲେ। ଯାହା ଛାତ୍ରୀର ମନକୁ ଆନ୍ଦୋଳିତ କରିଛି। ଏଣୁ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ ସ୍ଥଳକୁ ଶିଶୁଙ୍କୁ ନନେବାଲାଗି ଅଭିଭାବକଙ୍କ ଉପରେ କଟକଣା ଲାଗୁ କରିବାକୁ ନିବେଦନ କରିଛନ୍ତି ଛାତ୍ରୀ। ସେହିପରି ମହମ୍ମଦ ଜାହାନର ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେବାକୁ ବି ଛାତ୍ରୀ ସିଜେଆଇଙ୍କୁ ପତ୍ରରେ ନିବେଦନ କରିଥିବା ଜଣାପଡିଛି।

ତାର ଅଭିଭାବକ ବିକ୍ଷୋବରେ ଯୋଗଦେବାକୁ ସବୁଦିନ ଶିଶୁକୁ ଧରି ଶାହିନ ବାଗକୁ ଆସୁଥିଲେ। ଏଣୁ ଶିଶୁଟି କ୍ଷେତ୍ରରେ ସମ୍ବିଧାନର ଧାରା ୨୧ ‘ରାଇଟ ଟୁଲାଇଫ’ର ଘୋର ଉଲ୍ଲଂଘନ ହୋଇଥିବା ଝେନ ଅଭିଯୋଗ କରିଛି। ସେହିପରି ପ୍ରସଙ୍ଗରେ ପୋଲିସର ନିଷ୍କ୍ରିୟତାକୁ ନେଇ ମଧ୍ୟ ଝେନ ତାଙ୍କ ପତ୍ରରେ ପ୍ରଶ୍ନ ଉଠାଇଛନ୍ତି। ପିଲାଙ୍କୁ ଧରିଆସୁଥିବା ଅଭିଭାବକଙ୍କୁ ଦେଖି ମଧ୍ୟ ପୋଲିସ ସେଠାରେ ସେମାନଙ୍କୁ ବାରଣ କରୁନଥିଲା କିପରି ବୋଲି ଛାତ୍ରୀ ତାଙ୍କ ପତ୍ରରେ ପ୍ରଶ୍ନ କରିଛନ୍ତି। ତେବେ ଛାତ୍ରୀଙ୍କ ଅଭିଭାବକ ସେ ଶାହିନ ବାଗ ବିକ୍ଷୋଭକୁ ବିରୋଧ କରୁନଥିବା ବରଂ ଶିଶୁଙ୍କ ଯନ୍ତ୍ରଣାକୁ ଦର୍ଶାଇଥିବା କହିଛନ୍ତି।