PUBG ପାଇଁ ପ୍ରଥମ ମୃତ୍ୟୁ ! ବ୍ୟାନ୍ ଅନ୍ଲାଇନ୍ ଗେମ୍ ଖେଳି ନପାରିବାରୁ ଆତ୍ମହତ୍ୟା କଲେ ଯୁବକ, କବାଟ ଭାଙ୍ଗି ବାହାର କରାଗଲା ମୃତଦେହ
6/09/2020 at 9:21 PM

କୋଲକାତା ୦୬/୦୯: PUBG ପ୍ରେମରେ ବାୟା ଥିଲେ ଭାରତୀୟ ଯୁବପୀଢ଼ି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ବୁଧବାର ୧୧୮ଟି ଚାଇନିଜ୍ ଆପ ବ୍ୟାନ୍ କରାଯାଇଛି । ଯେଉଁ ଲିଷ୍ଟରେ ସାମିଲ ରହିଛି ଯୁବପୀଢ଼ିଙ୍କ ପ୍ରଥମ ପସନ୍ଦ ଗେମିଂ ଆପ୍ ପବ୍ଜି । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି କିଛି ପିଲା । ପବ୍ଜି ନଖେଳିପାରିବା ଦୁଃଖରେ ୨୧ ବର୍ଷୀୟ ଯୁବକ ଆତ୍ମହତ୍ୟା କରିବା ଘଟଣା ଦେଶରେ ଚହଳ ପକାଇଛି ।
ଏଭଳି ଏକ ଘଟଣା ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ଅନ୍ତର୍ଗତ ପୂର୍ବ ଲାଲପୁର ଅଞ୍ଚଳରେ ଘଟିଛି । ୨୧ ବର୍ଷୀୟ ଛାତ୍ର ପ୍ରୀତମ ହଳଧର ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସକାଳ ଜଳଖିଆ ସାରି ପ୍ରୀତମ ନିଜ ରୁମକୁ ଯାଇଥିଲେ। ଦ୍ବିପ୍ରହର ଖାଇବା ପାଇଁ ତାଙ୍କୁ ଡାକିବାରୁ ସେ କବାଟ ଖୋଲି ନଥିଲେ ବୋଲି ପ୍ରୀମଙ୍କ ମା ରତ୍ନା କହିଛନ୍ତି ।
ପଡ଼ୋଶୀଙ୍କୁ ଡାକି କବାଟ ଭାଙ୍ଗିବାରୁ ପ୍ରୀତମଙ୍କ ମୃତଶରୀର ଫ୍ୟାନ୍ରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ପ୍ରୀତମ ପବ୍ଜି ବ୍ୟାନକୁ ନେଇ ନାରାଜ ଥିଲେ ବୋଲି ତାଙ୍କ ମା’ ରତ୍ନା ପୋଲିସକୁ କହିଛନ୍ତି ।
ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ପବ୍ଜି ପାଇଁ ପ୍ରୀତମ ଆତ୍ମହତ୍ୟା କରିଥିବା କହିଛି । ପ୍ରୀତମଙ୍କ ବାପା ବିଶ୍ବଜିତ ହଳଧର ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ହୋଇଥିବା ବେଳେ ମା ଜଣେ ଘରଣୀ। ପ୍ରୀତମଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି।