Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାମାନ୍ୟ ମୋବାଇଲଟିଏ ପାଇଁ ଅଧ୍ୟାପକଙ୍କୁ ହତ୍ୟା କଲା ପୂର୍ବତନ ଛାତ୍ର, ଜାଣନ୍ତୁ ଛାତିଥରା ଏଇ ପୂରା ଘଟଣା

13/09/2019 at 5:15 PM

ସମ୍ବଲପୁର (ନୀଳାଚଳ ମହାପାତ୍ର) ୧୩|୯: ଘଟଣାର ୮ଦିନ ପରେ ଖୋଲିଲା ସମ୍ବଲପୁରରେ ଅଧ୍ୟାପକଙ୍କୁ ହତ୍ୟାର ଗୁମର । ମୋବାଇଲ୍‌ ପାଇଁ ଗୁରୁଙ୍କୁ ହତ୍ୟା କରିଥିଲା ଛାତ୍ର ।  ପୋଲିସ ଅଧ୍ୟାପକଙ୍କ ମୋବାଇଲକୁ ଟ୍ରାକ୍‌ କରି ଅଭିଯୁକ୍ତକୁ ଧରି କୋର୍ଟ ଚାଲାଣ କରିଛି । ଗୁରୁଦିବସରେ ଯେଉଁଠି ଅନ୍ୟ ଛାତ୍ରମାନେ ନିଜ ନିଜ ଗୁରୁଙ୍କୁ ପୂଜା କରି ଆଶୀର୍ବାଦ ନେଉଥିଲେ, ସେଇ ଦିନରେ ଜଣେ ଛାତ୍ର ସାଧାରଣ ମୋବାଇଲ୍‌ ଫୋନଟିଏ ପାଇଁ ତା’ର ଗୁରୁଙ୍କୁ ହତ୍ୟା କରିବା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି ।

୮ଦିନ ପରେ ଖୋଲିଲା ଅଧ୍ୟାପକ ହତ୍ୟାର ଗୁମର । ମୋବାଇଲ୍‌ ପାଇଁ ଗୁରୁଙ୍କୁ ହତ୍ୟା କରିଥିଲା ଛାତ୍ର । ସମ୍ବଲପୁର ମୁରା କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ହୃଦାନନ୍ଦ ପ୍ରଧାନଙ୍କ ହତ୍ୟା ଘଟଣା ଉପରୁ ପରଦା ହଟାଇଛି ପୋଲିସ । ଗୁରୁଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଛି ସାର୍‌ଙ୍କ ପ୍ରିୟ ଛାତ୍ର ରାଜୁ ଓରଫ ଦୁଃଖନାଶନ ବାଗ୍‌ । ମୋବାଇଲ୍‌ ଲୁଟ୍‌ ଉଦେଶ୍ୟରେ ଗୁରୁଦିବସ ଦିନ ରାତିରେ ଗୁରୁଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଛି ଅଭିଯୁକ୍ତ ।

ଏବେ ଟିକେ ଘଟଣାର ଫ୍ଲାସ୍‌ବ୍ୟାକ୍‌କୁ ଯିବା । ମୁରା କଲେଜରେ ପ୍ଲସ୍‌ଟୁ ପଢ଼ିଥିବା ରାଜୁ ।  ହୃଦାନନ୍ଦ ସାର୍‌ଙ୍କ ଥିଲା ପ୍ରିୟ ଛାତ୍ର । ୨୦୧୮ରେ ପଢ଼ା ଛାଡ଼ି ରାଜୁ ଲଖନପୁରରେ ଥିବା କୋଇଲା ଖଣିରେ ଯାଇ କାମ କରୁଥିଲା । ନୂଆଁଖାଇ ପାଇଁ ଘରକୁ ଆସିଥିବା ବେଳେ ଗଲା ସେପ୍ଟେମ୍ବର ୫ରେ ସାର୍‌ଙ୍କ ପାଖକୁ ଆସିଥିଲା ରାଜୁ । ଏକ ଇନସ୍ୟୁରାନ୍‌ ପଲିସି ବିଷୟରେ ତାଙ୍କ ସହ ଆଲୋଚନା କରିଥିଲା ।

ଏହା ପରେ ସେହି ଦିନ ରାତିରେ ଅଧ୍ୟାପକ ହୃଦାନନ୍ଦ ମଧ୍ୟ ରାଜୁର ଘରକୁ ଯାଇ ତା’ର ବାପା ମାଆଙ୍କ ସହ ଇନସ୍ୟୁରାନ୍‌ସ୍‌ ପଲିସି ବିଷୟରେ କଥା ହୋଇଥିଲେ । ରାତି ୮ଟା ବେଳକୁ ଉଭୟ ଗୁରୁ ଶିଷ୍ୟ ଫେରିଥିଲେ ଅଧ୍ୟାପକ ରହୁଥିବା ମୁରା ହାଇସ୍କୁଲ ପରିସରରେ ଥିବା ଘରକୁ । ସାର୍‌ ଏକ ନୂଆ ମୋବାଇଲ୍‌ ଫୋନ୍‌ ଆଣିଥିବାରୁ ସେଥିରେ ଫେସ୍‌ବୁକ୍‌, ହ୍ବାଟସ୍‌ ଆପ୍‌ ଲୋଡ଼ କରିବାକୁ ରାଜୁକୁ କହିଥିଲେ ।

ନୂଆ ମୋବାଇଲ୍‌ ଦେଖି ରାଜୁର ଲୋଭ ହୋଇଥିଲା । ଆଉ ଅଧ୍ୟାପକ ଖାଇବାକୁ ବସିଥିବା ବେଳେ କରେଣ୍ଟ ନଥିବାର ସୁଯୋଗ ନେଇ ରାଜୁ,  ସାର୍‌ଙ୍କ ପଛପଟୁ ମୁଣ୍ଡକୁ ଠେଙ୍ଗାରେ ପିଟି ହତ୍ୟା କରିଥିଲା । ପରେ ହିଟର ଉପରେ ସାର୍‌ଙ୍କ ଗୋଡ଼କୁ ରଖି ବାହାରପଟୁ ତାଲା ପକାଇ ପଳାଇଯାଇଥିଲା । ଯିବା ବେଳେ ସାଥୀରେ ନୂଆ ମୋବାଇଲ୍‌ ସହ ବାକ୍ସରେ ଥିବା ୪୦ହଜାର ଟଙ୍କା ମଧ୍ୟ ନେଇଯାଇଥିଲା ।

ପୋଲିସ ଅଧ୍ୟାପକଙ୍କ ମୋବାଇଲକୁ ଟ୍ରାକ୍‌ କରି ଅଭିଯୁକ୍ତକୁ ଧରିବା ସହ ତାକୁ ଆଜି କୋର୍ଟ ଚାଲାଣ କରିଛି । ଗୁରୁଦିବସରେ ଯେଉଁଠି ଅନ୍ୟ ଛାତ୍ରମାନେ ଗୁରୁଙ୍କୁ ପୂଜା କରି ଆଶୀର୍ବାଦ ନେଉଥିଲେ, ସେଇ ଦିନରେ ଜଣେ ଛାତ୍ର ସାଧାରଣ ମୋବାଇଲ୍‌ ପାଇଁ ତା’ର ଗୁରୁଙ୍କୁ ହତ୍ୟା କରିବା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି ।  

   Related Posts