୧୧ ଦିନ ଗଛ ଉପରେ ରହିଲା କରୋନା ଆକ୍ରାନ୍ତ ଛାତ୍ର, ହୋମ୍ ଆଇସୋଲେସନ୍ ପାଇଁ ଜାଗା ନ ମିଳିବାରୁ ଗଛ ହେଲା ସାହାରା

Published By : Prameya-News7 Bureau | May 17, 2021 IST

ହାଇଦ୍ରାବାଦ, ୧୭/୦୫ ସାରା ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ହଜାର ହଜାର ସଂକ୍ରମିତ କରୋନାରେ ଜୀବନ ହାରୁଛନ୍ତି । ଏହାମଧ୍ୟରେ ଆଇସୋଲେସନ ଓ କ୍ୱାରେଣ୍ଟାଇନରେ ମଧ୍ୟ ସଂକ୍ରମିତଙ୍କୁ ରଖାଯାଉଛି । ବାହାର ରାଜ୍ୟରୁ କେହି ଫେରିଲେ ସେମାନଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍ କରାଯାଉଛି । ଏହାମଧ୍ୟରେ ତେଲେଙ୍ଗାନାରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଛାତ୍ର ଦୀର୍ଘ ୧୧ ଦିନ ହେଲା ଗଛରେ ଆଇସୋଲେସନରେ ରହିଛନ୍ତି ।

ସୂଚନା ଅନୁସାରେ, ତେଲେଙ୍ଗାନାର ନାଲାଗୋଣ୍ଡା ଜିଲ୍ଲାରେ ରୁହନ୍ତି ଶିବା । ୧୮ ବର୍ଷ ବୟସର ଏହି କଲେଜ ପଢୁଆ ଛାତ୍ରଜଣଙ୍କ କରୋନା ସଂକ୍ରମିତ ହୋଇଥିଲେ । ମେ ୪ ତାରିଖରେ ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ତାଙ୍କ ଅଞ୍ଚଳରେ କୌଣସି କରୋନା କେୟାର ବା କୋଭିଡ୍ କେୟାର ସେଣ୍ଟର ନଥିଲା । ତେଣୁ ସେ ହୋମ୍ ଆଇସୋଲେସନରେ ରହିବାକୁ ବିଚାର କରିଥିଲେ । କିନ୍ତୁ ତାଙ୍କ ଘରରେ ଆବଶ୍ୟକୀୟ କୋଠରୀ ନଥିଲା । ଘରେ ମାତ୍ର୨ଟି କୋଠରୀ ଥିଲା । ଗୋଟିଏ ଶୋଇବା ଘର ଓ ରୋଷେଇଶାଳା । ଅର୍ଥାତ ସ୍ୱତନ୍ତ୍ର କୋଠରୀ ନଥିଲା । ତେଣୁ ସେ ଗଛ ଉପରେ ହିଁ ଆଇସୋଲେସନରେ ରହିବାକୁ ନିଷ୍ପତ୍ତି ନେଇଥିଲେ ।  

{"id":453547,"sizeSlug":"large","linkDestination":"none"}

ଗଛର ଡାଳକୁ ସେ ସୁନ୍ଦର ଭାବେ ଶଯ୍ୟାରେ ପରିଣତ କରିଥିଲେ । ଡାଳରେ ବାଉଁଶ ବାନ୍ଧିବା ସହ ଜରି ମଧ୍ୟ ଲଗାଇଥିଲେ । ଏପରି କରି ସେ ପ୍ରାୟ ୧୧ ଦିନ ହେବ ଏଠାରେ ରହି ଆସୁଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ଶିବା ଯେଉଁ ଗାଁରେ ରୁହନ୍ତି ତାହା ହେଉଛି ନାଲାଗୋଣ୍ଡା ଜିଲ୍ଲାର କୋଥାନାଣ୍ଡିକୋଣ୍ଡା ।ଏହି ଗାଁରେ ପ୍ରାୟ ୩୫୦ ପରିବାର ରୁହନ୍ତି । ତାଙ୍କ ଗାଁଠାରୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଦୂରତା ହେଉଛି ୫ କିମି । କିନ୍ତୁ ଭଲ ଚିକିତ୍ସା ସେବା ପାଇବାକୁ ହେଲେ ୩୦ କିମି ଦୂରରେ ଥିବା ବଡ ଡାକ୍ତରଖାନାକୁ ଯିବାକୁ ପଡେ । ତେବେ ଶିବାଙ୍କ ଘରେ ରହିବା ଖବର ପରେ ପ୍ରଶାସନ ପକ୍ଷରୁ ଗାଁରେ ଥିବା ଏକ ହଷ୍ଟେଲରେ କ୍ୱାରେଣ୍ଟାଇନ ସେଣ୍ଟରର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.