Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଠ ପଢିବା ପାଇଁ ବାଜି ଲାଗୁଛି ଜୀବନ : ଯାତାୟତ ପାଇଁ ସାହାରା ପାଲଟିଛି ନଡିଆଗଛ ଗଣ୍ଡି, କେନାଲକୁ ଖସି ଅନେକ ହେଉଛନ୍ତି ଆହତ

2/09/2019 at 4:30 PM

ସମ୍ବଲପୁର ୨୯: ପାଠ ପଢ଼ିବା ପାଇଁ ବାଜି ଲାଗୁଛି ଜୀବନ । ନଡ଼ିଆଗଛ ଗଣ୍ଡି ପାଲଟିଛି ପୋଲ । ତାରି ଉପର ଦେଇ ଅତି ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଛାତ୍ରଛାତ୍ରୀ  । ଯାତାୟତ ସମୟରେ ଅନେକ ପିଲା ପୋଲରୁ କେନାଲକୁ ଖସିପଡ଼ି ଆହତ ବି ହୋଇଛନ୍ତି । ସମ୍ବଲପୁର ମାନେଶ୍ବର ଖୁଲିଆ ଗାଁରୁ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଭବିଷ୍ୟତ ଗଢ଼ିବାକୁ ବାଜିରେ ଜୀବନ । କାଦୁଅ ପଚ ପଚ ରାସ୍ତାରେ ଚାଲି ପିଲାଏ ପ୍ରତିଦିନ ଏଇ କେନାଲ ନିକଟରେ ପହଞ୍ଚନ୍ତି । ଏଠି ନଡ଼ିଆ ଗଛ ଗଣ୍ଡି ପାଲଟିଛି ପୋଲ । ଆଉ ଏଇ ଗଛ ଗଣ୍ଡିରେ ପାଦ ପକେଇ କେନାଲ ପାର ହୁଅନ୍ତି ଛାତ୍ରଛାତ୍ରୀ । ସମ୍ବଲପୁର ମାନେଶ୍ବରର ତବଲା ଓ ଖୁଲିଆଟ୍ରିକା ଗାଁ ପିଲାଙ୍କ ସମସ୍ୟା କହିଲେ ନସରେ । 

ଏହି ପୋଲ ଉପରୁ ଜଣେ ଗର୍ଭବତୀ ଖସି ପଡ଼ି ପ୍ରାଣ ହରାଇଛନ୍ତି । ଦୁଇ ଜଣ ଛାତ୍ର ବି ଭାସିଯାଇଥିଲେ । ବର୍ଷା ଦିନେ କେତେ ଗାଇ ଗୋରୁ କେନାଲରେ ପଡ଼ି ଭାସିଯାଆନ୍ତି । ଏଇ ପୋଲ ପାର ହେଇ ଖୁଲିଆଟ୍ରିକା ବାସିନ୍ଦା ସମ୍ବଲପୁର ସହରକୁ ଯାଇଥାଆନ୍ତି ବିଭିନ୍ନ କାମରେ । ଏତେ ଅଘଟଣ, ସମସ୍ୟା ପରେ ବି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନାହିଁ ।

ଗତ ସାଧାରଣ ନିର୍ବାଚନ ସମୟରେ, ଏହି ଗାଁରେ ରାଜନେତାଙ୍କ ଭିଡ ଲାଗିଥିଲା। ଲୋକଙ୍କ ସେହି ପୁରୁଣା ଦାବି, କେନାଳ ଉପରେ ସ୍ଥାୟୀ ପୋଲଟିଏ ନିର୍ମାଣ କରାଯାଉ। ଭୋଟ ସାଉଁଟିବାକୁ ପରଦିନ  ୨ଲକ୍ଷ ୫ହଜାର ଟଙ୍କାର ଫଳକ ଟିଏ ଏଠି ପୋତିଦେଇ ନଡିଆ ବାଡେଇଦେଲେ ରାଜନେତା ।

ଆଉ ନିର୍ବାଚନ ସରିଲା ପରେ କାହାର ଦେଖା ନାହିଁ । ଭଗବାନଙ୍କ ଭରସାରେ ନଡ଼ିଆ ଗଛ ଗଣ୍ଡି ଉପରେ ଯାତାୟତ କରୁଛନ୍ତି କୋମଳମତି ଛାତ୍ରଛାତ୍ରୀ ଏବଂ ଲୋକେ । ପ୍ରଶାସନ ଚିରାଚରିତ ପ୍ରତିକ୍ରିୟା ରଖିଛି ।

ବିକାଶ ବିକାଶ ବୋଲି ଚିତ୍କାର କରୁଛନ୍ତି ସରକାର । ହେଲେ କୁଲିଆଟ୍ରିକା ଲୋକଙ୍କ ସମସ୍ୟା ଦେଖିଲେ ଜଣାପଡ଼ୁଛି କେତେ ବିକାଶ ହୋଇଛି ।

   Related Posts