ଆମେରିକାରୁ ଛୁଟି କଟାଇବାକୁ ଆସିଥିବା ଛାତ୍ରର ସଡ଼କ ଦୁର୍ଘଟଣାରେ ମୃତ୍ୟୁ
25/12/2018 at 12:06 PM

ରାଞ୍ଚି ୨୫/୧୨: ଆମେରିକାରେ ଏମବିବିଏସ୍ କରୁଥିବା ଅଂଶୁମାନ ସିହ୍ନାଙ୍କ ରବିବାର ବିଳମ୍ବିତ ରାତି ୧:୨୦ରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣା ଡିବଡିହ ପୋଲ ପାଖରେ ହୋଇଛି। ଅଂଶୁମାନ ହିନୁ ସ୍ଥିତ କିଲବର୍ଣ୍ଣ କଲୋନୀରେ ରହୁଥିଲେ।
ଅଂଶୁମାନ ହରମୁ ସ୍ଥିତ ତାଙ୍କ ଜନ୍ମଦିନ ପାର୍ଟିରୁ ବଡ଼ଭାଇ ସୂୟଶଙ୍କ ସହ କାରରେ ଘରକୁ ଫେରୁଥିଲେ। ସୂୟଶ ଗାଡ଼ି ଚଲାଉଥିଲେ। ଅଂଶୁମାନ ପାଖ ସିଟରେ ବସିଥିଲେ। ପୋଲ ପାଖରେ ହଠାତ୍ ଗାଡ଼ି ସାମନାରେ ଏକ କୁକୁର ପଶି ଆସିଲା। କୁକୁରଟିକୁ ବଞ୍ଚାଇବାକୁ ଯାଇ ଗାଡ଼ି ଅନିୟନ୍ତ୍ରିତ ହୋଇ ରାସ୍ତା କଡ଼ରେ ପୋଲରେ ଧକ୍କା ହେଲା। ଏହା ପରେ ଗଛରେ ଧକ୍କା ଖାଇଥିଲା। କାରର ସମ୍ମୁଖ ଭାଗ ପୂରାପୂରି କ୍ଷତିଗ୍ରସ୍ତ ହୋଇଥିଲା। ଅଂଶୁମାନର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତାଙ୍କ ବଡ଼ଭାଇ ସୂୟଶ ଗୁରୁତର ଭାବେ ଆହତ ହୋଇଥିଲେ। ସୂୟଶ ମେଡିକାରେ ଚିକିତ୍ସିତ ହେଉଛନ୍ତି।
ଅଂଶୁମାନଙ୍କ ସବା ବଡ଼ଭାଇ ଅଭିଷେକଙ୍କ କହିବା ଅନୁସାରେ ଅଂଶୁମାନ ଡିସେମ୍ବର ୧୮ତାରିଖରେ ୧୦ଦିନ ଛୁଟିରେ ଘରକୁ ଆସିଥିଲେ। ୪ଭଉଣୀ ଏବଂ ୨ଭାଇ ମଧ୍ୟରୁ ଅଂଶୁମାନ ସବୁଠୁ ସାନ ଥିଲେ। ବାପା ଅଜୟ ସିହ୍ନାଙ୍କ ବିୟର ଫ୍ୟାକ୍ଟ୍ରି ସହ ଅନ୍ୟାନ୍ୟ ବ୍ୟବସାୟ ଥିଲା।
ଅଂଶୁମାନ ପାର୍ଟି ଯିବା ପୂର୍ବରୁ ମାଆଙ୍କୁ ଶୀଘ୍ର ଫେରିବେ ବୋଲି କହି ବାହାରିଥିଲେ। ତାଙ୍କ ମାଆ ସେ ପେରିବା ବାଟକୁ ଚାହିଁ ବସିଥିଲେ କିନ୍ତୁ ବିଳମ୍ବିତ ରାତ୍ରିରେ ତାଙ୍କ ମୃତ୍ୟୁ ଖବର ଆସିଥିଲା। ମୃତ୍ୟୁ ଖବର ଶୁଣି ପୂରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲା। ସେମାନେ ବୁଝିପାରୁ ନଥିଲେ ଯେ ଏହା କିପରି ଘଟିଲା। ଅଂଶୁମାନଙ୍କ ମାଆ ଏଯାଏଁ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ତାଙ୍କୁ ଲାଗୁଛି ଯେ ତାଙ୍କ ପୁଅ ତାଙ୍କ ପାଖକୁ ଫେରି ଆସିବ।