ଛାତ୍ରୀଙ୍କ ପ୍ରଶ୍ନବାଣରେ ଘାଇଲା ହେଲେ ରାକେଶ ଟିକାୟତ, ଜବାବ ନଦେଇ ମାଇକ୍‌ ବନ୍ଦ କରାଇଦେଲେ

Published By : Prameya-News7 Bureau | March 06, 2021 IST

ଝଜର ୦୬/୦୩: ନୂଆ କୃଷି ଆଇନ୍‌କୁ ନେଇ କେନ୍ଦ୍ର ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ୧୦୦ ଦିନ ପୂରିସାରିଛି। ସରକାର ଏବଂ କୃଷକଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିଲେ ହେଁ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ। ସେପଟେ କୃଷକଙ୍କ ବିରୋଧ ପ୍ରଦର୍ଶନ ଯୋଗୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହାରି ଭିତରେ ହରିୟାଣାର ଝଜର ଜିଲ୍ଳାରେ ଢ଼ାଂସା ବର୍ଡରରେ ଚାଲିଥିବା କୃଷକ ଆନ୍ଦୋଳନରେ ଜଣେ ଛାତ୍ରୀ ଚାଷୀ ନେତା ରାକେଶ ଟିକାୟତଙ୍କୁ ପଚାରିଥିବା ପ୍ରଶ୍ନ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି।

କୃଷକ ଆନ୍ଦୋଳନ ସମୟରେ ଜଣେ ଛାତ୍ରୀ ଚାଷୀ ନେତା ରାକେଶ ଟିକାୟତଙ୍କୁ ପ୍ରଶ୍ନ ପଚାରି ଚୁପ କରାଇଦେଇଛନ୍ତି। ଛାତ୍ରୀଙ୍କ ପ୍ରଶ୍ନରେ ଜବାବ ଦେଇପାରିନଥିଲେ ରାକେଶ ଟିକାୟତ। ଏହାପରେ ସେଠାରେ ହଙ୍ଗାମା ହୋଇଥିଲା। ଜବରଦସ୍ତି ଛାତ୍ରଙ୍କ ମାଇକ୍‌ ବନ୍ଦ କରିଦିଆଯାଇଥଲା। ମଞ୍ଚରେ ପହଞ୍ଚି ଛାତ୍ରୀ ପ୍ରଶ୍ନ କରିଥିଲେ, ‘କୃଷି ଆଇନ୍‌ ପାଇଁ କଣ ସବୁ କ୍ଷତି ହେବ ରାକେଶ ଟିକାୟତ କହିଲେ। ଦାବି ପୂରଣ ନହେବା ଯାଏ କୃଷକ ପଛକୁ ହଟିବେନି ବୋଲି କହିଲେ।’

ଏହା ସହ ସେ ଆହୁରି କହିଥିଲେ, ‘ମୁଁ ପଚାରିବାକୁ ଚାହୁଁଛି ଯଦି କୌଣସି ପରିସ୍ଥିତିରେ କୃଷକ କିମ୍ବା ସରକାର ଏକ ପ୍ରତିଶତ ବା ୦.୨୫ ପ୍ରତିଶତ ପଛକୁ ନହଟନ୍ତି ତେବେ ସମାଧାନ କେମିତି ହେବ। ଏହି ଉତ୍ତର ସମସ୍ତଙ୍କୁ ଦରକାର। ଏହା ଦ୍ବାରା ଯୁବକ ଏବଂ କୃଷକଙ୍କ ଚିନ୍ତା ଦୂର ହୋଇପାରିବ।’

ଏହା ସହ ୨୬ ଜାନୁଆରୀରେ ଲାଲକିଲ୍ଲା ହିଂସାକୁ ନେଇ ଛାତ୍ରୀ ଜଣଙ୍କ ପ୍ରଶ୍ନ ପଚାରିଥିଲେ। ସେଦିନ ହୋଇଥିବା ହିଂସାରେ ଯଦି ପ୍ରଦର୍ଶନକାରୀ ସାମିଲ ନଥିଲେ, ସରକାର ସାମିଲ ନଥିଲେ ତେବେ ଦାୟୀ କିଏ ବୋଲି ଚାଷୀ ନେତା ରାକେଶ ଟିକାୟତଙ୍କୁ ଛାତ୍ରୀ ଜଣଙ୍କ ପଚାରିଥିଲେ। ଏହା ପରେ ଛାତ୍ରୀଙ୍କ ପାଖରୁ ମାଇକ୍ରୋ ଫୋନ ଫେରାଇ ଆଣିବାକୁ କୁହାଯାଇଥିଲା। ଏହା ସହ ତାଙ୍କ ମାଇକ୍‌ରେ ସାଉଣ୍ଡ କମ୍‌ କରାଯାଇଥିଲା।

ସୂଚନାଯୋଗ୍ୟ, ଶୁକ୍ରବାର ଚାଷୀ ନେତା ରାକେଶ ଟିକାୟତ ଝଜରରେ କୃଷକ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏଠାରେ ବିନୋଦ ଗୁଲିଆଙ୍କ ଅଧ୍ୟକ୍ଷତାରେ ଚାଷୀ ଆନ୍ଦୋଳନ ଚାଲିଥିଲା। ମଞ୍ଚରେ ପହଞ୍ଚିବା ପରେ ଛାତ୍ରୀଙ୍କୁ ପ୍ରଶ୍ନ କରିବାକୁ ମାଇକ୍‌ ଦିଆଯାଇଥିଲା। ଯେମିତି ସେ ପ୍ରଶ୍ନ କରିବା ଆରମ୍ଭ କଲେ ମାହୋଲ ଗରମ ହୋଇଥିଲା। ପରେ କେତେ ଜଣ କୃଷକ ଏବଂ ମହିଳା ଛାତ୍ରୀଙ୍କୁ ବୁଝାବାକୁ ପ୍ରଚେଷ୍ଟା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.