ସାର୍ ଆଉ ମାଡାମଙ୍କ ଭିତରେ ଅନୈତିକ ସମ୍ପର୍କ ! ହେଲେ ଗାଁ ଲୋକେ ପିଲାଙ୍କୁ ଉସୁକାଇ କାହିଁକି ଆଇନ ହାତକୁ ନେଲେ…
2/11/2019 at 6:01 PM

ବାଲେଶ୍ବର ୨|୧୧: ବାଲେଶ୍ବର ଜିଲ୍ଲା ସହଦର ବ୍ଲକ ହସନପୁର ଆଶ୍ରମ ସ୍କୁଲରେ ଆଜି ଗୋଟେ ଅଭାବନୀୟ ଘଟଣା ସାମ୍ନାକୁ ଆସିଲା । ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ହଷ୍ଟେଲ ସୁପରିନ୍ଟେଣ୍ଡେଣ୍ଟ୍ ମାଡାମ୍ଙ୍କ ଭିତରେ ଅନୈତିକ ସମ୍ପର୍କ ଥିବା ଅଭିଯୋଗ କରି ପିଲାମାନେ ସେମାନଙ୍କୁ ବଦଳି ଦାବିରେ ଅଡ଼ି ବସିଥିଲେ । ଏମିତିକି କିଛି ଗ୍ରାମବାସୀ ମଧ୍ୟ ସ୍କୁଲ ପରିସରରେ ପଶି ସଂପୃକ୍ତ ପ୍ରଧାନଶିକ୍ଷକ ଓ ସୁପରିନ୍ଟେଣ୍ଡେଣ୍ଟ୍ ମାଡାମ୍ଙ୍କୁ ଟଣାଓଟରା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ବାଲେଶ୍ବର ଜିଲ୍ଲା ମଙ୍ଗଳ ଅଧିକାରୀ ।

ପିଲା ଅଭିଯୋଗ କଲେ । ଗାଁ ଲୋକେ ତାତିଲେ । ଆଉ ସ୍କୁଲ ପରିସରରେ ଆରମ୍ଭ ହୋଇଗଲା ପାଲା । ପରୀକ୍ଷା ନଦେଇ ଉଠିଆସିଲେ ପିଲା । ସ୍କୁଲର ପ୍ରଧାନ ଶିକ୍ଷକ ଓ ହଷ୍ଟେଲ ସୁପରିନ୍ଟେଣ୍ଡଣ୍ଟ୍ ମାଡାମଙ୍କୁ କିଛି ଲୋକ ଧରି ରାସ୍ତାରେ ଜୋର୍ ଜବରଦସ୍ତ ଘୋଷାରି ନେଲେ । ଶନିବାର ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା ବାଲେଶ୍ବର ଜିଲ୍ଲା ସହଦର ବ୍ଲକ ହସନପୁର ଆଶ୍ରମ ସ୍କୁଲରେ । ସ୍କୁଲ ଛାତ୍ରୀ ଓ ଗାଁ ଲୋକଙ୍କ ଅଭିଯୋଗ ସ୍କୁଲର ପ୍ରଧାନ ଶିକ୍ଷକ ଓ ହଷ୍ଟେଲ ସୁପରିନ୍ଟେଣ୍ଡଣ୍ଟ୍ ମାଡାମଙ୍କ ଭିତରେ ଅନୈତିକ ସମ୍ପର୍କ ଅଛି । ସ୍କୁଲ ପରିସରରେ ସେମାନଙ୍କ ଆଚରଣ ସ୍କୁଲ ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଉଛି । ସେମାନଙ୍କୁ ଏଠାରୁ ତୁରନ୍ତ ବଦଳି କରାଯାଉ ।

ଅଭିଯୋଗ ପରେ ଗାଁର କିଛି ଲୋକ ଯେମିତି ଉଗ୍ର ହୋଇଉଠିଥିଲେ । ଉଭୟ ଶିକ୍ଷକଙ୍କୁ ରାସ୍ତାରେ ଘୋଷାଡ଼ିବା ସହ ସେମାନଙ୍କୁ ମାଡ଼ ମାରିବାକୁ ପଛାଇନଥିଲେ । ଅବସ୍ଥା ଏମିତି ହୋଇଥିଲା ଯେ, ହଷ୍ଟେଲ ସୁପରିନ୍ଟେଣ୍ଡଣ୍ଟ୍ ମାଡାମ ବାରମ୍ବାର ଚେତାଶୂନ୍ୟ ହୋଇପଡ଼ୁଥିଲେ । ଉଭୟଙ୍କୁ ସ୍କୁଲରେ ତାଲା ପକାଇ ରଖିବାର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ବାଲେଶ୍ବର ଜିଲ୍ଲା ମଙ୍ଗଳ ଅଧିକାରୀ । ଆଉ ସମସ୍ତଙ୍କୁ ବୁଝାସୁଝା କରି ଉଭୟ ଶିକ୍ଷକଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ତେବେ ନିଜ ବିରୋଧରେ ଆସିଥିବା ଅଭିଯୋଗ ମିଛ ବୋଲି କହୁଛନ୍ତି ପ୍ରଧାନଶିକ୍ଷକ ।

ଏଠି ପ୍ରଧାନଶିକ୍ଷକ ଓ ହେଷ୍ଟେଲ ସୁପରିନ୍ଟେଣ୍ଡେଣ୍ଟ୍ ମାଡାମଙ୍କ ଭିତରେ ଯଦି କୌଣସି ଅନୈତିକ ସମ୍ପର୍କ ଥିବାର ପିଲାମାନେ ଅଭିଯୋଗ କଲେ, କିମ୍ବା ଗାଁ ଲୋକେ ଏ ବାବଦରେ ଜାଣିଲେ, ତାହେଲେ ଘଟଣା ସମ୍ପର୍କରେ ଶିକ୍ଷା ବିଭାଗର ବଡ଼ ଅଧିକାରୀଙ୍କୁ କିମ୍ବା ପୋଲିସକୁ ଜଣାଇବାର ଥିଲା । ତାହା ନକରି ସେମାନେ ଆଇନକୁ ହାତକୁ ନେଲେ କିପରି ? ଛୋଟ ଛୋଟ ପିଲାଙ୍କୁ ଉସ୍କାଇ ସେମାନଙ୍କ ବିରୋଧରେ କହିବାକୁ ବାଧ୍ୟ କରିବା କେତେ ଦୂର ଠିକ୍ ? ଏଭଳି ଗୋଟେ ପରିସ୍ଥିତି ସୃଷ୍ଟି ହେଲା ଯେ, ପିଲାମାନେ ପରୀକ୍ଷା ଦେଇପାରିଲେ ନାହିଁ । ଏଥି ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନହେବ କାହିଁକି ? ତେବେ ଗାଁ ଲୋକଙ୍କ କବଳରୁ ଉଦ୍ଧାର ପରେ ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ହଷ୍ଟେଲ ସୁପରିନ୍ଟେଣ୍ଡେଣ୍ଟ୍ ମାଡାମ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣାଯାଇ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି ।
