ଟେଷ୍ଟରେ ୫୦୦ ଓ୍ଵିକେଟ୍ ନେବାରେ ଦୁନିଆର ୭ମ ବୋଲର ହେଲେ ଷ୍ଟୁଆର୍ଟ ବ୍ରଡ, ଆଣ୍ଡରସନ କ୍ଲବରେ ସାମିଲ

Published By : Prameya-News7 Bureau | July 28, 2020 IST

ମାଞ୍ଚେଷ୍ଟର ୨୮।୦୭: ଇଂଲଣ୍ଡ କ୍ରିକେଟ୍ ଦଳର ତାରକା ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମାଞ୍ଚେଷ୍ଟର ଟେଷ୍ଟର ପଞ୍ଚମ ତଥା ଅନ୍ତିମ ଦିନରେ ବହୁତ ବଡ ଉପଲବ୍ଧି ହାସଲ କରିଛନ୍ତି। ବ୍ରଡ ଟେଷ୍ଟ କ୍ୟାରିୟରରେ ୫୦୦ ଓ୍ଵିକେଟ୍ ନେବାରେ ଦୁନିଆର ସପ୍ତମ ବୋଲର ହେବାର ସଫଳତା ହାସଲ କରିଛନ୍ତି। କେବଳ ଏତିକି  ନୁହେଁ ଷ୍ଟୁଆର୍ଟ ବ୍ରଡ ଇଂଲଣ୍ଡ କ୍ରିକେଟ୍‌ ଇତିହାସରେ ୫୦୦ ଓ୍ଵିକେଟ୍‌ ନେବାରେ ଦ୍ଵିତୀୟ ବୋଲର ହୋଇଛନ୍ତି।

ଷ୍ଟୁଆର୍ଟ ବ୍ରଡଙ୍କ ପୂର୍ବରୁ ଇଂଲଣ୍ଡର ଜେମ୍ସ ଆଣ୍ଡରସନ ଏହି ସଫଳତା ହାସଲ କରି ସାରିଛନ୍ତି। ୨୦୧୭ରେ ଆଣ୍ଡରସନ ମଧ୍ୟ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ୫୦୦ ଟେଷ୍ଟ ଓ୍ଵିକେଟ୍‌ ନେବାର ରେକର୍ଡ ନିଜ ନାମରେ କରିଥିଲେ। ଷ୍ଟୁଆର୍ଟ ବ୍ରଡ ମାଞ୍ଚେଷ୍ଟର ଟେଷ୍ଟର ପଞ୍ଚମ ଦିନ ତଥା ଶେଷ ଦିନରେ ଓ୍ଵେଷ୍ଟଇଣ୍ଡିଜର କ୍ରେଗ ବ୍ରେଥଓ୍ଵେଟ୍‌ଙ୍କୁ ଆଉଟ୍‌ କରି ଟେଷ୍ଟ କ୍ରିକେଟ୍‌ରେ ୫୦୦ ଓ୍ଵିକେଟ୍ ପୂରଣ କରିଛନ୍ତି।

ଷ୍ଟୁଆର୍ଟ ବ୍ରଡଙ୍କ ପୂର୍ବରୁ ମୁଥେୟା ମୁରଲୀଧରଣ(୮୦୦ ଓ୍ଵିକେଟ୍), ସେନ ଓ୍ଵାର୍ଣ୍ଣ(୭୦୮), ଅନିଲ କୁମ୍ବଲେ(୬୧୯), ଜେମ୍ସ ଆଣ୍ଡରସନ(୫୮୯), ଗ୍ଲେନ ମ୍ୟାକଗ୍ରା(୫୬୩) ଓ କର୍ଟନୀ ଓ୍ଵାଲ୍ସ(୫୧୯) ସଫଳତା  ହାସଲ କରିଛନ୍ତି। ଉଲ୍ଲେଖନୀୟ ଓ୍ଵେଷ୍ଟଇଣ୍ଡିଜକର ବରିଷ୍ଠ ବୋଲର କର୍ଟନି ଓ୍ଵାଲ୍ସ ଟେଷ୍ଟ କ୍ରିକେଟ୍‌ରେ ୫୦୦ ଓ୍ଵିକେଟ୍ ନେବାରେ ପ୍ରଥମ ବୋଲର ଥିଲେ।

ଟେଷ୍ଟରେ ୫୦୦ରୁ ଅଧିକ ଓ୍ଵିକେଟ୍ ନେଇଥିବା ବୋଲର

୧ – ମୁଥେୟା ମୁରଲୀଧରଣ(ଶ୍ରୀଲଙ୍କା)- ୮୦୦ ଓ୍ଵିକେଟ୍

୨ – ସେନ ଓ୍ଵାର୍ଣ୍ଣ(ଅଷ୍ଟ୍ରେଲିଆ)- ୭୦୮ ଓ୍ଵିକେଟ୍

୩ – ଅନିଲ କୁମ୍ବଲେ(ଭାରତ)- ୬୧୯ ଓ୍ଵିକେଟ୍

୪ – ଜେମ୍ସ ଆଣ୍ଡରସନ(ଇଂଲଣ୍ଡ)- ୫୮୯

୫ – ଗ୍ଲେନ ମ୍ୟାକଗ୍ରା(ଅଷ୍ଟ୍ରେଲିଆ)- ୫୬୩

୬ – କର୍ଟନି ଓ୍ଵାଲ୍ସ(ଓ୍ଵେଷ୍ଟଇଣ୍ଡିଜ)- ୫୧୯ ଓ୍ଵିକେଟ୍

୭ – ଷ୍ଟ୍ରୁଆର୍ଟ ବ୍ରଡ(ଇଂଲଣ୍ଡ)- ୫୦୦* ଓ୍ଵିକେଟ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.