ମଡେଲଙ୍କ ସହ ବସି ୩ ବନ୍ଧୁ ମଦ ପିଇଲେ, ଦୁଇଜଣ ହୁକା ପାଇଁ କୋଇଲା ଆଣିବାକୁ ଯାଇଥିବାବେଳେ ଅନ୍ୟ ଜଣେ ବନ୍ଧୁକ ଦେଖାଇ କଲା ଦୁଷ୍କର୍ମ

Published By : Prameya-News7 Bureau | November 11, 2018 IST

ଚଣ୍ଡୀଗଡ଼ ସେକ୍ଟର-୬୩ର ଏକ ଫ୍ଲାଟରେ ଭଡାରେ ରହୁଥିବା ଜଣେ ୨୦ ବର୍ଷ ବୟସ୍କା ମଡେଲଙ୍କୁ ବନ୍ଧୁକ ମୁନରେ ଦୁଷ୍କର୍ମ  ଅଭିଯୋଗ ହେଇଛି | ପ୍ରଥମେ ତାଙ୍କୁ ମାରପିଟ କରାଯାଇଥିଲା ଏବଂ ତା'ପରେ ବନ୍ଧୁକ ମୁନରେ  ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଛନ୍ତି ମଡେଲ | କାହାକୁ କହିଦେଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା ଅଭିଯୁକ୍ତ | ସୂଚନାଯୋଗ୍ୟ ଯେ, ମଡେଲଙ୍କ ଜଣେ ପରିଚିତ ବନ୍ଧୁ ବଲଜିନ୍ଦର ସେ ରହୁଥିବା ଭଡା ଘରକୁ ଆସିଥିଲେ | ତାଙ୍କ ସହିତ ମୋଟୁ ନାମକ ଆଉ ଜଣେ ଯୁବକ ଏବଂ ଅନ୍ୟ ଜଣେ ଯୁବକ ମଧ୍ୟ ଆସିଥିଲେ | ତାଙ୍କ ନାଁ ମଡେଲ ଜାଣିନଥିବା କହିଛନ୍ତି | ତେବେ ସେହି ଯୁବକ ଜଣକ ମଡେଲଙ୍କ ସହିତ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି | ପୀଡିତାଙ୍କ ସୂଚନା ଆଧାରରେ ପୋଲିସ ୩୨୩, ୩୭୬ ଦଫା ଏବଂ ଆର୍ମସ ଏକ୍ଟରେ ମାମଲା ରୁଜ୍ଜୁ କରିଛି | ଏହି ଘଟଣା ପରେ ବଲଜିନ୍ଦରର ଫୋନ ସ୍ଵିଚ ଅଫ ରହିଛି | ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଖୋଜୁଛି | ତେବେ ପୋଲିସ ବଲଜିନ୍ଦରର ଫେସବୁକ ପ୍ରୋଫାଇଲରୁ ତାର ସାଙ୍ଗମାନଙ୍କ ଠିକଣା ମଧ୍ୟରୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଚିହ୍ନିବରେ ସଫଳ ହୋଇଛି | ଅଭିଯୁକ୍ତ ଜଣେ ଅପରାଧୀ ବୋଲି ପୋଲିସ ଜାଣିବାକୁ ପାଇଛି | ଘଟଣା ସମ୍ପର୍କରେ ପୀଡିତା ମଡେଲ କହିଛନ୍ତି ଯେ, ତାଙ୍କ ଘର ହିମାଚଳ ପ୍ରଦେଶରେ | ଗତ ମାସେ ହେଲା ସେ ଚଣ୍ଡୀଗଡ଼ର ଏକ ଫ୍ଲାଟ ଭଡା ନେଇ ରହୁଥିଲେ | ପ୍ରାୟ ୩ମାସ ପୂର୍ବରୁ ପଞ୍ଚକୁଲାର ନର୍ଥ ପାର୍କ କ୍ଲବରେ ବଲଜିନ୍ଦର ସହ ତାଙ୍କର ସାକ୍ଷାତ ହୋଇଥିଲା ଏବଂ ସେ ତାଙ୍କର ଫୋନ ନମ୍ବର ନେଇଥିଲା | ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ବଲଜିନ୍ଦର ତାଙ୍କୁ ଫୋନ କରିଥିଲା | ଫୋନ କରି ବଲଜିନ୍ଦର କହିଥିଲା ଯେ, ସେ ପୀଡିତାଙ୍କ ଘର ପାଖାପାଖି ଅଛି ଏବଂ ତାଙ୍କୁ ସାକ୍ଷାତ କରିବାକୁ ଚାହୁଁଚି | ମଡେଲ ତାକୁ ଘର ଠିକଣା ଦେଇଥିଲେ | ୧୦ ମିନିଟ ପରେ ବଲଜିନ୍ଦର ତାର ଦୁଇଜଣ ସାଙ୍ଗଙ୍କ ସହ ଘର ତଳେ ଆସି ପହଞ୍ଚିଥିଲା | ସେ ତଳକୁ ଯାଇ ବଲଜିନ୍ଦର ସହ ଆସିଥିବା ତାର ସାଂଗ ମୋଟୁକୁ ନେଇ ମଡେଲ ଘରକୁ ଆସିଥିଲେ | ବଲଜିନ୍ଦର ସେହି ଅଜଣା ଯୁବକକୁ ସାଙ୍ଗରେ ନେଇ ସେମାନଙ୍କ ପଛେ ପଛେ ଘର ଭିତରକୁ ଆସିଥିଲା | ତା'ପରେ ସମସ୍ତେ ମିଶି ମଦ ପିଇଥିଲେ ବୋଲି ପୀଡିତା କହିଛନ୍ତି | ତେବେ ମୋଟୁ ଏବଂ ପୀଡିତା ମଦ ପିଇନଥିଲେ | ଏହା ପରେ ସେମାନେ ହୁକ୍କା ଟାଣିଥିଲେ | ହୁକ୍କାର କୋଇଲା ସରିଯିବାରୁ ବଲଜିନ୍ଦର ଓ ମୋଟୁ କୋଇଲା ଆଣିବା ପାଇଁ ତଳକୁ ଯାଇଥିଲେ | ଠିକ ସେମାନେ ଯିବାପରେ ଯୁବକ ଜଣକ ମଡେଲଙ୍କୁ ମାରପିଟ କରିବା ଆରମ୍ଭ କରିଦେଇଥିଲା ଏବଂ ଶବ୍ଦ କଲେ ଆହୁରି ଅଧିକ ମାରପିଟ କରିବ ବୋଲି କହିଥିଲା | ଯୁବତୀ ବଲଜିନ୍ଦରକୁ ସାହାଯ୍ୟ ମାଗିଥିଲେ କିନ୍ତୁ ସେ ନଶୁଣି ବାହାରକୁ ଚାଲିଯାଇଥିଲା | ଏହା ପରେ ଅଭିଯୁକ୍ତ ମଡେଲଙ୍କୁ ଦୁଷ୍କର୍ମ କରିଥିଲା | ମୁଣ୍ଡରେ ବନ୍ଧୁକ ରଖି ମଡେଲଙ୍କୁ ଏ ଘଟଣା ସମ୍ପର୍କରେ କାହାକୁ ଜଣେଇଲେ ଜୀବନରେ ମାରିଦେବା ବୋଲି ଧମକ ଦେଇଥିଲା | କିଛି ସମୟ ପରେ ମୋଟୁ ଏବଂ ବଲଦିନ୍ଦର ସେଠାକୁ ଆସିଥିଲେ । କିନ୍ତୁ ମଡେଲ ବହୁତ ଡରିଯାଇଥିବାରୁ କାହାକୁ କିଛି ନଜଣାଇ ଚୁପ ରହିଥିଲେ | ସେମାନେ ଘରୁ ପଳେଇଯିବା ପରେ ମଡେଲ ବସଜିନ୍ଦରକୁ ସବୁ କଥା ଜଣେଇଥିଲେ | ବିଳମ୍ବିତ ରାତିରେ ପୋଲିସ କଣ୍ଟ୍ରୋଲ ରୁମକୁ ଦୁଷ୍କର୍ମ ଘଟଣା ସମ୍ପର୍କରେ ପୀଡିତା ଜଣେଇଥିଲେ | ଅଭିଯୁକ୍ତର ବୟସ ପାଖାପାଖି ୩୦ ବର୍ଷ ହେବ ବୋଲି ପୀଡିତା କହିଛନ୍ତି | ତେବେ ପୀଡିତା ନିଜ ବୟାନରେ କହିଥିଲେ ଯେ, ସେ ଅଭିଯୁକ୍ତର ନାଁ ଜାଣିନାହାନ୍ତି କିନ୍ତୁ ତାକୁ ଦେଖିଲେ ଚିହ୍ନି ପାରିବେ | ଘଟଣା ସମ୍ପର୍କରେ ପୋଲିସକୁ ପ୍ରଥମେ ଗଣଦୁଷ୍କର୍ମ ବୋଲି ସୂଚନା ମିଳିଥିଲା | ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଥିଲା ଯେ ଘଟଣାରେ ଜଣେ ଅଭିଯୁକ୍ତ ସମ୍ପୃକ୍ତ | ପୋଲିସ ଅଭିଯୁକ୍ତକୁ ଖୋଜିବା ସହ ଅଧିକ ତଦନ୍ତ ଜାରି ରଖିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.