ଚିଙ୍ଗୁଡି ପାଇଁ ବୁଡୁଛି ଚାଷ, ବିପନ୍ନ ବାସ: ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ମହିଳା

Published By : Prameya-News7 Bureau | March 10, 2021 IST

ଭଦ୍ରକ ୧୦।୦୩ : ଜୋର୍‌ ଧରିଲା ବେଆଇନ୍‌ ଚିଙ୍ଗୁଡି ଘେରି ବନ୍ଦ । ଏକର ଏକର ଚାଷ ଜମିରେ ଚିଙ୍ଗୁଡି କରି ପରିବେଶ ନଷ୍ଟ ହେବା ସହ ଚାଷ ଉପଯୋଗୀ ଜମିକୁ ମଧ୍ୟ କ୍ଷତି ପହଞ୍ଚୁଛି । ଯାହାଫଳରେ କି ଚାଷୀ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳର ତୀବ୍ର ହୋଇଛି ଜନ ଅସନ୍ତୋଷ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି ଶତାଧିକ ମହିଳା ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲାରୁ ଚାନ୍ଦବାଲି ବ୍ଲକର ଆରଡି, ନୂଆଗାଁ, ଯଶିପୁର ଗ୍ରାମ ପଞ୍ଚାୟତ ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଏକ ଦାବିପତ୍ର ଦେଇଛନ୍ତି । ଚିଙ୍ଗୁଡ଼ି ଘେରି ପାଇଁ ଚାଷ ଜମି ନଷ୍ଟ ହେଉଥିବା ନେଇ ଗତ ଫେବୃଆରୀ ୨୮ ତାରିଖରେ ଚାନ୍ଦବାଲିରୁ ଶତାଧିକ ଚାଷୀ ୫୫ କିମି ଚାଲି ଚାଲି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

ସେପଟେ ଆରଡ଼ି ପଞ୍ଚାୟତର ମହିଳାମାନେ ଧାରଣା ଦେବା ସହ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ଦେଇଥିଲେ ଦେଇଛନ୍ତି । ଚିଙ୍ଗୁଡ଼ି ଚାଷ ପାଇଁ କୌଣସି ସରକାରୀ ଅନୁମତି ନଥିବା ବେଳେ ବିତ୍ତଶାଳୀ ଲୋକମାନେ ବେଆଇନ ଭାବେ ଚିଙ୍ଗୁଡ଼ି ଚାଷ କରୁଥିବାର ଅଭିଯୋଗ ଆସିଛି । ତେବେ ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁନାହାନ୍ତି ।

ସେହିପରି ଆରଡ଼ି ପଞ୍ଚାୟତର ପହଣା ଅଞ୍ଚଳରେ ଚିଙ୍ଗୁଡ଼ି ଘେରିର ବିଷାକ୍ତ ପାଣି ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୋଖରୀକୁ ବିଷାକ୍ତ କରୁଛି । ବହୁ ସ୍ଥାନରେ ଚିଙ୍ଗୁଡ଼ି ଘେରି ଲାଗି ବାଡ଼ ଘେରବନ୍ଦୀ କରି ରଖାଯାଇଥିବାରୁ ଗୃହପାଳିତ ପଶୁମାନେ ଚରାବୁଲା କରିପାରୁନାହାନ୍ତି । ସ୍ଥାନୀୟ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି । ଶେଷରେ ବାଧ୍ୟ ହୋଇ ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.