କୁକୁଡ଼ା କଳିରୁ ହତ୍ୟାକାଣ୍ଡ ଘଟଣା : ହତ୍ୟାକାରୀକୁ ଧରିବା ଦାବିରେ ଅନଶନ, ୧୦ଦିନରେ ଅଭିଯୁକ୍ତକୁ ଗିରଫର ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ

Published By : Prameya-News7 Bureau | December 03, 2020 IST

ଆନନ୍ଦପୁର ୦୩।୧୨: କୁକୁଡ଼ା କଳିରୁ ହତ୍ୟାକାଣ୍ଡ ଘଟଣା । ଅଭିଯୁକ୍ତଙ୍କ ଧରିବାରେ ପୋଲିସର ବିଫଳତା ନେଇ ଥାନା ସମ୍ମୁଖରେ ଗ୍ରାମବାସୀଙ୍କ ଅନଶନ । କିରୋସିନ ଜାର୍‌ ଧରି ଅନଶନରେ ବସିଲେ ମୃତକଙ୍କ ପତ୍ନୀ । ଘଟଣାସ୍ଥଳରେ ପୋଲିସ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ଖବର ଅନୁଯାୟୀ, ନନ୍ଦିପଦା ଥାନା ଅଁରା ଗାଁରେ କୁକୁଡ଼ା କଳିକୁ କେନ୍ଦ୍ରକରି ବିବାଗ ତୁଟାଇବାକୁ ଆସିଥିବା ଆନନ୍ଦ ନାୟକଙ୍କୁ ପିଟି ପିଚି ହତ୍ୟା କରାଯାଇଥିଲା । କିନ୍ତୁ ଘଟଣାକୁ ଏତେ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାରୀକୁ ଧରିବାରେ ପୋଲିସ ସଫଳ ହୋଇନାହିଁ । ଏହାକୁ ପ୍ରତିବାଦ ଜଣାଇ ଆଜି ଗ୍ରାମବାସୀମାନେ ଥାନା ଆଗରେ ଅନଶନରେ ବସିଛନ୍ତି ।

ଏପରିକି ଅନଶନ ସ୍ଥଳରେ ମୃତ ଆନନ୍ଦଙ୍କ ପତ୍ନୀ ମଞ୍ଜୁଲତା ଏକ କିରୋସିନ ଭର୍ତ୍ତି ଜାର ଧରି ବସିଛନ୍ତି । ହତ୍ୟାକାଣ୍ଡକୁ ୩ଦିନ ମଧ୍ୟରେ ହତ୍ୟାକୀରକୁ ଗିରଫ କରିବା ପ୍ରତିଶୃତି ଦେବାର ୧୪ଦିନ ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ହତ୍ୟାକାରୀର ଟେର୍‌ ପାଉନି ପୋଲିସ । ସେପଟେ ଥାନା ସମ୍ମୁଖରେ ଅପରାଧୀକୁ ଧରିବା ଦାବିରେ ଚାଲିଥିବା ଅନଶନ ସ୍ଥଳରେ କେନ୍ଦୁଝର ଅତିରିକ୍ତ ଏସ୍‌ପି ଓ କ୍ରାଇମ୍‌ ଡିଏସ୍‌ପି ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଛନ୍ତି । ୧୦ ଦିନ ମଧ୍ୟରେ ଅପରାଧୀକୁ ଧରିବା ପାଇଁ ପ୍ରତିଶୃତି ଦେବା ପରେ ଆମରଣ ଅନଶନରୁ ହଟିଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.