ରାଜ୍ୟରେ ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ପରେ ନିୟମ କଡାକଡି : ରେଷ୍ଟୁରାଣ୍ଟ, ବାର୍, କ୍ୟାଣ୍ଟିନ୍ ବନ୍ଦ

Published By : Prameya-News7 Bureau | March 21, 2020 IST

ଭୁବନେଶ୍ବର ୨।୩: ସାରା ବିଶ୍ବରେ ୧୮୬ ଦେଶରେ ପ୍ରଭାବ ବିସ୍ତାର କରିଥିବା କରୋନାକୁ ନେଇ ଆମ ରାଜ୍ୟରେ ମଧ୍ୟ ବଢିଲା କଟକଣା । ଓଡିଶାରେ ଦ୍ବିତୀୟ ପଜିଟିଭ୍ କେସ୍ ରିପୋର୍ଟ ହେବା ପରେ, ରାଜ୍ୟରେ ଅଘୋଷିତ କର୍ଫ୍ୟୁ ଭଳି ପରିସ୍ଥିତି ।

ସର୍ବସାଧାରଣ ସ୍ଥାନରେ ୭ ଜଣରୁ ଅଧିକ ଏକାଠି ହେବା ଉପରେ ଲାଗିଲା ଅଙ୍କୁଶ । ବନ୍ଦ ରହିବ ରେଷ୍ଟୁରାଣ୍ଟ, ବାର୍, କ୍ୟାଣ୍ଟିନ୍ । SC/ST ହଷ୍ଟେଲ ଗୁଡିକୁ ମାର୍ଚ୍ଚ ୨୫ରୁ ଜୁନ୍ ୨୫ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ବ୍ୟତୀତ ଅନ୍ୟ କୌଣସି ସରକାରୀ ମିଟିଂ ହେବ ନାହିଁ ବୋଲି ଘୋଷଣା କରାଯାଇଛି ।

ସେପଟେ କରୋନା ଭାଇରସ୍ ସଂକ୍ରମଣ ରୋକିବା ଲାଗି ଆଜିଠାରୁ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହେବ। ଦିଲ୍ଲୀ ଭଳି ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥା ବ୍ୟବସ୍ଥା ଭୁବନେଶ୍ବରରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ବିଏମସି। ରାଜଧାନୀରେ ବସ୍, ଟାକ୍ସି, ଅଟୋରିକ୍ସା ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥାରେ ଚାଲିବ। ଆଜି ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ବସ୍, ଟ୍ୟାକ୍ସି, ଅଟୋରିକ୍ସାର ଶେଷ ନମ୍ବର ୧, ୩, ୫, ୭ ଓ ୯ ଥିବ, ସେହି ଯାନବାହାନ ଗୁଡ଼ିକ ରାସ୍ତାରେ ଗଡ଼ିପାରିବ ।

ସେହିପରି ବସ୍, ଟ୍ୟାକ୍ସି, ଅଟୋରିକ୍ସାର ଶେଷ ନମ୍ବର ୦, ୨, ୪, ୬ ଓ ୮ ଥିଲେ, ସେହି ପ୍ରକାର ଗାଡ଼ିଗୁଡ଼ିକ ରବିବାର ଯାତାୟତ କରିପାରିବ । ତେବେ ଘରୋଇ ଗାଡ଼ିଗୁଡ଼ିକୁ ଏହି ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି। ହସ୍ପିଟାଲ୍ ଓ ସ୍ବାସ୍ଥ୍ୟସେବା ଯୋଗାଉଥିବା ଗାଡ଼ି ମଧ୍ୟ ଏହି କଟକଣାରୁ ବାଦ ପଡ଼ିବ। ଯୁଗ୍ମ-ଅଯୁଗ୍ମ ନମ୍ବରଯୁକ୍ତ ଯାନବାହାନ ଚଳାଚଳ ନିୟମ ବ୍ୟକ୍ତିଗତ ଗାଡ଼ି ଉପରେ ଲାଗୁ ହେବ ନାହିଁ । ସରକାରୀ ଗାଡ଼ି ଅଥବା ଜରୁରୀକାଳୀନ ପରିସ୍ଥିତିରେ ଭଡ଼ାରେ ନିଆଯାଉଥିବା ଗାଡ଼ିକୁ କୌଣସି ଅସୁବିଧା ହେବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.