Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କର୍ମଚାରୀଙ୍କ ସର୍ବନିମ୍ନ ଦରମା ବୃଦ୍ଧି, ସର୍ବନିମ୍ନ ଦରମା ନଦେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

26/07/2019 at 12:07 PM

ନୂଆଦିଲ୍ଲୀ ୨୬|୭: କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି କର୍ମଚାରୀଙ୍କୁ କଂପାନୀମାନେ ସର୍ବନିମ୍ନ ବେତନ ଦେବା ପାଇଁ ବାଧ୍ୟ । ସରକାର କହିଛନ୍ତି, କର୍ମଚାରୀମାନଙ୍କୁ ସେମାନଙ୍କର କାମ ବଦଳରେ ସର୍ବନିମ୍ନ ଦରମା ଦେବା ସବୁ କଂପାନୀଙ୍କର ପ୍ରାଥମିକ ଦାୟିତ୍ବ । ଯେଉଁ କଂପାନୀମାନଙ୍କ ବିରୋଧରେ ଏନେଇ ଅଭିଯୋଗ ଆସିବ, ସେମାନଙ୍କର ଯାଂଚ କରାଯିବ ଏବଂ ନିୟମ ଉଲ୍ଲଂଘନ କରୁଥିବା କଂପାନୀଗୁଡିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ଘୋଷଣା କରିଛନ୍ତି ।

ଲୋକସଭାରେ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ମୋଦି ସରକାର ୨୦୧୭ରେ ସର୍ବନିମ୍ନ ବେତନରେ ସଂଶୋଧନ କରି ଏହାକୁ ୪୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି ।

ଏଥିପାଇଁ ନିୟମ ମଧ୍ୟ ପ୍ରସ୍ତୁତ କରାଯାଇଛି ଏବଂ ଯେଉଁ ବ୍ୟକ୍ତି ତଥା କଂପାନୀ ଏହି ନିୟମକୁ ପାଳନ କରୁନଥିବା ଅଭିଯୋଗ ଆସେ ତାଙ୍କୁ ଆଇନର ତଦନ୍ତ ପରିସରକୁ ଅଣାଯିବ ଆଉ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ସର୍ବନିମ୍ନ ଦରମା ୧୮ ହଜାର ଟଙ୍କାରୁ ୨୪ ହଜାରକୁ ବୃଦ୍ଧି କରାଯାଇଛି ।

ମନ୍ତ୍ରୀ କହିଛନ୍ତି ଯେ, ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ହିତରେ କେନ୍ଦ୍ର ସରକାର ସର୍ବଦା ବଦ୍ଧପରିକର । ଏହି ପ୍ରତିବଦ୍ଧତାର ପାଳନ କରି ଗତ ବର୍ଷ ସରକାର ପିଏଫରେ ସରକାରୀ ଅଂଶଦାନକୁ ୧୨ ପ୍ରତିଶତ କରିଛନ୍ତି ।

ସେହିଭଳି ପ୍ରସବକାଳୀନ ଅବକାଶର ସମୟସୀମାକୁ ମଧ୍ୟ ୨୪ ମାସ କରିଦିଆଯାଇଛି । ସର୍ବନିମ୍ନ ଦରମା ୨୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାସହ ଶ୍ରମିକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏକ ପୋର୍ଟାଲ ମଧ୍ୟ ଲଞ୍ଚ କରାଯାଇଛି ।

ସେହିଭଳି ଚୁକ୍ତି ଭିର୍ତ୍ତିକ ନିଯୁକ୍ତିରେ ଆରକ୍ଷଣ ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଥିଲେ ଯେ, ଯେଉଁ ସବୁ ସଂସ୍ଥାମାନଙ୍କରେ ୪୫ ଦିନରୁ ଅଧିକ ସମୟ ପାଇଁ ନିଯୁକ୍ତି କରାଯାଉଛି ସେଠାରେ ଏଭଳି ପ୍ରକାରର ସୁବିଧା ଦିଆଯାଉଛି ହେଲେ ଯେଉଁଠାରେ ଠିକାଦାରଙ୍କ ଦ୍ବାରା ନିଯୁକ୍ତି କରାଯାଉଛି । ସେଠାରେ ଆରକ୍ଷଣ ଲାଗୁ କରିବା ସମ୍ଭବପର ନୁହେଁ ।

   Related Posts