ଯୁବକଙ୍କ ଜୀବନ ବଞ୍ଚାଇଲା ବୁଲା କୁକୁର, ଆଗକୁ ଯିବାକୁ ନଦେଇ ଭାଲୁ କବଳରୁ କଲା ରକ୍ଷା

Published By : Prameya-News7 Bureau | February 21, 2021 IST

ନୀଳଗିରି, ୨୧|୦୨ : କଥାରେ ଅଛି ରଖେ ହରି ତ ମାରେ କିଏ । କୁକୁରକୁ ସବୁଠୁ ବିଶ୍ୱସ୍ତ ପ୍ରାଣୀ କୁହାଯାଏ । ଯାହାର ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରିରେ । କୁକୁର ନିଶ୍ଚିତ ମରଣ ମୁହଁରୁ ଉଦ୍ଧାର କରିବା ଘଟଣା ବିଶ୍ୱାସ ନହେଲେବି ସତ ।

ସୂଚନାନୁସାରେ, ନୀଳଗିରି ଏନଏସି ଅଧିନ ୬ ନମ୍ବର ୱାର୍ଡ ଅଧିନ ସ୍ୱର୍ଗତ ଶିଶିର ମହାପାତ୍ରଙ୍କ ସାନପୁଅ ସବ୍ୟସାଚୀ ଓରଫ ଟୁବୁଲୁ ଜଣେ ଯୁବନେତା ଭାବେ ଜଣାଶୁଣା।ଶନିବାର ରାତ୍ର ପ୍ରାୟ ଗୋଟାଏ ସମୟରେ ସେ ନିଜର କାର୍ଯ୍ୟ ସାରି ଘରକୁ ବାଇକରେ ଯାଉଥିବା ସମୟରେ ପୋଷ୍ଟଅଫିସ ଗଳି ବ୍ୟାଡମିଣ୍ଟନ ପିଚ୍ ନିକଟରେ କିଛି କୁକୁର ଭୁକୁଥିଲେ।ତାଙ୍କର କଲୋନୀ କୁକୁର (କାଲୁ) ଆଦୌ ତାଙ୍କୁ ଆଗକୁ ଯିବାକୁ ଦେଇନଥିଲା। ତାଙ୍କ ବାଇକ ଚାରିପଟେ ଘୁରୁବୁଲୁଥିଲା ତ ପୁଣି ଆଗକୁ ଭୁକି ଦଉଡି ଯାଉଥିଲା।

ସବ୍ୟସାଚୀ ହଠାତ କିଛି ବୁଝିନପାରି ହୁଏତ ଭାଲୁ ଆଗରେ ଥାଇ ପାରେ ସନ୍ଦେହ କରିଥିଲେ।ଏହାପରେ ସେ ଘରକୁ ଫୋନ କରିବାରୁ ତାଙ୍କ ଭାଇ ଭାଇ ଲାଇଟ ଆଣି ପକାଇବା ପରେ ଭାଲୁଟି ପାଖ ପୋଖରୀ କଡ଼ରେ ଘୁରିବୁଲୁଥିଲା।ଏହାପରେ ପାଖ ଅଞ୍ଚଳବାସୀ ବିବେକ ଓ ଉଦୟଜ୍ୟୋତିଙ୍କ ସହ କିଛି ଯୁବକ ହାତରେ ଠେଙ୍ଗା ଧରି ଆସି ତାଙ୍କୁ ଘର ପର୍ଯ୍ୟନ୍ତ ନେବା ବେଳେ ଭାଲୁଟି ପାଖ ଲୋକଙ୍କ ବାଡ଼ ଡେଇଁ ଅନ୍ୟତ୍ର ପଳାଇଯାଇଥିଲା।

ସୂଚନାଯୋଗ୍ୟ ନୀଳଗିରି ସହର ନିକଟରେ ସ୍ୱର୍ଣ୍ଣଚୁଡ଼ ପାହାଡ଼ ଥିବାବେଳେ ଏଠାରେ ପ୍ରବଳ ଭାଲୁ ଥିବାରୁ ସହର ମଧ୍ୟରୁ ରାତିରେ ଖାଦ୍ୟ ଅନ୍ୱେଷଣରେ ଆସିଥାନ୍ତି। କିଛିମାସ ପୂର୍ବେ ନୀଳଗିରି ବସ ଷ୍ଟାଣ୍ଡ ନିକଟରେ  ଭୋର ସମୟରେ ପଥଚାରୀଙ୍କୁ ଏକ ଭାଲୁ ଅଚାନକ ଆକ୍ରମଣ କରିଥିଲା।ତେବେ ମରଣ ମୁହଁରୁ ବୁଲାକୁକୁର ଯୁବକଙ୍କୁ ବଞ୍ଚାଇବା ପରେ କୁକୁର ମଣିଷର ବିଶ୍ୱସ୍ଥ ବୋଲି ପ୍ରମାଣିତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.