କାଙ୍ଗାଳ ପାକିସ୍ତାନ : ତୁରନ୍ତ ଋଣ ପରିଶୋଧ କରିବାକୁ ସାଉଦିର ଚେତାବନୀ, ବନ୍ଧୁ ଦେଶ ଚୀନ ପାଖରେ ହାତ ପତାଉଛି ପାକ୍

Published By : Prameya-News7 Bureau | December 22, 2020 IST

ନୂଆଦିଲ୍ଲୀ ୨୨/୧୨ : ପାକିସ୍ତାନର ଇମ୍ରାନ ଖାନଙ୍କ ସରକାର ଏବେ କାଙ୍ଗାଳ ହୋଇଯାଇଛି । ଅନ୍ୟ ଦେଶମାନଙ୍କରୁ ଆଣିଥିବା ଋଣ ପରିଶୋଧ କରିବା ପାଇଁ ମଧ୍ୟ ଅର୍ଥ ନାହିଁ । ପାକିସ୍ତାନ ଋଣ ପରିଶୋଧ କରିବା ପାଇଁ ତାର ବନ୍ଧୁ ଦେଶ ଚୀନ ଉପରେ ହିଁ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ । ଅନେକ ସମୟରେ ଚୀନ ଆର୍ଥିକ ସହାୟତା ଯୋଗାଉଥିବାରୁ ପାକିସ୍ତାନ ତାକୁ ସମର୍ଥନ କରିଆସିଛି ।

କିଛି ଦିନ ପୂର୍ବରୁ ସାଉଦି ଆରବ ଠାରୁ ୩ ବିଲିୟନ ଡଲାର ଋଣ ଆଣିଥିଲା ପାକିସ୍ତାନ । ଚୀନ ଠାରୁ ଆଣିଥିବା ଜରୁରୀ ସହାୟତା ଅର୍ଥକୁ ସାଉଦି ଆରବକୁ ପରିଶୋଧ କରୁଛି ପାକିସ୍ତାନ । ସାଉଦିଠାରୁ ଆଣିଥିବା ମୋଟ ୩ ବିଲିୟନ ଡଲାର ଋଣ ମଧ୍ୟରୁ ପାକିସ୍ତାନ ୨ ବିଲିୟନ ଡଲାର ପରିଶୋଧ କରିସାରିଲାଣି । ତେବେ ଆସନ୍ତା ବର୍ଷ ଆରମ୍ଭରେ ତୁରନ୍ତ ବାକିଥିବା ଋଣ ଅର୍ଥ ପରିଶୋଧ କରିବା ପାଇଁ ଚେତାବନୀ ଦେଇଛି ସାଉଦି ଆରବ । ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ତିକ୍ତତା ବଢୁଥିବାରୁ ଅସ୍ଥିରତା ଦେଖାଦେଇଛି । ତୁର୍କୀ ଏବଂ ମ୍ୟାଲେସିଆ ଭଳି ଦେଶମାନଙ୍କ ସହିତ ପାକିସ୍ତାନର ଘନିଷ୍ଠତା ବଢୁଥିବାରୁ ସାଉଦି ସହିତ ତିକ୍ତତା ବୃଦ୍ଧି ପାଇଛି ।

ଏହି ମାସ ଆରମ୍ଭରେ ଚୀନ ୨୦୧୧ର ଦ୍ୱିପାକ୍ଷିକ ମୁଦ୍ରା ବିନିମୟ ଚୁକ୍ତିନାମାର ଆକାରକୁ ୧୦ ବିଲିୟନ ୟନ୍ ବା ପ୍ରାୟ ୧.୫ ବିଲିୟନ ଡ଼ଲାରକୁ ବୃଦ୍ଧି କରିଛି । ଏହି ସହାୟତା ସାଉଦି ଆରବକୁ ଋଣ ଦେବା ପାଇଁ ପାକିସ୍ତାନ ଦ୍ୱାରା ବ୍ୟବହୃତ ହୋଇଛି । ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନ ବିଦେଶୀ ଋଣ ପରିଶୋଧ କରିବା ପାଇଁ ଏବଂ ନିଜର ବିଦେଶୀ ମୁଦ୍ରା ଭଣ୍ଡାରକୁ ସ୍ବାଭାବିକ କରିବା ପାଇଁ ୨୦୧୧ ମସିହାରୁ ମୁଦ୍ରା ବିନିମୟ ସୁବିଧା ବ୍ୟବହାର କରିଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.