ପିଲାଟି ବେଳରୁ ସେ କ୍ରିକେଟ ପାଗଳ : ଓ୍ୱାଶିଂଟନ ସୁନ୍ଦରଙ୍କ ବାପା କହିଲେ- '୯ ବର୍ଷ ବୟସରେ କପାଳରେ ଷ୍ଟିଚ୍ ଥାଇ ବି ଜୋରଦାର୍ ବ୍ୟାଟିଂ କରିଥିଲା ସେ'

Published By : Prameya-News7 Bureau | January 18, 2021 IST

ବ୍ରିସବେନ୍,୧୮/୦୧:  ବ୍ରିସବେନ୍ ଟେଷ୍ଟରେ ଅଲରାଉଣ୍ଡର ଓ୍ୱାଶିଂଟନ ସୁନ୍ଦର ଭାରତୀୟ ଦଳରେ ପଦାର୍ପଣ କରିଛନ୍ତି । ଏହି ମ୍ୟାଚରେ ସେ ଆକର୍ଷଣୀୟ ବୋଲିଂ କରିବା ସହ ପ୍ରଥମ ଇନିଂସରେ ୬୨ ରନ୍ କରିଥିଲେ । ସେ ଅଷ୍ଟ୍ରେଲିଆର ୩ ଦୁର୍ଦ୍ଦଶ ବୋଲର ମିଚେଲ ଷ୍ଟାର୍କ, ଜୋସ୍ ହାଜଲଉଡ୍ ଓ ପ୍ୟାଟ୍ କ୍ୟୁମିନ୍ସଙ୍କ ସାମ୍ନା କରିଥିଲେ । ତେବେ ପିଲାଦିନୁ ତାଙ୍କର କ୍ରିକେଟ ପ୍ରତି ଦୁର୍ବଳତା ଥିଲା । ଏପରି ଅନେକ ରୋଚକ କଥା ଏବେ ସାମ୍ନାକୁ ଆସିଛି । ଓ୍ୱାଶିଂଟନଙ୍କ ପିତା ଏମ ସୁନ୍ଦର ପୁଅ ବିଷୟରେ ଅନେକ କଥା କହିଛନ୍ତି ।

ଯେତେବେଳେ ଓ୍ୱାଶିଂଟନ ୧୦ ବର୍ଷର ହୋଇଥିଲେ ସେବେଠୁ ସେ ଚେନ୍ନାଇର ପୁଡୁପେଟରେ ଥିବା ବାପା ଏମ ସୁନ୍ଦରଙ୍କ କ୍ରିକେଟ ଆକାଡେମୀକୁ ଯାଉଥିଲେ । ସେ ଏଠାରେ ୩ ଘଣ୍ଟା ବିତାଉଥିଲେ । ରବି ଓ ଶନିବାର ମଧ୍ୟ ସେ ଏଠାରେ ସମୟ ଅତିବାହିତ କରୁଥିଲେ । ତାଙ୍କର ଜଣେ ବଡ ଉଭଣୀ ମଧ୍ୟ ଅଛନ୍ତି । ସେ ତାମିଲନାଡୁ ଅଣ୍ଡର-୧୯ କ୍ରିକେଟ ଟିମରେ ଖେଳୁଥିଲେ ।

ଓ୍ୱାଶିଂଟନଙ୍କ ପିତା ଓ ଉଭଣୀ ଉଭୟ କ୍ରିକେଟ ପ୍ରତି ରୁଚି ରଖିଥିଲେ । ତଥାପି ସୁନ୍ଦରଙ୍କ ପାଇଁ କ୍ରିକେଟ ଯାତ୍ରା ସହଜ ନଥିଲା । ପରେ ସେ ପରିଶ୍ରମ କରିବା ସହ ମାତ୍ର ୧୪ ବର୍ଷରେ ତାମିଲନାଡୁ ରଣଜୀ ଟିମରେ ସାମିଲ ହୋଇଥିଲେ । ସେ ପ୍ରଥମେ ବ୍ୟାଟସମ୍ୟାନ୍ ଭାବେ କ୍ରିଜକୁ ଓହ୍ଲାଇବା ସହ ଦ୍ରୁତ ବୋଲରଙ୍କ ସାମ୍ନା କରୁଥିଲେ ।

ପିଲାଦିନେ ସେ ଏକ ବଡ ଅଘଟଣର ସାମ୍ନା କରିଥିଲେ । ୯ ବର୍ଷର ହୋଇଥିବା ବେଳେ ସେ ଇଣ୍ଟରସ୍କୁଲ ପ୍ରତିଯୋଗିତାରେ ଆହତ ହୋଇଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । କପାଳରେ ୫ଟି ଷ୍ଟିଚ୍ ପଡିଥିଲେ ବି ତାପର ଦିନ ସେ ବ୍ୟାଟିଂ ପାଇଁ ପଡିଆକୁ ଯାଇଥିଲେ ଓ ୩୯ ରନର ଅପରାଜେୟ ଇନିଂସ ଖେଳିଥିଲେ । ଏହି ଦିନ ହିଁ ତାଙ୍କ ପିତାଙ୍କୁ ଓ୍ୱାଶିଂଟନଙ୍କ ଉପରେ ଅଧିକ ଭରସା ଆସିଥିଲା ।

ଓ୍ୱାଶିଂଟନଙ୍କ ପିତା କହିଛନ୍ତି ଯେ, ସୁନ୍ଦରଙ୍କ ପାଖରେ ବୋଲରଙ୍କୁ ସାମ୍ନା କରିବାକୁ ସ୍ୱତନ୍ତ୍ର କୌଶଳ ଥିଲା । ସେ ୧୦ ବର୍ଷର ହୋଇଥିବା ବେଳେ ୧୪ ବର୍ଷରୁ କମ୍ ଟିମ୍ ଓ ୧୬ ବର୍ଷରେ ଅଣ୍ଡର-୧୯ ଭାରତୀୟ ଦଳରେ ସ୍ଥାନ ପାଇଥିଲେ । ସେ ଯେତେବେଳେ ଆଇପିଏଲରେ ସ୍ଥାନ ପାଇଲେ ସମସ୍ତେ ତାଙ୍କୁ ଅଫ୍ ସ୍ପିନର ଓ ଅଳ୍ପ ବ୍ୟାଟିଂ କରିଥିବା ଦେଖିଛନ୍ତି । କିନ୍ତୁ ଓ୍ୱାଶିଂଟନଙ୍କ ପାଖରେ ଆହୁରି ଭଲ ବ୍ୟାଟିଂ କରିବାର ସାମର୍ଥ୍ୟ ରହିଛି । କହିବାକୁ ଗଲେ ତାଙ୍କ ପାଖରେ ୭୦ ପ୍ରତିଶତ ବ୍ୟାଟସମ୍ୟାନ୍ କ୍ଷମତା ରହିଛି । ସେ ବ୍ରିସବେନ୍ ଟେଷ୍ଟର ପ୍ରଥମ ଇନିଂସରେ ଆହୁରି ଭଲ ଖେଳି ଶତକ ଲଗାଇବା ଉଚିତ ଥିଲା ବୋଲି ପିତା ଏମ ସୁନ୍ଦର କହିଛନ୍ତି ।

ସେ ବ୍ରିସବେନ୍ ଟେଷ୍ଟରେ ଯେଭଳି ପ୍ରଦର୍ଶନ କରିଥିଲେ ସେଥିରୁ ସେ ମ୍ୟାଚରେ ପଦାର୍ପଣ କରିଥିବା ଭଳି ଲାଗୁନଥିଲା । କଙ୍ଗାରୁ ଟିମର ସମସ୍ତ ବୋଲରଙ୍କ ଉପରେ ସେ ଭାରି ପଡିଥିଲେ । ତାଙ୍କ ଖେଳ ଦେଖିଲେ ପୂର୍ବରୁ ଅଭିଜ୍ଞତା ଥିବା ମନେ ହୁଏ ବୋଲି କ୍ରିକେଟ୍ ସମୀକ୍ଷକମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.