ବାପା ହଜିଛି-ମାଆ ନାହିଁ , ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ , ଅସହାୟ “ମାମିନା”ଙ୍କୁ ସାହା ହେବ କିଏ ?

Published By : Prameya-News7 Bureau | August 22, 2020 IST

ସାଲେପୁର ୨୨।୦୮: ଅସହାୟ ମାମିନା । ପିଲାବେଳୁ ବାପା କୁଆଡେ ଯାଇଛି ଯେ, ଯାଇଛି । ମା’ କଷ୍ଟକରି ଦୁଇଝିଅଙ୍କୁ ବଢାଇଥିଲା କିନ୍ତୁ ୬ବର୍ଷ ତଳେ ସାପକାମୁଡାରେ ଚାଲିଗଲା । ସ୍ୱାମୀ ପିଲାଙ୍କୁ ଧରି ଅନ୍ୟ ଭଉଣୀଟି ବାହାରେ କାମଧନ୍ଦା କରିବାକୁ ଗାଁ ଛାଡିଲା । ସେବେଠୁ ମାମିନା ଏକା ଓ ଅସହାୟ । ଅଭାବ ଓ ଅସୁବିଧାରୁ ଅବିବାହିତା ସେ । ଜରି ପାଲ ଘର ତାର ବାସସ୍ଥାନ । ଭାତ-ଶାଗ-କଂସା ଓ ମାଛି ଭଣ ଭଣ ପରିବେଶ କହୁଛି , ଏହି ଅସହାୟ ଝିଅଟିର ଦୁଃଖ, ଦୁର୍ଦ୍ଦିନ ଓ ଯନ୍ତ୍ରଣାର କଥା ।  ଏ ହେଉଛନ୍ତି କଟକ ଜିଲ୍ଲା ସାଲେପୁର ବ୍ଲକ  ଅନ୍ତର୍ଗତ ମୁତାରିଫା ପଞ୍ଚାତର ପଦ୍ମପୁର ଗାଁର “ମାମିନା” । ଅନ୍ଧାରିଆ ନୁଆଣିଆ ପଲିଥିନ ଢ଼ଙ୍କା ହେଇଥିବା କୁଡିଆ ଭିତରେ କଟେ ତାର ଜୀବନ। ପର ଘରେ ପାଇଟି କରି ଆଉ ମାଗି ଯାଚି ପେଟ ପୋଷେ ମାମିନା। ଅସହାୟ ଓ ଅଭାବୀଙ୍କ ପାଇଁ ସରକାରଙ୍କ ପୁଳାପୁଳା ଯୋଜନା, ଏଠି କିନ୍ତୁ ଅପହଞ୍ଚ କିମ୍ବା ବିଫଳ ବୋଲି କୁହାଯାଇପାରିବ । ଅନେକ କାକୁତି ମୀନତି କରିଛି ,କିନ୍ତୁ ମୁଣ୍ଡକୁ ଛାତଟିଏ ନାହିଁ । ପେଟ ପୁରା ଦାନା ଗଣ୍ଡିଏ ବି ମିଳେ ନାହିଁ । ଭୋଟ ବେଳେ ଗାଁକୁ ଯେତେ ନେତା ମନ୍ତ୍ରୀ ଆସନ୍ତି, ସମସ୍ତଙ୍କୁ ମାମିନାର ଦୁଃଖ ସେତିକି ବେଳେ ଦିଶେ , କିନ୍ତୁ ତାପରେ  ଭୁଲିଯାଆନ୍ତି ସେମାନେ ।

wp:html /wp:html

ଅସହାୟ ମାମିନାଙ୍କ ଦୁଃଖ କାହାଣୀ ଯେତିକି ଯନ୍ତ୍ରଣାଦାୟକ, ଆମ ବ୍ୟବସ୍ଥାରେ ରହିଥିବା ଅଣଦେଖା ପାଇଁ ମଧ୍ୟ ସେତିକି ଦୁଃଖଦ । ଝିଅଟିର କେହି ନାହିଁ, କିନ୍ତୁ ପ୍ରଶାସନ କିମ୍ବା ଜନପ୍ରତିନିଧିଙ୍କ ଆହା ପଦେ ବି ନାହିଁ । ଜେଜେବାପା ଅମଳରୁ ଜମି ଗୁଣ୍ଠେ ଅଛି, ଖଜଣା ପାଉତି କାଟିଛି । ତଥାପି ଇନ୍ଦିରା ଆବାସ କିମ୍ବା ସରକାରଙ୍କ ଆବାସ ଯୋଜନାରେ ମିଳିନି ଘର । ସମସ୍ତଙ୍କୁ ହାରି ଗୁହାରି କରିଛି ମାମିନା , କିନ୍ତୁ କେହି ଶୁଣୁନାହାନ୍ତି । ବର୍ଷା ପାଣି ଓ ଜନ୍ତୁଯୁନ୍ତାଙ୍କ ଭୟ ଭିତରେ ଜରି କତରା ଘରେ ରହିବାକୁ ବାଧ୍ୟ ହେଉଛି ମାମିନା । ଦୁଃଖରେ କହୁଛି କେହି ମୋ କଥା ଶୁଣୁନାହାନ୍ତି , ଘରଟିଏ ହେଲେ ଶାନ୍ତିରେ ଟିକିଏ ନିଶ୍ୱାସ ନିଅନ୍ତି ।

wp:html /wp:html

ମାମିନାଙ୍କ ଦୁଃଖରେ ଗାଁଲୋକେ ବି ଦୁଃଖୀ କିନ୍ତୁ ସରକାରୀ କଳରେ ଲାଖି ଥିବା ସହାୟତାର ବାଟ ସଫା କରିବାରେ ସେମାନେ ଅକ୍ଷମ । ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ଯାଏଁ ସବୁଠି ଗୁହାରୀ କରିଛି ମାମିନା, କିନ୍ତୁ ତାର ସ୍ୱର ବିଧାୟକଙ୍କ କାନରେ ପଡିନି । ନ୍ୟୁଜ୍‌ ସେଭେନ୍‌ ପ୍ରତିନିଧିଙ୍କ ଠାରୁ ଶୁଣିବା ପରେ ବ୍ଲକ ପ୍ରଶାସନକୁ କହି ମାମିନାର ସମସ୍ୟା ସମାଧାନ କରିବେ ବୋଲି ବିଧାୟକ କହିଛନ୍ତି । କିନ୍ତୁ ସତରେ କଣ ମାମିନାର ଦୁଃଖ ଯିବ? ଭୂମି ଥାଇ ବି ମୁଣ୍ଡକୁ ଛାତ ନଥିବା ପେଟ ପୂରା ଖାଇବା ନଥିବା, ଏବଂ ଅନିଶ୍ଚିତ ଜୀବନ ଜୀଉଁଥିବା ମାମିନା ଆଶ୍ୱସ୍ତ ହେବ ? ବିଧାୟକ ବୁଝିବେ ଦୁଃଖ ? ବ୍ଲକ ଅଧିକାରୀ, ସରପଞ୍ଚ ଅଟକିଥିବା ମାମିନାର ଆବେଦନକୁ ବାଟ ଛାଡିବେ ତ ? ଏମିତି ଅନେକ ପ୍ରଶ୍ନ । କିନ୍ତୁ ସବୁଠୁ ବଡ଼ ଚିନ୍ତା ହେଲା ମାମିନାକୁ ସାହା ହେବ କିଏ ? ସରକାରୀ ଯୋଜନାର ସଫଳ ରୂପାୟନ କିପରି ହୋଇପାରବି, ଯଦି ମାମିନା ଭଳି ଦୁଃଖି ଓ ଅସହାୟଙ୍କ ଦୁଃଖ ନଯିବ ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.