ହତ୍ୟା ପାଇଁ ସୁପାରୀ ମିଳିଛି, ବହୁତ ଶୀଘ୍ର ତୁମକୁ ହତ୍ୟା କରାଯିବ : ଡାକ୍ତରଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍, ଭୟଭୀତ ଅବସ୍ଥାରେ ପରିବାର ଲୋକେ

Published By : Prameya-News7 Bureau | November 29, 2020 IST

ପାଟଣା ୨୯/୧୧ : ବିହାରର ସହରସା ଜିଲ୍ଲାରେ ଅପରାଧୀମାନେ ଜଣେ ଡାକ୍ତରଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି । ଦନ୍ତ ଚିକିତ୍ସକ ଭାବେ କାର୍ଯ୍ୟକରୁଥିବା ଡାକ୍ତର ଅଭିଷେକ କୁମାର ରାଜାଙ୍କୁ ଫୋନ ମାଧ୍ୟମରେ କିଛି ଅସାଧୁ ବ୍ୟକ୍ତି ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଡାକ୍ତର ଅଭିଷେକ ରାଜା ସଦର ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ତେବେ ଚିକିତ୍ସକ ଘରେ ଥିବା​‌ ବେଳେ ଏଭଳି ଧମକପୂର୍ଣ୍ଣ ଫୋନ ଆସିଥିବା ସେ କହିଛନ୍ତି ।

ଡାକ୍ତର ଅଭିଷେକ କୁମାର ରାଜା ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ରବିବାର ସକାଳ ସାଢେ ଦଶଟା ବେଳେ ମୋବାଇଲ​‌ ନଂ-୮୦୯୧୭୧୭୨୯୮ରୁ ତାଙ୍କ ମୋବାଇଲକୁ ଏକ ଫୋନ ଆସିଥିଲା । ତେବେ କଲ କରିଥିବା ବ୍ୟକ୍ତି ଜଣକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା ଏବଂ କହିଥିଲା ‘ତୁମକୁ ହତ୍ୟା କରିବା ପାଇଁ ସୁପାରୀ ମିଳିଛି । ସୁପାରୀ ସହିତ ତୁମ ମୋବାଇଲ ନମ୍ବର ଏବଂ ଫଟୋ ମଧ୍ୟ ମିଳିଛି । ବହୁତ ଜଲଦି ତୁମର ହତ୍ୟା କରାଯିବ ’ ।

ସେ ଅଭିଯୋଗ କରିଛନ୍ତି ଯେ, କଲ କରିଥିବା ବ୍ୟକ୍ତି ଧମକ ଦେଇ କହିଥିଲା କି ତୁମ ପାଖରେ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି । ପୋଲିସ ନିକଟରେ ଡାକ୍ତର କହିଥିଲେ ଯେ, ତାଙ୍କର କାହା ସହିତ କୌଣସି ଶତ୍ରୁତା ନାହିଁ ଏବଂ ଫୋନ କରିଥିବା ଲୋକଙ୍କୁ ସେ ଜାଣନ୍ତି ନାହିଁ । ସେ କହିଛନ୍ତି ଧମକପୂର୍ଣ୍ଣ ଫୋନ ଆସିବା ପରେ ତାଙ୍କ ପରିବାର ଲୋକେ ଏବେ ଭୟଭୀତ ଅଛନ୍ତି । ତୁରନ୍ତ ଅଭିଯୁକ୍ତକୁ ଖୋଜି ବାହାର କରିବା ପାଇଁ ଦାବି କରିଛନ୍ତି ଡାକ୍ତର ଅଭିଷେକ । ସଦର ଥାନା ଅଧିକାରୀ ଆର. କେ. ସିଂହ କହିଛନ୍ତି ଯେ, ମାମଲାର ଛାନଭିନ୍ ଚାଲୁ ରହିଛି ଏବଂ ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.