ଜେଲରେ କରୋନା ବିସ୍ଫୋରଣ : ୭୦ କଏଦୀ ସମେତ ୫ କର୍ମଚାରୀ କୋଭିଡ ପଜିଟିଭ

Published By : Prameya-News7 Bureau | June 08, 2021 IST

ଭୁବନେଶ୍ୱର ୮/୬ : ଜେଲରେ କରୋନା ବିସ୍ଫୋରଣ । ଏଠାରେ ରହୁଥିବା ୧୧୩ ଜଣ କଏଦୀଙ୍କ ମଧ୍ୟରୁ ୭୦ଜଣ କଏଦୀ କରୋନା ସଂକ୍ରମିତ ହୋଇଛନ୍ତି । ରାୟଗଡା ଗୁଣୁପୁର ଜେଲର ୫ଜଣ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜେଲ୍ ଅଧୀକ୍ଷକ କାମାକ୍ଷା ପ୍ରସାଦ ପତି ଏହି ସୂଚନା ଦେଇଛନ୍ତି । ଜେଲ ଅଧୀକ୍ଷକ କହିଛନ୍ତି ଯେ କରୋନା ପଜିଟିଭ କଏଦୀଙ୍କୁ ଅନ୍ୟ କଏଦୀଙ୍କଠାରୁ ଅଲଗା କରାଯାଇଛି । ଏହାସହ ଜେଲ ପରିସରକୁ ମଧ୍ୟ ବିଶୋଧନ କରାଯାଇଛି ।

ରାଜ୍ୟ କାରାଗାର ମୁଖ୍ୟାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ମେ ୨୦୨୧ ମାସରେ ୮୧୬ ଜଣ କଏଦୀ ରାଜ୍ୟରେ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିଲେ । ମେ ୨୬ ସୁଦ୍ଧା ୬୫୮ ଜଣ କଏଦୀଙ୍କୁ ନିମ୍ନ ଅଦାଲତର ଅନୁମତି କ୍ରମେ ଅଧିକ ଜନଗହଳିପୂର୍ଣ୍ଣ ଜେଲରୁ ସ୍ଥାନାନ୍ତର କରାଯାଇଛି ବୋଲି ତଥ୍ୟରେ ଦର୍ଶାଯାଇଛି । ଅନ୍ୟପକ୍ଷରେ, ଜେଲରେ ଥିବା COVID-19 ପରିସ୍ଥିତି ଏବଂ ସଂକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଜେଲର ମହାନିର୍ଦ୍ଦେଶକ ତଥା ସଂଶୋଧନ ସେବା ନିର୍ଦ୍ଦେଶାଳୟ (ଡିସିଏସ୍) ଅନେକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.