ମଦ ସେବନ କରୁଥିଲେ ସାବଧାନ ! କରୋନା ଭ୍ୟାକସିନ୍ ନେବାକୁ ହେଲେ ଛାଡିବାକୁ ହେବ ମଦ
5/01/2021 at 12:07 PM

ଲଣ୍ଡନ ୦୫/୦୧ : ଦୁନିଆରେ ପାଖାପାଖି ୨୦ଟି ଦେଶରେ ଯେକୌଣସି ଭ୍ୟାକସିନ୍ ବ୍ୟବହାରକୁ ମଞ୍ଜୁରୀ ମିଳିଛି। କିଛି ଦେଶରେ ଏମେର୍ଜେନ୍ସି ଭ୍ୟାକସିନେସନ ବି ଆରମ୍ଭ ହୋଇଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଯଦି ଆପଣ କରୋନା ଭ୍ୟାକସିନ୍ ନେବାକୁ ଚାହୁଁଛନ୍ତି ତାହେଲେ ମଦ ଠାରୁ ଦୁରେଇ ରହିବାକୁ ପଡିବ। ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ ମଦ ସେବନ କଲେ ଶରୀରର ପ୍ରତିରୋଧକ କ୍ଷମତା ହ୍ରାସ ପାଇଥାଏ। ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ଯେ ଦିନେ ପୂର୍ବରୁ କିମ୍ବା ଦିନେ ପରେ ମଦ ସେବନ କଲେ ଭ୍ୟାକସିନର ପ୍ରଭାବ କମ୍ ହୋଇପାରେ।
ଏମେର୍ଜେନ୍ସି ମେଡ଼ିସିନ ସ୍ପେସାଲିଷ୍ଟ ଡ.ରଙ୍କ ଇଖାରିୟା ରକ୍ତ ନମୁନା ନେଇ ପରୀକ୍ଷା କରିଛନ୍ତି। ମଦ ପିଇବା ପୂର୍ବରୁ ଏବଂ ପରେ ରକ୍ତ ନମୁନା ସଂଗ୍ରହ କରିଥିଲେ। ପରୀକ୍ଷାରୁ ସେ ଜାଣିବାକୁ ପାଇଲେ ଯେ ୩ ଗ୍ଲାସ ମଦର ପ୍ରଭାବ ସ୍ପଷ୍ଟ ଦେଖିବାକୁ ମିଳିଥିଲା ଯେଉଁଥିପାଇଁ lymphocytes ସଂଖ୍ୟା ୫୦ ପ୍ରତିଶତ ହ୍ରାସ ପାଇଥିଲା। ହ୍ୱାଇଟ୍ ବ୍ଲଡ୍ ସେଲ୍ସରେ ୨୦ ରୁ ୪୦ ପ୍ରତିଶତ ଲିମ୍ଫୋସାଇଟ୍ ରହିଥାଏ।
ଏହି ପରୀକ୍ଷାରୁ ଜଣାପଡିଥିଲା ଯେ ମଦ ସେବନ ଦ୍ୱାରା ଶରୀରରେ ଥିବା ଅଣୁଜୀବ ଉପରେ ପ୍ରଭାବ ପଡିଥାଏ ଯାହା ହାନିକାରକ ବ୍ୟାକ୍ଟେରିଆ ଓ ଭାଇରସରୁ ଶରୀରକୁ ରକ୍ଷା କରିଥାନ୍ତି। ସେଥିପାଇଁ ରକ୍ତରେ ଥିବା ହ୍ୱାଇଟ ବ୍ଲଡ଼ ସେଲ୍ସ କ୍ଷତିଗ୍ରସ୍ତ ହୋଇଥାଏ। ହ୍ୱାଇଟ୍ ବ୍ଲଡ୍ ସେଲ୍ସରେ ଥିବା ଲିମ୍ଫୋସାଇଟ୍ ମଧ୍ୟ ଭାଇରସ୍ ବିରୋଧରେ ଲଢ଼ିବାକୁ ଆଣ୍ଟିବଡ଼ି ପ୍ରସ୍ତୁତ କରିଥାଏ।
ଇମ୍ୟୁନୋଲୋଜିଷ୍ଟ ପ୍ରଫେସର ଶିନା କ୍ରୁକଶୈନ୍କ କହିଛନ୍ତି ଯେ ଏଥିପାଇଁ ଶରୀରର ପ୍ରତିରୋଧକ କ୍ଷମତା ହ୍ରାସ ପାଇପାରେ। ସେଥିପାଇଁ ସେ ଲୋକଙ୍କୁ ଅପିଲ କରିଛନ୍ତି ଯେ କୋଭିଡ୍ ଭ୍ୟାକସିନ୍ ନେବା ସମୟରେ ମଦ ଠାରୁ ଦୁରେଇ ରୁହନ୍ତୁ।
ଋଷ ବୈଜ୍ଞାନିକ ଆଲେକ୍ସଜାଣ୍ଡାର୍ ଜିନ୍ସବର୍ଗଙ୍କ କହିବାନୁଯାୟୀ, Sputnik V ଭ୍ୟାକସିନ ନେବାର ୩ ଦିନ ପୂର୍ବରୁ ଓ ପରେ ମଦ ସେବନ କରିବା ଉଚିତ ନୁହେଁ। ତେବେ କିଛି ପରୀକ୍ଷାରେ ୨ ମାସ ଯାଏଁ ମଦ ନ ପିଇବାକୁ ପରାମର୍ଶ ଦିଆଯାଇଛି। ଆଲେକ୍ସଜାଣ୍ଡାର୍ ଜିନ୍ସବର୍ଗ ମସ୍କୋର Gamaleya National Center of Epidemiology and Microbiology ରେ ଅଧ୍ୟକ୍ଷ ଅଛନ୍ତି ଏବଂ ତାଙ୍କ ତଦାରଖରେ ଭ୍ୟାକସିନ ପ୍ରସ୍ତୁତ ହେଉଛି।
ସୂଚନାଯୋଗ୍ୟ ଯେ, ବ୍ରିଟେନରେ Pfizer ଓ Oxford-AstraZeneca ଭ୍ୟାକସିନ ଦିଆଯାଉଛି। ଆମେରିକାରେ Pfizer ଓ Moderna ଭ୍ୟାକସିନ ଦିଆଯାଉଛି। ଭାରତରେ ଏକ୍ସପର୍ଟ କମିଟି ବୈଠକ ପରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (DCGI) ସିରମ ଇନଷ୍ଟିଚ୍ୟୁଟର କୋଭୋଶିଲ୍ଡ ଓ ଭାରତ ବାୟୋଟେକ ଭ୍ୟାକସିନକୁ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି। ତାଛଡା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ପାଇଁ ଜିଡସ୍ କ୍ୟାଡିଲାକୁ ଅନୁମତି ମିଳିଛି।