ଦୁଇ ବର୍ଷ ପୂର୍ବେ ଚୋରି ହୋଇଥିଲା କାର, ସର୍ଭିସିଂ କରିବାକୁ ଆଣି ଏମିତି ଫସିଲେ ପୋଲିସ ବାବୁ

Published By : Prameya-News7 Bureau | January 03, 2021 IST

କାନୁପର ୦୩/୦୧: ଦୁଇ ବର୍ଷ ତଳେ ଚୋରି ହୋଇଥିଲା କାର। କିନ୍ତୁ ସର୍ଭିସ୍‌ ସେଣ୍ଟରରୁ ଫୋନ୍‌ ଆସିବା ପରେ ଖୋଲିଲା କାର ଚୋରିର ରହସ୍ୟ। ସର୍ଭିସ୍‌ ସେଣ୍ଟରରୁ କାର ମାଲିକଙ୍କୁ ଫୋନ୍‌ ଆସିଲା, ‘ ସର୍ଭିସିଂ ପରେ କାର ବିଠୁର ପୋଲିସ ଷ୍ଟେସନ୍‌ର ଥାନା ଅଧିକାରୀ କୁଶଳେନ୍ଦ୍ର ପ୍ରତାପ ସିଂହଙ୍କୁ ଫେରାଇ ଦିଆଯାଇଛି।’ ସର୍ଭିସ୍‌ ସେଣ୍ଟରରୁ ଫୋନ୍‌ କଲ୍‌ ପାଇବା ପରେ ମାଲିକଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ଦୁଇ ବର୍ଷ ତଳେ ଚୋରି ହୋଇଥିବା କାର ପୋଲିସ ବାବୁଙ୍କ ପାଖରେ କିପରି ପହଞ୍ଚିଲା ବୋଲି ଭାବିବା ସହ କାର ମାଲିକ ସିଧା ସର୍ଭିସ୍‌ ସେଣ୍ଟରରେ ପହଞ୍ଚି ଯାଇଥିଲେ। ତାପରେ ଜଣାପଡ଼ିଥିଲା ପୁରା ଘଟଣା।

ମିଳିଥିବା ସୂଚନା ଅନୁସାରେ ପୋଲିସ ବାବୁ କୁଶଳେନ୍ଦ୍ର ପ୍ରତାପ ସିଂହ ବିକେରୁ ଘଟଣାରେ ଆହତ ହୋଇଥିଲେ । ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଓ ତାର ସାଥିମାନଙ୍କ ଗୁଳିରେ ସହିଦ ହୋଇଥିଲେ ୮ ପୋଲିସ୍‌ କର୍ମଚାରୀ । ଆହତ ହୋଇଥିବା ପୋଲିସ ଅଧିକାରୀଙ୍କ ମଧ୍ୟରେ କୁଶଳେନ୍ଦ୍ର ପ୍ରତାପ ଥିଲେ। ସେ ସବୁବେଳେ ଚୋରି କାର ଚଢ଼ୁଥିଲେ କିନ୍ତୁ ସର୍ଭିସିଂ ପାଇଁ ନେଉନଥିଲେ।

୩୧ ଡିସେମ୍ବର ୨୦୧୮ରେ ବାରା ଅଞ୍ଚଳର ଏକ କାର ଓ୍ବାସିଂ ସେଣ୍ଟରରୁ କାର ଚୋରି ହୋଇଥିଲା ବୋଲି କହିଛନ୍ତି କାର ମାଲିକ ଓମେନ୍ଦ୍ର ସୋନି। ଏନେଇ ବାରା ଥାନାରେ ମାମଲା ରୁଜୁ ହୋଇଥିଲେ ବି କାର ମିଳିନଥିଲା ବୋଲି ସେ କହିଛନ୍ତି। କିନ୍ତୁ ଗତ ବୁଧବାର କେଟିଏଲ ସର୍ଭିସ୍‌ ସେଣ୍ଟରରୁ ସେ ଏକ ଫୋନ୍‌ କଲ ପାଇଥିଲେ। ତାଙ୍କ କାର ସର୍ଭିସିଂ ପରେ ଭଲ ଗଡ଼ୁଛି କି ନାଁ ସର୍ଭିସିଂ ସେଣ୍ଟରରୁ କଲ କରି ପଚାରିଥିଲେ। କଲ ପାଇବା ପରେ  ଓମେନ୍ଦ୍ର ଆଶ୍ଚର୍ଯ୍ୟ ହୋଇଥିଲେ ବୋଲି କହିଛନ୍ତି। ପ୍ରଥମେ ସେ ଭାବିଲେ ଯେ, ତାଙ୍କର ଆଉ ଏକ କାର ସର୍ଭିସିଂ ହୋଇଥିବାରୁ ସେନେଇ କଲ ଆସିଛି। ପରେ କିନ୍ତୁ ଓମେନ୍ଦ୍ର ସର୍ଭିସ୍‌ ସେଣ୍ଟର ଯାଇଥିଲେ। ସେଠାରେ ତାଙ୍କୁ କୁହାଯାଇଥିଲା କି କାର ସର୍ଭିସ୍‌ କରିବା ପରେ ବିଠୁର ଏସଓ କୁଶଳେନ୍ଦ୍ର ପ୍ରତାପଙ୍କୁ ଦିଆଯାଇଛି।

କାର ହଜିବା ନେଇ ଥାନାରେ ଅଭିଯୋଗ ହୋଇଥିଲେ ବି କେମିତି ଥାନା ଅଧିକାରୀ କାର ଫେରାଇଲେ ନାହିଁ ବୋଲି ଓମେନ୍ଦ୍ର କହିଥିଲେ। ସେପଟେ ପୋଲିସ ବାବୁ ସଫେଇ ଦେଇ କହିଛନ୍ତି, କାର ସିଜ୍‌ ହେବା ପରେ ଖତ ଖାଉଥିଲା। କିନ୍ତୁ କେବେ କାର ଜବତ ହୋଇଥିଲା ସେନେଇ କିଛି କହିନାହାନ୍ତି କୁଶଳେନ୍ଦ୍ର। ସେପଟେ ବାରା ପୋଲିସ ବିଠୁର ଥାନାରୁ କୌଣସି ସୂଚନା ପାଇନଥିବା କହିବା ପରେ ଏବେ କୁଶଳେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.