ସବୁଜ ସଂକେତ ଛୁଇଁଲା ଇକ୍ୱଟି ଇଣ୍ଡେକ୍ସ, 700 ପଏଣ୍ଟ ପର୍ଯ୍ୟନ୍ତ ଉଠିଲା BSE
22/04/2020 at 6:35 PM

ନୂଆଦିଲ୍ଲୀ ୨୨।୪: ଦୀର୍ଘ ଅବସାଦରୁ ମୁକୁଳିଲା ଭାରତୀୟ ସେୟାର ବଜାର। ବୁଧବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ୭୪୩ ପଏଣ୍ଟରେ କାରବାର କରି ୩୧ହଜାର୩୮୦ରେ ବନ୍ଦ ହୋଇଥିବା ବେଳେ ଜାତୀୟ ସୂଚକାଙ୍କ ନିଫ୍ଟି ୨୦୦ ପଏଣ୍ଟ ଉପରେ ରହି ସବୁଜ ସଙ୍କେତ ୯ହଜାର ୨୦୦ରେ ବନ୍ଦ ହୋଇଛି। ଫଳରେ ମାନ୍ଦା ପଡିଆସିଥିବା ବଜାରରେ ପୁଣି ଉତ୍ସାହ ଫେରିଛି।

ବ୍ୟାଙ୍କିଙ୍ଗ, ଏଫଏମସିଜି ଓ ଅଟୋ ସେୟାର ମୂଲ୍ୟୟରେ ବୃଦ୍ଧି ବଜାରରେ ଉପୁଜିଥିବା ପରିସ୍ଥିତିରେ ପରିବର୍ତ୍ତନ ଆଣିପାରିଛି। ତେବେ ବଜାରରେ ଚମକ୍ ଫେରାଇବାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଭୂମିକା ଉଲ୍ଲେଖନୀୟ ରହିଛି। ଆରାଇଏଲ ସେୟାର ମୂଲ୍ୟ ବୃଦ୍ଧି ଷ୍ଟକମାର୍କେଟରେ ଉନ୍ମାଦନା ସୃଷ୍ଟି କରିଛି। ଜିଓରେ ଫେସ୍ ବୁକ୍ର ନିବେଶ ଖବର ରିଲାଏନ୍ସ ଇଣ୍ଡଷ୍ଟ୍ରି ସେୟାର ମୂଲ୍ୟରେ ୧୧ ପ୍ରତିଶତ ପର୍ୟ୍ୟନ୍ତ ଅଭିବୃଦ୍ଧି ହୋଇଥିଲା। ଫଳରେ ଦେଖୁ ଦେଖୁ ରିଲାଏନ୍ସ ବଜାରର ଲିଡର ହୋଇଯାଇଥିଲା।

ରିଲାଏନ୍ସ ସେୟାର ଏକାକୀ ବାଜରକୁ ଉଠେଇବାରେ ଲାଗିଥିଲା। ନିଫ୍ଟର କାରବାର ବୃଦ୍ଧିରେ ଆଜି କେବଳ ରିଲାଏନ୍ସ ସେୟାରର ଯୋଗଦାନ ୧୦୩ ପଏଣ୍ଟ ପର୍ଯ୍ୟନ୍ତ ରହିଛି। ଫଳରେ ରିଲାଏନ୍ସ ମାର୍କେଟ୍ କ୍ୟାପ ୯୦ ହଜାର କୋଟି ଟଙ୍କାକୁ ପହଞ୍ଚିପାରିଛି। ସେହିପରି ବ୍ୟାଙ୍କ ନିଫ୍ଚିରେ ମଧ୍ୟ ବୁଧବାର ଜୋରଦାର ଅଭିବୃଦ୍ଧି ଦେଖାଦେଇଥିଲା। ଫଳରେ ବଜାର ସୂଚକାଙ୍କ ୨୯୨.୫୦ ପଏଣ୍ଟ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ଏଥିରେ ବ୍ୟାଙ୍କମାନଙ୍କର ଯୋଗଦାନ ୧.୫୧ ପ୍ରତିଶତ ଥିବା ଦେଖାଯାଇଛି।

ଆଜିର କାରବାରରେ ୫୦ରୁ ୪୪ଟି ସେୟାର ସବୁଜ ସଂକେତରେ ବନ୍ଦ ହୋଇଛନ୍ତି। ଏଥିରେ ବ୍ୟାଙ୍କିଙ୍ଗ, ଅଟୋ, ଆଇଟି ଓ ଏଫଏମସିଜିଙ୍କ ସେୟାର ବଜାରକୁ ବେଶ୍ ସାହାରା ଦେଇଥିଲେ। ଫଳରେ ଗତ ୨ ଦିନ ହେଲା ହ୍ରାସରେ ବନ୍ଦ ହେଉଥିବା ବଜାର ଆଜି ବୃଦ୍ଧିରେ କାରବାର କରି ବନ୍ଦ ହୋଇଛି। ବୁଧବାର କାରବାରରେ କ୍ଷୁଦ୍ର ଓ ମଧ୍ୟମ କମ୍ପାନୀଙ୍କ ସେୟାରର ମଧ୍ୟ ବେଶ୍ କିଣାବିକା ହୋଇଛି। ଏଥିରେ ମେଡକ୍ୟାପ୍ ଇଣ୍ଡେକ୍ସ ୯୫ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି ଦେଖାଯାଇଛି। ସେହିପରି ସେନସେକ୍ସରେ ୩୦ ସେୟାରରୁ ୨୬ଟି ଭଲ କିଣାବିକା ଥିବା ବେଳେ ମାତ୍ର ୪ଟିରେ ହ୍ରାସ ଦେଖାଦେଇଥିଲା।