ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ସନ୍ଦେହ ଜନକ ମୃତ୍ୟୁ ,ତେଜିଛି ରାଜନୀତି- ଏସ୍ପିଙ୍କ ପ୍ରେସ ମିଟ୍ ବିରୋଧରେ ଡିଜିଙ୍କୁ ଫେରାଦ ହେଲା ବିଜେପି
20/10/2019 at 7:50 PM

ଯାଜପୁର ୨୦।୧୦- ଯାଜପୁର ଧର୍ମଶାଳା ହରିଦାସପୁରର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ମାମଲାରେ ଏବେ ନୂଆ ବିବାଦ ସୃଷ୍ଟି ହୋଇଛି । ଏସପିଙ୍କ ବିବୃତି ମୃତ ମହିଳାଙ୍କ ଚରିତ୍ର ସଂହାର କରିଛି ଓ ଏହା ନାରୀ ଜାତି ପ୍ରତି ଅପମାନ। ଏଭଳି କହି ଏସପିଙ୍କ ବିରୋଧରେ ପୋଲିସ ଡିଜିଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ସେପଟେ ଏସପିଙ୍କ ବୟାନକୁ ନେଇ ସ୍ମିତାରାଣୀଙ୍କ ଗାଁରେ ବି ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହାର ଜବାବ ରଖିଛି ବିଜେଡି ।

ସରକାରୀ ଦଳ ପାଖରେ ବନ୍ଧା ପଢିଛନ୍ତି କି ଯାଜପୁର ଏସପି । ଶାସକ ଦଳର ମୁଖପାତ୍ର ସାଜି ଏସପି ଅଭିଯୁକ୍ତର ଭାଷା ନିଜ ମୁହଁରେ କହୁଛନ୍ତି କି? ମୃତ ମହିଳାଙ୍କ ଚରିତ୍ର ଉପରେ ମନ୍ତବ୍ୟ ରଖି ଯାଜପୁର ଏସପି ଚରଣ ସିଂହ ମୀନା ନାରୀ ଜାତି ପ୍ରତି ଅପମାନ କରିଛନ୍ତି । ଯାଜପୁର ଧର୍ମଶାଳା ହରିଦାସପୁରର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ମାମଲାରେ ପ୍ରେସମିଟରେ ଏସପିଙ୍କ ବିବୃତିକୁ ନେଇ ଏମିତି ଆରୋପ ଲଗାଇଛନ୍ତି ବିରୋଧୀ ।

ଏସପିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରି ପୋଲିସ ଡିଜିଙ୍କ ପାଖରେ ଫେରାଦ ହୋଇଛି ରାଜ୍ୟ ବିଜେପିର ଏକ ଟିମ । ଘଟଣାର ତଦନ୍ତ ନ ହେଉଣୁ ଏସପି କିପରି ଏଭଳି ବୟାନ ରଖିଲେ ବୋଲି ବିଜେପି ପ୍ରଶ୍ନ କରିଛି । ଖାଲି ସେତିକି ନୁହେଁ ଅଭିଯୁକ୍ତଙ୍କର ଶାସକ ଦଳର ବରିଷ୍ଠ ନେତାଙ୍କ ସହିତ କି ସଂପର୍କ ରହିଛି ସେ ପ୍ରଶ୍ନକୁ ନେଇ ବିଜେପି ଅଡ଼ି ରହିଛି। ରାଜନୈତିକ ଉଦ୍ଦେଶ୍ୟ ରଖି ଏସପି ମାମଲାକୁ ରଫାଦଫା କରିବାକୁ ଚାହୁଁଛନ୍ତି ବୋଲି ବିଜେପି ଅଭିଯୋଗ କରିଥିବା ବେଳେ କଂଗ୍ରେସ ମଧ୍ୟ ତାଳ ମିଳାଇଛି ।

ମୃତ ସ୍ମିତାରାଣୀଙ୍କର ସରପଞ୍ଚଙ୍କ ସ୍ବାମୀଙ୍କ ସହ ଅନୈତିକ ସଂପର୍କ ଥିଲା ଯେଉଁଥିପାଇଁ ସେ ଆତ୍ମହତ୍ୟା କଲେ ଏସପିଙ୍କର ଏଭଳି ମନ୍ତବ୍ୟକକୁ ନେଇ ମୃତ ସ୍ମିତାରାଣୀଙ୍କ ଗାଁ ଓ ପରିବାରରେ ମଧ୍ୟ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି । ଏସପି ଜଣେ ମୃତ ମହିଳାଙ୍କ ଚରିତ୍ର ସଂହାରକୁ କରିଛନ୍ତି ଏଣୁ ତାଙ୍କ ପ୍ରତି ଆସ୍ଥା ତୁଟିଯାଇଛି। ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତ ତାଙ୍କ ବାପା।

୪ ଦିନ ବିତିଲାଣି ପୋଲିସର ତଦନ୍ତକୁ ନେଇ ଅଙ୍ଗୁଳି ଉଠୁଛି । ବିରୋଧୀ ଆହୁରି ମଧ୍ୟ ପ୍ରଶ୍ନ କରୁଛନ୍ତି ଯେ, ଗେଷ୍ଟ ହାଉସରେ ସିସିଟିଭି ଫୁଟେଜ ପୋଲିସ ଜବତ କରିଛି କି?

ଘଟଣା ଦିନ ସ୍ମିତାରାଣୀଙ୍କୁ ଗେଷ୍ଟ ହାଉସରୁ ମେଡିକାଲ କେଉଁ ଗାଡିରେ ନିଆଯାଇଥିଲା ଓ ସେ ଗାଡି କାହାର ଥିଲା? ପୋଲିସ ଗେଷ୍ଟ ହାଉସକୁ ସିଲ କରିନାହିଁ କାହିଁକି?

ଘଟଣା ଦିନ ଅଭିଯୁକ୍ତ ସହ ଗେଷ୍ଟ ହାଉସରେ କିଏ କିଏ ଥିଲେ ପୋଲିସ ସେମାନଙ୍କ ନାଁ ଖୁଲାସା କରୁନାହିଁ କାହିଁକି?

ସେପଟେ ବିଜେଡି କହିଛି ଏସପିଙ୍କ ପାଖରେ କିଛି ତଥ୍ୟ ଥିବ ବୋଲି ଏସପି ଏପରି କହିଥିଲେ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।
ଏହି ଘଟଣାରେ ଆସନ୍ତା କାଲି ଯାଜପୁର ଜିଲ୍ଲା ବିଜେପି ରାସ୍ତାକୁ ଓହ୍ଲାଇବା ସହ ଯାଜପୁର ବନ୍ଦ ଡାକରା ଦେଇଛି ।