୮୦ ଭାରତୀୟ ଛାତ୍ର ଏବେ ବି ଉହାନ୍‌ରେ ଅଛନ୍ତି, ଲଗାତର ସଂପର୍କରେ ଅଛି ଭାରତୀୟ ଦୂତାବାସ

Published By : Prameya-News7 Bureau | February 07, 2020 IST

ନୂଆଦିଲ୍ଲୀ ୦୭/୦୨ – କରୋନା ଭାଇରସ ପ୍ରଭାବିତ ଚୀନର ଉହାନ ପ୍ରଦେଶରେ ଏବେ ବି ଅଛନ୍ତି ୮୦ ଜଣ ଭାରତୀୟ ଛାତ୍ର । ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ତେବେ ଉହାନରେ ଥିବା ଛାତ୍ରଙ୍କ ମଧ୍ୟର ୭୦ ଜଣ ଛାତ୍ର  ଭାରତ ସରକାରଙ୍କ ଉଦ୍ଧାର ଅଭିଯାନ ବେଳେ ଭାରତ ଫେରିବା ବଦଳରେ ସେଠାରେ ରହିବାକୁ ଚାହିଁବାରୁ ସେମାନଙ୍କୁ ଉଦ୍ଧାର କରାଯାଇ ପାରିନଥିବା କହିଛନ୍ତି ମନ୍ତ୍ରୀ ।

ରାଜ୍ୟସଭାରେ ଶୁକ୍ରବାର ଏହି ସୂଚନା ଦେବାବେଳେ ବୈଦେଶିକ ମନ୍ତ୍ରୀ କହିଛନ୍ତି, ୧୦ ଜଣ ଭାରତୀୟ ଛାତ୍ର ଭାରତ ଫେରିବାକୁ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ , ଉଦ୍ଧାରକାରୀ ଦଳଏବଂ ବିମାନ ସହ ସଠିକ ସମୟରେ ଯୋଗାଯୋଗ କରିପାରିନଥିଲେ । ଫଳରେ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ଚଢିବା ପୂର୍ବରୁ ଅନୁଷ୍ଠିତ ସ୍କ୍ରିନିଂ ପ୍ରକ୍ରିୟାରେ ବିଫଳ ହେବା କାରଣରୁ ସେମାନେ  ଭାରତ ଆସିବାରେ ବିଫଳ ହୋଇଥିଲେ ।

ତେବେ ଉହାନରେ ରହିଥିବା ସମସ୍ତ ଭାରତୀୟ ଛାତ୍ରଙ୍କ ସହ ଚୀନ ସ୍ଥିତ ଭାରତୀୟ ଦୂତାବାସ ଏବଂ କେନ୍ଦ୍ର ସରକାର ସଂପର୍କରେ ଅଛନ୍ତି । ନିୟମିତ ଭାବେ ସେମାନଙ୍କ ସ୍ଥିତି ଏବଂ ସ୍ବାସ୍ଥ୍ୟ ସଂପର୍କରେ ଅନୁଧ୍ୟାନ ଏବଂ ବିଶ୍ଲେଷଣ ଜାରି ରହିଥିବା କହିଛନ୍ତି ଏସ୍. ଜୟଶଙ୍କର ।

ଗତ ସପ୍ତାହରେ ଏୟାର ଇଣ୍ଡିଆର ଦୁଇଟି ସ୍ବତନ୍ତ୍ର ବିମାନ ଯୋଗେ ଉହାନରୁ ୬୪୦ ଜଣ ଭାରତୀୟଙ୍କ ସହ ୭ ଜଣ  ମାଲେସିୟଙ୍କୁ ଉଧ୍ୟାର କରାଯାଇ ଭାରତ ଅଣାଯାଇଥିଲା । ତେବେ ୧୧ ନିୟୁତ ଲୋକସଂଖ୍ୟା ବିଶିଷ୍ଟ ତଥା କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଉହାନରେ ଏବେ ବି କିଛି ଭାରତୀୟ ଥିବା ସନ୍ଦେହ କରାଯାଉଛି ।

ଆଉ ଏକ ବଡ଼ କଥା ହେଲା ,କେବଳ ଭାରତୀୟ ନୁହେଁ ଉହାନରେ  ଅଟକି ରହିଥିବା ପଡୋଶୀ ରାଷ୍ଟ୍ରର ନାଗରିକଙ୍କୁ ମଧ୍ୟ ଉଦ୍ଧାର କରିବାକୁ ଭାରତ ତାର ସହଯୋଗର ହାତ ବଢାଇଥିଲା । ଏପରିକି ଉହାନରେ ଥିବା ପାକିସ୍ତାନୀଙ୍କୁ ମଧ୍ୟ ଉଦ୍ଧାର କରିବାରେ ଭାରତ ଆଗ୍ରହ ପ୍ରକାଶ କରିଥିଲା । କିନ୍ତୁ କେବଳ ମାଳଦୀପ ଏହି ସହଯୋଗକୁ ଗ୍ରହଣ କରିଥିଲା ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଜୟଶଙ୍କର।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବରରେ ଚୀନ୍‌ରେ ଭୟଙ୍କର କରୋନା ଭାଇରସ୍‌ ଦେଖାଦେଇଥିଲା ଏବଂ ତାହା ସଂକ୍ରମିତ ହୋଇଥିଲା । ଏହି ଭୟାନକ ଭୂତାଣୁ ଯୋଗୁଁ  ଭର୍ତ୍ତମାନ ସୁଦ୍ଧା ୬୩୬ ଜଣଙ୍କର ମୃତ୍ୟୁ ହୋଇଥିବା ଚୀନ ସରକାରଙ୍କ ପକ୍ଷରୁ କୁହାଯାଇଛି । କିନ୍ତୁ ଭାରତ ସମେତ ପ୍ରାୟ ୨ ଡଜନ ଦେଶରେ  ଏହି ଭାଇରସ୍‌ ଆକ୍ରାନ୍ତ କିଛି କିଛି ରୋଗୀ ଠାବ ହୋଇଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.