ବାଘଛାଲ ବିକ୍ରି କରି ମୋଟା ଅଙ୍କର ମାଲ୍ କମାଇବାକୁ ହୋଇଥିଲା ଯୋଜନା : ବାଘ ଛାଲ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍
21/06/2019 at 5:32 PM

ଦେବଗଡ଼ ୨୧/୬: ୭ଫୁଟ୍ ଲମ୍ବର କଲରାପତରିଆ ବାଘ ଛାଲ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କ ଘର ଦେବଗଡ଼ ବାରକୋଟ ଗାଁରେ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି ।

ବାଘଛାଲ ବିକ୍ରି କରି ମୋଟା ଅଙ୍କର ମାଲ୍ କମାଇବାକୁ ହୋଇଥିଲା ଯୋଜନା । ହେଲେ ସବୁ ଯୋଜନା ଫସର ଫାଟିଲା । ମାଲ୍ କମାଇବା ପୂର୍ବରୁ ମାଡ଼ି ବସିଲା କ୍ରାଇମବ୍ରାଂଞ୍ଚ STF । ବାଘଛାଲ କାରବାର କରୁଥିବା ୩ ଜଣଙ୍କୁ ଗିରଫ କରିଛି STF ଟିମ୍ । ସେମାନଙ୍କ ଠାରୁ ୭ଫୁଟ୍ ଲମ୍ବର ଏକ କଲରାପତରିଆ ବାଘର ଛାଲ ଜବତ କରିଛି । ତିନି ଅଭିଯୁକ୍ତଙ୍କ ଭିତରୁ ଦୁଇ ଜଣ ହେଲେ ଦେବଗଡ଼ ବାରକୋଟ ଗାଁର ରମଣୀସେନ ବେହେରା, ଓ ଗଜନଦତ୍ତ ବେହେରା । ଅନ୍ୟ ଜଣେ ସୁନ୍ଦରଗଡ଼ ଜିଲ୍ଲାର ସଚିକାନ୍ତ ନାୟକ । ଗିରଫ ଯୁବକମାନଙ୍କ ଭିତରୁ ଜଣେ ପୂର୍ବତନ ଜେଲ କର୍ମଚାରୀଙ୍କ ପୁଅ ବୋଲି ଜଣାପଡ଼ିଛି । ତେବେ ଗୁଳି ମାରାଯାଇ ବାଘ ମାରିବା ପରେ ଛାଲ ବାହାର କରାଯାଇଥିବା ଜାଣିବାକୁ ପାଇଛି ଏସଟିଏଫ୍ ।

ଏହି ବାଘଛାଲ କାରବାର ରାକେଟ୍ରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ, ଏମାନଙ୍କୁ କିଏ ବାଘ ଛାଲ ଦେଇଥିଲା, ଆଉ କେତେ ଟଙ୍କାରେ ବିକ୍ରି ହେବାକୁ ଡିଲ୍ ହୋଇଥିଲା ସେସବୁର ଏବେ ଖୋଳତାଡ଼ କରୁଛି ଏସଟିଏଫ୍ ।ବାଘ ଛାଲଟିକୁ ରାଉକେଲାରେ ବିକ୍ରି କରିବା ପାଇଁ ଯୋଜନା କରାଯାଇଥିଲା । ପୂର୍ବରୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ୪ଟି ବାଘ ଛାଲ ଜବତ କରିବା ସହ ୭ଜଣଙ୍କୁ ଗିରଫ କରାଯାଇଥିଲା ।
