ଭୁଲିଗଲେ ସମ୍ପର୍କକୁ : ୬ ବର୍ଷର ପୁଅକୁ ଜୀବନରୁ ମାରିଦେଲା ସାବତ ମାଆ, ହତ୍ୟାରେ ବାପା ବି ଥିଲା ସାମିଲ

Published By : Prameya-News7 Bureau | October 16, 2021 IST

ନୂଆଦିଲ୍ଲୀ ୧୬/୧୦:  ବ୍ରିଟେନରେ ଜଣେ ସାବତ ମା କ୍ରୁରତାର ସମସ୍ତ ସୀମା ଅତିକ୍ରମ କରି ଏକ ୬ ବର୍ଷର ନିରୀହ ଶିଶୁକୁ ହତ୍ୟା କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଅପରାଧରେ ଶିଶୁର ବାପା ମଧ୍ୟ ସାମିଲ ଅଛି। ଉଭୟ ଶିଶୁକୁ ପ୍ରାୟ ଆଠ ମାସ ପର୍ଯ୍ୟନ୍ତ ନିର୍ଯାତନା ଦେଇଥିଲେ, ତା’ପରେ ତାଙ୍କୁ ସବୁଦିନ ପାଇଁ ଶେଷ କରିଦେଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରି ହତ୍ୟା ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ, ପଶ୍ଚିମ ମିଡଲ୍ୟାଣ୍ଡରେ ରହୁଥିବା ୬ ବର୍ଷିୟ ଆର୍ଥର ଲାବିଞ୍ଜୋ-ହ୍ୟୁଜଙ୍କୁ ତାର ସାବତ ମା ଏମା ଟଷ୍ଟିନ ଏବଂ ବାପା ଥୋମାସ ହ୍ୟୁଜ ହତ୍ୟା କରିଥିଲେ। ହତ୍ୟା ପରେ ଏମା ଜରୁରୀକାଳୀନ ସେବା ୯୯୯ କୁ ଫୋନ କରି କହିଥିଲା ଯେ ତାଙ୍କ ପିଲା ନିଜକୁ ଆଘାତ ଦେଇଛି। ସେ ଅନେକ ଥର ତାର ମୁଣ୍ଡକୁ ମାଡ ମାରିଛି, ଯାହା ପରେ ସେ ଅଚେତ ହୋଇଯାଇଛି ।

ଅଭିଯୁକ୍ତ ମା’ ଜଣାଇବାକୁ ଚେଷ୍ଟା କରିଥିଲା ଯେ ଶିଶୁଟିର ମୃତ୍ୟୁ ଏକ ଦୁର୍ଘଟଣା, କିନ୍ତୁ ପୋଲିସ ଅନୁସନ୍ଧାନରେ ଏପରି ଅନେକ ପ୍ରମାଣ ପାଇଥିଲା, ଯାହା ନିର୍ଯାତନାର କାହାଣୀ କହିଥିଲା। ଆର୍ଥରକୁ ଭୋକରେ ରହିବାକୁ ଦିଆଯାଉଥିଲା ଏବଂ ୧୩-୧୪ ଘଣ୍ଟା ଛିଡା କରି ରଖାଯାଉଥିଲା।

ଫୋନ୍ କଲର କିଛି ସମୟ ପରେ ଆମ୍ବୁଲାନ୍ସ ଆର୍ଥରଙ୍କ ଘରେ ପହଞ୍ଚି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା, କିନ୍ତୁ ତାଙ୍କ ଜୀବନ ରକ୍ଷା ହୋଇପାରି ନଥିଲା। ତାଙ୍କ ମୃତ୍ୟୁର କାରଣ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ହୋଇଥିଲା। ମାମଲାର ଶୁଣାଣି ସମୟରେ ଅଭିଯୁକ୍ତ ମା ଶିଶୁଟିକୁ ଆକ୍ରମଣ କରିଥିବା ସ୍ୱୀକାର କରିଥିଲେ ମଧ୍ୟ ହତ୍ୟାକୁ ଅସ୍ୱୀକାର କରିଥିଲା। ଏଥିସହ ପିତା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଥିଲା। ପୋଲିସ କହିଛି ଯେ ସାବତ ମା ଏବଂ ବାପା ପିଲାଟିକୁ ଦୀର୍ଘ ଦିନ ଧରି ନିର୍ଯାତନା ଦେଉଥିଲେ। ତାଙ୍କୁ ପ୍ରତିଦିନ ନିର୍ଦ୍ଦୟ ଦଣ୍ଡ ଦେଉଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.