ମାସ ମାସ ଧରି ନାବାଳିକା ସାବତ ଝିଅକୁ ଦୁଷ୍କର୍ମ କରୁଥିଲା ବାପା, ଗିରଫ କଲା ପୋଲିସ
1/11/2019 at 9:51 AM

ଭୁବନେଶ୍ବର ୧।୧୧: ସାବତ ଝିଅକୁ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ଅଭିଯୋଗରେ ଏୟାରପୋର୍ଟ ଥାନା ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଉଛନ୍ତି ବିହାର ମାଣିକପୁରର କତିମାନ ମହନ୍ତ । ପଳାସପଲ୍ଲୀରେ ଥିବା କାରଗିଲ୍ ବସ୍ତିରେ ସେ ସାବତ ଝିଅ ସହ ରହୁଥିଲେ ।
ସୂଚନାଯୋଗ୍ୟ ଯେ, କତିମାନ ମହନ୍ତ ଶ୍ରମିକ ଭାବେ କାମ କରେ । ସେ ଝାଡ଼ଖଣ୍ଡ ଅଞ୍ଚଳର ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରି କାରଗିଲ୍ ବସ୍ତିରେ ରହୁଥିଲା । ସମ୍ପୃକ୍ତ ମହିଳାଙ୍କ ଏକ ୧୨ ବର୍ଷ ବୟସ୍କ ଝିଅ ଥିଲା । ବିବାହର କିଛି ମାସ ପରେ କତିମାନଙ୍କ ଲୋଲୁପ ଦୃଷ୍ଟି ନାବାଳିକା ଝିଅ ଉପରେ ପଡିଥିଲା । ସେ ଝିଅକୁ ଧମକାଇ ଦୁଷ୍କର୍ମ କରିଥିବା ପୀଡିତା ନାବାଳିକା ଅଭିଯୋଗ କରିଛନ୍ତି ।
ଝିଅ ଜଣଙ୍କ ମଧ୍ୟ ଏ ସମ୍ପର୍କରେ ମା’କୁ କିଛି କହିପାରୁନଥିଲେ । ଏମିତି କିଛି ମାସ ଚାଲିବା ପରେ ଘଟଣା ସମ୍ପର୍କରେ ମା’ ଜାଣିବାକୁ ପାଇଲେ । ଏନେଇ କତିମାନଙ୍କୁ ବାରଣ କରିବାକୁ ସେ ମାନି ନଥିଲା । ଫଳରେ ଝିଅକୁ ସାଙ୍ଗରେ ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ କରିଥିଲା । ଅଭିଯୁକ୍ତ କତିମାନଙ୍କୁ ଗିରଫ କରିକୋର୍ଟ ଚାଲାଣ କରିଛି ପୋଲିସ ।