ମନ୍ଦିରରୁ ଚୋରି କରିବାକୁ ଆସି ଶୋଇପଡିଲା ଚୋର : ସକାଳୁ ପୋଲିସ ଉଠାଇବାରୁ ଚୋର କହିଲା ‘ଥଣ୍ଡା ଲାଗୁଛି ଶୋଇବାକୁ ଦିଅ’
15/12/2020 at 6:04 PM

ଭୋପାଳ ୧୫/୧୨ : ମଧ୍ୟ ପ୍ରଦେଶର ଶାଜାପୁର ଜିଲ୍ଲାରେ ଗୋଟିଏ ଅଜବ ଘଟଣା ଘଟିଛି । ମନ୍ଦରକୁ ଚୋରୀ କରିବାକୁ ଆସିଥିବା ଗୋଟିଏ ଚୋର ନିଦ ଲାଗିବାରୁ ସେହି ମନ୍ଦିରରେ ହିଁ ଶୋଇପଡିଥିଲା । ପ୍ରଥମେ ମନ୍ଦିରରେ ଥିବା ଜିନିଷପତ୍ର ଏବଂ କିଛି ଟଙ୍କାକୁ ଏକ ବ୍ୟାଗରେ ଭର୍ତ୍ତି କରିଥିଲା ଚୋରଚଣକ । ଏହା ପରେ ନିଦ ଲାଗିବାରୁ ସେହି ମନ୍ଦିରରେ ହିଁ ଶୋଇପଡିଥିଲା । ସକାଳୁ ପୋଲିସ ଆସି ଚୋରକୁ ଉଠାଇଥିଲା । ତେବେ କୌତୁହଳର କଥା ହେଉଛି ପୋଲିସ ଡାକିବା ବେଳେ ଚୋର କହିଥିଲା ‘ଥଣ୍ଡା ଲାଗୁଛି, ଶୋଇବାକୁ ଦିଅ’ ।

ସୂଚନା ଅନୁସାରେ ଶାଜାପୁରର ଲାଲବାଇ ମନ୍ଦିରରେ ଚୋରଜଣକ ଚୋରି କରିବାକୁ ପ୍ରବେଶ କରିଥିଲା । ରାତିରେ ଚୋରଜଣକ ସେବାୟତଙ୍କ ଘରେ ରଖାଯାଇଥିବା ତ୍ରିଶୂଳ ସାହାଯ୍ୟରେ ମନ୍ଦିରର ତାଲା ଭାଙ୍ଗିଥିଲା । ଏହା ପରେ ସେଠାରେ ଥିବା ସାମଗ୍ରୀ ଏବଂ ବାକ୍ସରେ ଥିବା କିଛି ଟଙ୍କାକୁ ଏକ ବ୍ୟାଗରେ ବର୍ତ୍ତି କରିଥିଲା । ପରେ ତାକୁ ନିଦ ଲାଗିବାରୁ ସେ ସେହି ମନ୍ଦିର ଭିତରେ ହିଁ ଶୋଇପଡିଥିଲା ।

ସକାଳୁ ମନ୍ଦିର ସେବୟାତ ପହଞ୍ଚି ଦେଖିଥିଲେ ମନ୍ଦିରରେ ତ୍ରିଶୂଳ ନଥିଲା ଏବଂ ପାଖ କୋଠରୀର ତାଲା ଭଙ୍ଗା ଯାଇଥିଲା ଏବଂ ଭିତରୁ କବାଟ ବନ୍ଦ ଥିଲା । ଏହା ପରେ ସେବାୟତଜଣକ ପୋଲିସକୁ ଫୋନ କରି ଡକାଇଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଡକାୟତ ଶୋଇଥିବା କୋଠାରୀକୁ ଖୋଲିବାକୁ ପ୍ରୟାସ କରିଥିଲା । କିନ୍ତୁ ଲୁଟେରାଜଣକ କବାଟ ଖୋଲିନଥିଲା । ପୋଲିସ ବାଧ୍ୟ ହୋଇ କବାଟ ଭାଙ୍ଗି ଭିତରକୁ ପଶିଥିଲା । ଭିତରେ ଏକ ସେବାୟତଙ୍କ ପଲଙ୍କ ଉପରେ ଲୁଟେରାଜଣକ ଶୋଇପଡିଥିଲା । ପୋଲିସ ତାକୁ ଉଠାଇବାକୁ ଚେଷ୍ଟା କରିବାରୁ ଲୁଟେରାଜଣକ କହିଥିଲା ‘ଥଣ୍ଡା ଲାଗୁଛି, ଶୋଇବାକୁ ଦିଅ’ । ତେବେ ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ ଲୁଟେରାଜଣକ ମାନସିକ ବିକାରଗସ୍ତ । ତେବେ କେବଳ ପଚରାଉଚରା କରିବା ପରେ ତାକୁ ଛାଡି ଦେଇଥିଲା ପୋଲିସ ।