ଷ୍ଟେସନ୍ ମାଷ୍ଟର ନିଲମ୍ବିତ: ଭୁଲ୍ ସିଗ୍ନାଲ ଦେଖାଇ ଟ୍ରେନକୁ କରିଥିଲେ ଦିଗହରା…
9/03/2020 at 2:55 PM

ରାଉରକେଲା୯/୩: ଟ୍ରେନ ଅଟକାଇବାକୁ ଭୁଲି ଗଲେ ଷ୍ଟେସନ ମାଷ୍ଟର। ଏଥିସହ ଡ୍ରାଇଭର ଏବଂ ଗାର୍ଡ ଚାହିଁଥିଲେ ଟ୍ରେନ ଅଟକାଇ ପାରିଥାନ୍ତେ। ହେଲେ ଡ୍ରାଇଭର ଏବଂ ଗାର୍ଡ ମଧ୍ୟ ନିୟମ ନ ମାନି ଟ୍ରେନ୍ ଚଳାଇଥିଲେ।। ଯାହାଫଳରେ ଶହ ଶହ ଯାତ୍ରୀ ହଇରାଣ ହରକତ ହୋଇଛନ୍ତି। ଏହି ଘଟଣାରେ ରେଳ ବିଭାଗ ସଂପୃକ୍ତ ଷ୍ଟେସନ ମାଷ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ ଗାର୍ଡ ଓ ଡ୍ରାଇଭରଙ୍କୁ ମଧ୍ୟ ନୋଟିସ ଜାରି କରିଛି।

ରବିବାରରେ ବିହାର ପାଟନାରୁ ଛତିଶଗଡ଼ର ବିଳାସପୁର ଅଭିମୁଖେ ଯାଉଥିବା ସାପ୍ତାହିକ ସୁପର ଫାଷ୍ଟ ଟ୍ରେନ ନଂ ୨୨୮୪୪ ରାଜଗାଙ୍ଗପୁର ଷ୍ଟେସନରେ ରହି ନଥିଲା। ଟ୍ରେନଟି ୨.୨୫ ସମୟରେ ରାଜଗାଙ୍ଗପୁର ଷ୍ଟେସନରେ ପହଞ୍ଚିବାର ଥିଲା ।

ଯାତ୍ରୀମାନେ ନିଜ ବ୍ୟାଗପତ୍ର ଧରି ଏହି ଟ୍ରେନରେ ନିଜ ଗନ୍ତବ୍ୟ ସ୍ଥାନକୁ ଯିବାକୁ ଷ୍ଟେସନରେ ଛିଡା ହୋଇଥିଲେ। ହେଲେ ଷ୍ଟେସନ ମାଷ୍ଟରଙ୍କ ବେପରୁଆ ମନୋଭାଭ ଯୋଗୁଁ ଟ୍ରେନଟି ଛିଡା ନ ହୋଇ ଦ୍ରୁତ ଗତିରେ ମଝି ଟ୍ରାକରେ ଚାଲିଯାଇଥିଲା।କୁହାଯାଉଛି କି ଷ୍ଟେସନ ମାଷ୍ଟର ଭୁଲ୍ ସିଗ୍ନାଲ ଦେଇଥିଲେ।

ତେବେ ଟ୍ରେନ ଚାଲିଯିବା ପରେ ଷ୍ଟେସନ ମାଷ୍ଟର ନିଜ ଭୁଲ ସୁଧାରିବା ପାଇଁ ଟ୍ରେନଟିକୁ ଗରପୋଷ ଷ୍ଟେସନରେ ଅଟକାଇ ଥିଲେ। ରାଜଗାଙ୍ଗପୁରରୁ ଏହି ଟ୍ରେନରେ ଯିବାକୁ ଟିକେଟ କାଟି ଥିବା ଶହେରୁ ଅଧିକ ଲୋକଙ୍କୁ ପରେ ଇସ୍ପାତ ଏକ୍ସପ୍ରେସରେ ଗରପୋଷ ପଠାଯାଇଥିଲା। ରାଜଗାଙ୍ଗପୁରରେ ଓହ୍ଲାଇଥିବା ୫୦ରୁ ଅଧିକ ଯାତ୍ରୀଙ୍କୁ ସମ୍ବଲପୁର ବନାରସ ଟ୍ରେନ ଯୋଗେ ପୁଣି ରାଜଗାଙ୍ଗପୁରକୁ ଅଣାଯାଇଥିଲା।

ଷ୍ଟେସନ ମାଷ୍ଟର ଭୁଲ ସ୍ବୀକାର କରିଥିଲେ କିନ୍ତୁ ଟ୍ରେନ ଟିକୁ ଡ୍ରାଇଭର ଏବଂ ଗାର୍ଡ ଚାହିଁଥିଲେ ଅଟକାଇ ପରିଥାନ୍ତେ। କିନ୍ତୁ ସେମାନେ ମଧ୍ୟ ଅଟକାଇ ନଥିଲେ। ତେଣୁ ରେଳ ବିଭାଗ ପକ୍ଷରୁ ଡ୍ରାଇଭର ଏବ ଗାର୍ଡଙ୍କୁ ନୋଟିସ୍ ମଧ୍ୟ କରାଯାଇଛି।