ରାଜ୍ୟମାନଙ୍କୁ ମିଳିବ ୫୦ ପ୍ରତିଶତ ଟିକା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବ ଗ୍ରହଣ କଲେ କେନ୍ଦ୍ର ସରକାର

Published By : Prameya-News7 Bureau | April 19, 2021 IST

ନୂଆଦିଲ୍ଲୀ/ଭୁବନେଶ୍ଵର ୧୯।୦୪: ଦେଶରେ କରୋନା ଲଢେଇ ପାଇଁ ଟିକାକରଣ ଅଭିଯାନକୁ ସରକାର ଆହୁରି ଜୋରଦାର କରିଛନ୍ତି। ମେ ୧ରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସର ଲୋକଙ୍କୁ କରୋନା ଟିକା ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୋମବାର ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମେ ୧ରୁ ସମଗ୍ର ଦେଶରେ ଟିକାକରଣର ତୃତୀୟ ଅଭିଯାନ ଆରମ୍ଭ ହେଉଛି। ଆଉ ଏକ ନିଷ୍ପତ୍ତି କ୍ରମେ ରାଜ୍ୟ ପାଇ ପାରିବେ ୫୦ ପ୍ରତିଶତ ଟିକା। ଏଣିକି ରାଜ୍ୟମାନେ ସିଧା କରୋନା ଟିକା ପାଇ ପାରିବେ। କମ୍ପାନୀ ଏବେ ଖୋଲା ବଜାରରେ ମଧ୍ୟ ପୂର୍ବରୁ ନିର୍ଦ୍ଧାରିତ ମୂଲ୍ୟରେ ଭ୍ୟାକସିନ ଯୋଗାଇ ପାରିବେ। ସବୁଠୁ ବଡ କଥା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବ ଗ୍ରହଣ କରିଛନ୍ତି।

ଦୁଇ ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖି ରାଜ୍ୟଗୁଡିକୁ ପର୍ଯ୍ୟାପ୍ତ ମାତ୍ରାରେ ଭ୍ୟାକସିନ ଯୋଗାଇବା ସହିତ ଖୋଲା ବଜାରରେ ଟିକା ଯୋଗାଇବାକୁ ପ୍ରସ୍ତାବ ଦେଇଥିଲେ। ଏମିତି ହେଲେ ଲୋକେ ସହଜରେ ଟିକା ପାଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାର ଦୁଇ ଦିନ ପରେ ଭାରତ ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି।

କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ, ଏଣିକି ରାଜ୍ୟଗୁଡିକ ୫୦ ପ୍ରତିଶତ ଟିକା ପାଇ ପାରିବେ। ଉତ୍ପାଦନକାରୀ ସଂସ୍ଥା କେନ୍ଦ୍ରକୁ ୫୦ ପ୍ରତିଶତ ଟିକା ଯୋଗାଇ ଦେବେ। ବାକି ୫୦ ପ୍ରତିଶତ ଟିକା ଉତ୍ପାଦକ ରାଜ୍ୟମାନଙ୍କୁ ଏବଂ ଖୋଲା ବଜାରକୁ ଦେଇ ପାରିବେ। ନିର୍ଦ୍ଧାରିତ ଦର ଦେଇ ରାଜ୍ୟ ସରକାର ଓ ଶିଳ୍ପ ସଂସ୍ଥା ସିଧାସଳଖ ଉତ୍ପାଦକଙ୍କଠୁ ଟିକା କିଣିବାକୁ ଅନୁମତି ଦିଆଯାଇଛି।

ଭାରତ ସରକାର ନିଜ ଅଂଶରୁ ୫୦ ପ୍ରତିଶତ ଟିକା ରାଜ୍ୟଗୁଡିକୁ ଦେବ। ହେଲେ ଟିକା ବଣ୍ଟନ ପାଇଁ ୩ ମାପଦଣ୍ଡ ରଖାଯାଇଛି। କେନ୍ଦ୍ର କୋଟାରୁ କେଉଁ ରାଜ୍ୟକୁ କେତେ ଟିକା ଦିଆଯିବ ତାହା ନିର୍ଦ୍ଧାରିତ ହେବ। ତିନୋଟି ମାପକାଠି ହେଉଛି ରାଜ୍ୟରେ ସଂକ୍ରମଣ ଏବଂ କେତେ ଆକ୍ଟିଭ୍ କେସ୍ ରହିଛି, କୋଭିଡ୍ ପରିଚାଳନା କେମିତି ରହିଛି ? ଟିକାର ଅପଚୟ କେତେ ହେଉଛି ଏହା ଦେଖି ରାଜ୍ୟଗୁଡିକୁ କେତେ ଟିକା ମିଳିବ ନିର୍ଦ୍ଧାରଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.